ଭିଜନ ବିକଶିତ ଭାରତ ୨୦୪୭: ଆସନ୍ତା ୫ ବର୍ଷରେ ୫୦ଟି ଛୋଟ ସହରରେ ହେବ ଏୟାରପୋର୍ଟ, ଟାର୍ଗେଟ୍ ୩୦୦ ବିମାନବନ୍ଦର ନିର୍ମାଣ
ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଦେଶ ବିକଶିତ ହେବ। ଏହି ଟାର୍ଗେଟ୍ ନେଇ କେନ୍ଦ୍ର ସରକାର ବିଭିନ୍ନ ଦିଗରେ କାମ ଜାରି ରଖିଛନ୍ତି। ଇନ୍ଫ୍ରାଷ୍ଟ୍ରକ୍ଚର, ପର୍ଯ୍ୟଟନ ଆଦି କ୍ଷେତ୍ରରେ କାମ ହେବ। ତେଣୁ ଭାରତକୁ ଦେଶ ବିଦେଶରୁ ଯାତାୟତ ବଢ଼ିବ। ଏହାର ପ୍ରଭାବ ଏବେଠାରୁ ଦେଖିବାକୁ ମିଳିଲାଣି। ଗତବର୍ଷ ଠାରୁ ଏପର୍ଯ୍ୟନ୍ତ ଘରୋଇ ବିମାନ ଉଡ଼ାଣରେ ୮ ପ୍ରତିଶତ ବୃଦ୍ଧି ହୋଇଛି।
ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ତେଣୁ କେନ୍ଦ୍ର ସରକାର ଦେଶରେ ୩୦୦ ବିମାନ ବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଆସନ୍ତା ୫ ବର୍ଷରେ ଦେଶର ୫୦ଟି ଛୋଟ ସହରରେ ଏୟାରପୋର୍ଟ ନିର୍ମାଣକୁ କରିବାକୁ ଯୋଜନା କରାଯାଇଛି।
ବିମାନ ବନ୍ଦର କାମ ହେଲେ ବିମାନ ସେବା ଦ୍ୱାରା ଦେଶର ଛୋଟ ଛୋଟ ସହର ଯୋଡ଼ି ହେବ। ବଢ଼ିବ ଏଠିକାର ଅର୍ଥନୀତି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ୫ ବର୍ଷରେ ଦେଶର ୫୦ ଛୋଟ ସହରରେ ବିମାନ ବନ୍ଦର ନିର୍ମାଣ କରାଯିବ। ବିକଶିତ ଭାରତ ଅଭିଯାନରେ ଏହିସବୁ ବିମାନ ବନ୍ଦର ନିର୍ମାଣ କରାଯିବ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟର କରିବାକୁ ଯେଉଁ ଟାର୍ଗେଟ ରଖାଯାଇଛି ସେଥିରେ ଦେଶରେ ୩୦୦ ବିମାନ ବନ୍ଦର ନିର୍ମାଣ କରିବାକୁ ଯୋଜନା ହୋଇଛି। ଖାଲି ସେତିକି ନୁହେଁ ଦେଶରେ ପୂର୍ବରୁ ଥିବା ବିମାନ ବନ୍ଦରକୁ ମଧ୍ୟ ବିକଶିତ କରାଯିବ। ଏହି କ୍ଷେତ୍ରରେ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ବେସରକାରୀ ସଂସ୍ଥାଙ୍କ ସହଭାଗିତାରେ ୨୦୩୦ ସୁଦ୍ଧା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ ୭୦ ବିମାନ ବନ୍ଦରକୁ ବିକଶିତ କରାଯିବ। ବିକଶିତ ହେବା ପରେ ଏସବୁ ବିମାନ ବନ୍ଦର ଗୁଡ଼ିକୁ ଏୟାରବସ ଏ୩୨୦ ଏବଂ ବି୭୩୭ ଭଳି