ରାଜ୍ୟ

ରାଜ୍ୟ କଂଗ୍ରେସ, ବିଜେଡି ଓ ବିଜେପିରେ ନୂଆ ନେତୃତ୍ୱ ସୃଷ୍ଟି ପାଇଁ ସୁଯୋଗ

ଡ଼ିଶାରେ ଗତ ୨୪ ବର୍ଷ କାଳ ଜନସାଧାରଣ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିପୁଳ ସମର୍ଥନ ପ୍ରଦାନ କରିବା ପଛରେ ଗୋଟିଏ ମୁଖ୍ୟ କାରଣ ଥିଲା ଯେ ଜନ ସାଧାରଣଙ୍କ ପାଖରେ କୌଣସି ବିକଳ୍ପ ନେତୃତ୍ୱ ମିଳୁନଥିଲା। କଂଗ୍ରେସ ଦଳ ୨୦୦୦ ମସିହାରେ କ୍ଷମତାଚ୍ୟୁତ ହେବା ପରଠାରୁ ଓ ବିଶେଷ ଭାବରେ ଜାନକୀ ବଲ୍ଲଭ ପଟ୍ଟନାୟକ ନେତୃତ୍ୱରୁ ଅପସରି ଯିବା ପରେ କଂଗ୍ରେସ ଭିତରେ ସାଧାରଣରେ ବିଶ୍ୱାସ ସୃଷ୍ଟି କଲା ଭଳି କୌଣସି ନେତୃତ୍ୱ ସୃଷ୍ଟି ହୋଇପାରିଲା ନାହିଁ।

ବରଂ ପ୍ରତ୍ୟେକ ନିର୍ବାଚନରେ ଏହା ଥରକୁ ଥର ପଦାକୁ ଆସିଲା ଯେ କଂଗ୍ରେସ ଦଳର ନେତାମାନେ କେବଳ ଗୋଷ୍ଠୀ ବିବାଦରେ ଲିପ୍ତ। ଜନ ସାଧାରଣଙ୍କ ଆସ୍ଥା ପାଇଁ ନୀତି ଭିତ୍ତିକ କାର୍ଯ୍ୟକ୍ରମ ଓ ଲୋକମାନଙ୍କ ପାଖକୁ ଯିବା କଥାକୁ ପଛକୁ ପକାଇ ସେମାନେ ଦିଲ୍ଲୀର କେନ୍ଦ୍ରୀୟ ନେତୃତ୍ୱ ସହାୟତାରେ କିପରି ରାଜ୍ୟ ସଂଗଠନର ମୁଖିଆ ହୋଇଯିବେ ସେଥିପାଇଁ ବାରମ୍ବାର କେବଳ ଦିଲ୍ଲୀ ଗସ୍ତରେ ବ୍ୟସ୍ତ ରହିଲେ। ଏପରିକି କେନ୍ଦ୍ରରେ ୧୦ ବର୍ଷ କାଳ ୟୁପିଏ ସରକାର ସମୟରେ କଂଗ୍ରେସର ରାଜ୍ୟରେ ଯେଉଁ ଅଭିବୃଦ୍ଧି ହେବା କଥା ତାହା ହେଲା ନାହିଁ। ଏହାର ମୁଖ୍ୟ କାରଣ ହେଲା ଯେ ରାଜ୍ୟ କଂଗ୍ରେସରେ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟାକୁ ଠିକ୍ ଭାବରେ ଉପସ୍ଥାପିତ କରି ସେହିସବୁ ସମସ୍ୟା ଉପରେ ଲଢ଼ିବା କାର୍ଯ୍ୟକୁ କଂଗ୍ରେସ ଦଳ ପୂରାପୂରି ଭୁଲି ଯାଇଥିଲା। ସେମାନଙ୍କ ବିଶ୍ୱାସ ଥିଲା ଯେ ପୂର୍ବରୁ ଯେପରି ରାଜ୍ୟରେ କଂଗ୍ରେସ ନେତୃତ୍ୱ ଦିଲ୍ଲୀ ନେତୃତ୍ୱର ଅନୁକମ୍ପା ଓ ସମର୍ଥନ ଭିତ୍ତିରେ ସୃଷ୍ଟି ହୋଇଥିଲା ସେମାନେ ମଧ୍ୟ ସେହିଭଳି ଭାବରେ ଥରେ ରାଜ୍ୟରେ କଂଗ୍ରେସ ମୁଖିଆ ହୋଇଗଲେ ସେହି କାର୍ଯ୍ୟ କରିପାରିବେ।

