ଦେଶ- ବିଦେଶ

ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାକୁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଥିବାବେଳେ ଆଗାମୀ ଶୀତ ଋତୁରେ ଏହା ଅଧିକ ସାଙ୍ଘାତିକ ହେବାର ଆଶଙ୍କା ରହିଛି। ବିଶେଷ କରି କୋଠାବାଡ଼ି, ରାସ୍ତାଘାଟ ନିର୍ମାଣ ସମୟରେ ବାହାରୁଥିବା ଧୂଳି ବାୟୁମଣ୍ଡଳରେ ମିଶିବା ଫଳରେ ପ୍ରଦୂଷଣ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ମାଣାଧୀନ ପ୍ରକଳ୍ପ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି ଦିଲ୍ଲୀ ସରକାର।

ଦିଲ୍ଲୀ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଭିନ୍ନ ସ୍ଥାନରେ ଚାଲିଥିବା ଘରବାଡ଼ି, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ସମୟରେ ଯେଉଁ ଧୂଳି ବାହାରୁଛି ତାହା ବାୟୁ ପ୍ରଦୂଷଣକୁ ବଢ଼ାଇ ଦେଉଛି। ଶୀତ ଋତୁରେ ଏହି ସମସ୍ୟା ବଢ଼ିବାର ଆଶଙ୍କା ରହିଥିବାରୁ ନିର୍ମାଣାଧୀନ ପ୍ରକଳ୍ପ ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି।
ନିର୍ମାଣସ୍ଥଳଗୁଡ଼ିକୁ ଟିଣ ଚାଦରରେ ଢାଙ୍କି ରଖିବାକୁ ନିର୍ଦେଶ ଦିଆଯାଇଛି ଯାହାଫଳରେ ଧୂଳି ବାୟୁମଣ୍ଡଳରେ ମିଶି ପାରିବ ନାହିଁ। ସେହିପରି ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକର ଟାୟାର ଯେପରି ସର୍ବଦା ପରିଷ୍କାର ରହେ ଏବଂ ସେଥିରେ କୌଣସି ପ୍ରକାର ବାଲି ଗୋଡ଼ି ଲାଗି ନ ରହିବ ତାହା ନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଛି। ବାଲି, ଗୋଡ଼ି ପରିବହନ ସମୟରେ ସେଗୁଡ଼ିକୁ ଢାଙ୍କି ରଖିବାକୁ ଗାଡ଼ି ଚାଳକଙ୍କୁ ନିର୍ଦେଶ ରହିଛି। ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ମାସ୍କ ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେବାକୁ କୁହାଯାଇଛି। ଏହି ନିର୍ଦେଶନାମା ଅକ୍ଟୋବର ୭ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାକୁ ଯିଏ ଅମାନ୍ୟ କରିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦେଶନାମା ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରିବାକୁ ଦିଲ୍ଲୀ ସରକାର ୫୨୩ଟି ଦଳ ଗଠନ କରିଥିବା ସେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button