ଅଣଓସାରିଆ ବିମାନର ଉଡ଼ାଣ ଏବଂ ଅବତରଣ ଭଳି କ୍ଷମତା ମିଳିଯିବ। ଗୁଜରାଟର ମାଣ୍ଡଭୀ, ଉତ୍ତରପ୍ରଦେଶର ସୁଲତାନପୁର, ମେଘାଳୟର ତୁରା ଏବଂ ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ଥିବା ଏୟାରଷ୍ଟ୍ରିପ ଭଳି ପ୍ରାୟ ୪୦ଟି ଏୟାରଷ୍ଟ୍ରିପକୁ ଛୋଟ ବିମାନ ବନ୍ଦରର ଉଡ଼ାଣ ପାଇଁ ବିକଶିତ କରାଯିବ। ଯଦି ଏସବୁ ବିମାନ ବନ୍ଦର ବିକଶିତ କରିବା ଭଳି ସ୍ଥିତିରେ ନଥିବ, କିମ୍ବା ଜନବସତି ଠାରୁ ୫୦ କିମି ଭିତରେ ଯଦି କୌଣସି ବିମାନ ବନ୍ଦର ନଥିବା ତେବେ ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ।
ସେହିଭଳି ରାଜସ୍ଥାନର କୋଟା, ତାମିଲନାଡ଼ୁର ପାରନ୍ଦୁର, କେରଳର କୋଟ୍ଟାୟାମ, ଓଡ଼ିଶାର ପୁରୀ, ମହାରାଷ୍ଟ୍ରର ପୂରନଦାର, ଆଣ୍ଡାମାନ ନିକୋବର ଆଇଲାଣ୍ଡର କାର ନିକୋବର ଏବଂ ମିନିକଏରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ କରାଯିବ। ଆଙ୍ଖଲେଶ୍ୱର ଏବଂ ଗୁଜରାଟ ଦ୍ୱାରକାରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି। ନୂଆ ବିମାନ ବନ୍ଦର ବ୍ୟତୀତ ସରକାର ଅନେକ ବାୟୁ ସେନା ଷ୍ଟେସନ, ନୂଆ ସିଭିଲ ଏନକ୍ଲେଭର ମଧ୍ୟ ବିକାଶ ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତି କରାଯାଉଛି। ଆଗାମୀ ପାଞ୍ଚ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରକଳ୍ପରେ ତାମିଲନାଡୁର ତଞ୍ଜାବୁର, ପଶ୍ଚିମବଙ୍ଗର ହାସୀମାରା ଏବଂ ଲାଦାଖର ଥୋଇସ ସହ ଅନ୍ୟ ପ୍ରକଳ୍ପ ସାମିଲ ରହିଛି।
ମ୍ୟାନେଜମେଣ୍ଟ ପରିଚାଳନା ପରାମର୍ଶଦାତା ସଂସ୍ଥା ପ୍ରାଇମସ ପାର୍ଟନର୍ସର ଭାଇସ ପ୍ରେସିଡେଣ୍ଟ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ କହିଛନ୍ତି, ଏହି ପ୍ରକଳ୍ପ ଫଳରେ ବର୍ତ୍ତମାନ କମ୍ ସେବା ଏବଂ ସୁବିଧା ମିଳୁଥିବା ସହରରୁ ବିମାନ ଯାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିପାରେ। ଏସବୁ ଅଞ୍ଚଳରେ ନୂଆ ଉଦ୍ୟୋଗ, ଭିତ୍ତିଭୂମି ଏବଂ ସେବାର ବିକାଶ ହେବ। ଦେଶ ଏବଂ ଦୁନିଆର ଅନ୍ୟ ସ୍ଥାନକୁ ଯୋଗାଯୋଗର ଆବଶ୍ୟକତା ମଧ୍ୟ ବଢ଼ିବ।
ଭାରତରେ ବିଗତ କିଛି ବର୍ଷରେ ଘରୋଇ ଉଡ଼ାଣରେ ବୃଦ୍ଧି ଦେଖିବାକୁ ମିଳିଛି। ବିମାନ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨ ସୁଦ୍ଧା ଘରୋଇ ବିମାନ କ୍ଷେତ୍ରରେ ଉଡ଼ାଣରେ ଯାତ୍ରୀଙ୍କ ସଂଖ୍ୟା ୪ ଲକ୍ଷ ୭୭ ହଜାର ୫୫୪ ଛୁଇଁଛି । ଯାହାକି ଚଳିତ ବର୍ଷ ଏପ୍ରିଲ ୨୧ରେ ରେକର୍ଡ ହୋଇଥିବା ୪,୭୦,୦୫୧ ପାସେଞ୍ଜର ବିମାନ ଯାତ୍ରୀଙ୍କ ଠାରୁ ୧.୫ ପ୍ରତିଶତ ଅଧିକ । ଆହୁରି ମଧ୍ୟ ୨୦୪୭ ସୁଦ୍ଧା ବାର୍ଷିକ ଯାତ୍ରୀଙ୍କ ସଂଖ୍ୟା ୮ ଗୁଣା ବଢ଼ି ବର୍ତ୍ତମାନରେ ଥିବା ୩୭୬ ମିଲିୟନରୁ ୩ ରୁ ୩.୫ ବିଲିୟନ ହେବା ନେଇ ଅନୁମାନ କରାଯାଉଛି। ଏପରି ହେଲେ ଅନ୍ତର୍ଜାତୀୟ ଟ୍ରାଫିକ ସଂଖ୍ୟା ୧୦-୧୨ ପ୍ରତିଶତ ବଢ଼ିପାରେ।
କେବଳ ସେତିକି ନୁହେଁ, ଆଗାମୀ ସମୟରେ ମଧ୍ୟବିତ୍ତଙ୍କ ଆୟ ବଢ଼ିବା ସହିତ ସେମାନେ ମଧ୍ୟ ଟ୍ରେନ୍ ଓ ବସ୍ ସେବା ଛାଡ଼ି ବିମାନ ଯାତ୍ରା ଆପଣଇବେ। କାରଣ ୨୦୪୭ ସୁଦ୍ଧା ମଧ୍ୟବିତ୍ତଙ୍କ ଆୟ ୫୦ ଲକ୍ଷରେ ପହଞ୍ଚିଥିବ। ଏଣୁ ଆଗକୁ ବିମାନ ଉଡ଼ାଣର ଚାହିଦା ବଢ଼ିବା ନେଇ ଅନୁମାନ କରାଯାଉଛି। ତେଣୁ ବୃହତର ଦୃଷ୍ଟି ରଖି ବିମାନବନ୍ଦର ବିକାଶ ଓ ନିର୍ମାଣ ପ୍ରକଳ୍ପ ହାତକୁ ନିଆଯାଉଛି।
ତେବେ କେବଳ ଯାତ୍ରୀ ପରିବହନ ଦିଗରେ ବିମାନ ସେବାକୁ ବିକଶିତ କରାଯିବ ତାହା ନୁହେଁ। ଇ-କମର୍ସ ସେବାର ବୃଦ୍ଧି କାରଣରୁ ଆଗକୁ କାର୍ଗୋ ବିମାନ ସେବା ମଧ୍ୟ ବଢ଼ିବ। ପୁଣି ଭାରତ ଏହାର ମୁଖ୍ୟ ବିମାନ ବନ୍ଦରଗୁଡ଼ିକୁ ଅନ୍ତର୍ଜାତୀୟ ହବ୍ କରିବା ପାଇଁ ମଧ୍ୟ ଚେଷ୍ଟା ଜାରି ରଖିଛି। ତେଣୁ ଏଦିଗକୁ ମଧ୍ୟ ଧ୍ୟାନ ଦିଆଯାଉଛି। ପୂର୍ବରୁ ୨୦୧୪ରେ ମଧ୍ୟ ସରକାର ଟିୟର ୨ ଏବଂ ଟିୟର ୩ ସହର ବା ୨୦ ହଜାରରରୁ ୧ ଲକ୍ଷ ଲୋକ ଥିବା ସହରରେ ‘ଉଡେ ଦେଶକେ ଆମ୍ ନାଗରିକ୍’ ବା ଉଡାନ ଯୋଜନା ଆଣିଥିଲେ। ଏଥିରେ ବିଭିନ୍ନ ଛୋଟ ଏୟାରପୋର୍ଟର ବିକାଶ ହୋଇଛି। ବିମାନବନ୍ଦର ସଂଖ୍ୟା ବଢ଼ିଛି। ବର୍ତ୍ତମାନ ଭାରତରେ ୧୩୧ ଏୟାରପୋର୍ଟ ପରିଚାଳନା ହେଉଛି, ଏଥିରେ ଅନ୍ତର୍ଜାତୀୟ, ଘରୋଇ ଏବଂ କଷ୍ଟମ ଏୟାରପୋର୍ଟ ରହିଛି।