ସେମାନେ ଦୁଇଟି କଥା ଭୁଲି ଯାଇଥିଲେ। ପ୍ରଥମ ଅବସ୍ଥାରେ ଜବାହରଲାଲ ନେହରୁ ଓ ଦ୍ୱିତୀୟ ଅବସ୍ଥାରେ ଇନ୍ଦିରା ଗାନ୍ଧି ଦେଶର ଜନମାନସ ଉପରେ ଏତେ ବଡ଼ ପ୍ରଭାବ ପକାଇଥିଲେ ଯେ ସେମାନଙ୍କ ଅନୁକମ୍ପାରେ ବା ସମର୍ଥନରେ ଯିଏ କେହି ଆପେ ଆପେ ନେତା ହୋଇଯାଉଥିଲେ। କିନ୍ତୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱର ଆକର୍ଷଣ ଦ୍ରୁତଗତିରେ କମିବା ପରେ କେବଳ ସେହି ରାଜ୍ୟମାନଙ୍କରେ କଂଗ୍ରେସ ଦଳ ତିଷ୍ଟି ରହିଲା ଯେଉଁଠାରେ ସେହି ରାଜ୍ୟମାନଙ୍କରେ ନିଜସ୍ୱ ନେତୃତ୍ୱ ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାରେ ତାହା ହେଲା ନାହିଁ। ଫଳରେ କଂଗ୍ରେସ ଦଳ ରାଜ୍ୟରେ କ୍ରମାଗତ ଭାବରେ ଏହାର ଭୋଟ ହାର କମାଇ ଗତ ଦୁଇଟି ନିର୍ବାଚନରେ ରାଜ୍ୟରେ ତୃତୀୟ ଦଳରେ ପରିଣତ ହୋଇଛି। ଏପରିକି ଭୋଟ ହାର ଶତକଡ଼ା ୧୩ ଭାଗକୁ କମିଯାଇଛି। କିନ୍ତୁ ଏହି ଅବସ୍ଥାରେ ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ୱ ରାହୁଲ ଗାନ୍ଧିଙ୍କ ଦ୍ୱାରା ଏକ ନୂଆ ଦିଗ ପାଇଁ ହଠାତ୍ ଆକର୍ଷିତ ହେବାରେ ଲାଗିଛି। ଦୀର୍ଘ ୧୦ ବର୍ଷ ପରେ କଂଗ୍ରେସ ଦଳ ଲୋକସଭାରେ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ହେବା ପାଇଁ ସମର୍ଥନ ହାସଲ କରିଛି ଓ ଖୋଦ୍ ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତ ହୋଇଛନ୍ତି। କେବଳ ଏତିକି ନୁହେଁ, ଇଣ୍ଡିଆ ମେଂଟ ନାଁରେ କଂଗ୍ରେସ ଉଦ୍ୟମରେ ଯେଉଁ ବିରୋଧୀ ବିକଳ୍ପ ସୃଷ୍ଟି ହୋଇଛି ତା’ର ଶକ୍ତି ମଧ୍ୟ ଗତ ନିର୍ବାଚନରେ ବଢ଼ିଛି। ସେହି ଦୃଷ୍ଟିରୁ ଓଡ଼ିଶାରେ ବହୁବର୍ଷ ପରେ କଂଗ୍ରେସ ଭିତରେ ଏକ ନୂଆ ନେତୃତ୍ୱ ପାଇଁ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱର ଏବେ ବି ଓଡ଼ିଶା ଉପରେ ଭରସା ନଥିବାରୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସମେତ ଜିଲ୍ଲା ଓ ବ୍ଲକ କମିଟିଗୁଡ଼ିକୁ ଭାଙ୍ଗି ଦେଇ ଏକ ଷ୍ଟିଅରିଂ କମିଟି ଦଳର ରାଜ୍ୟରେ ପ୍ରଭାରି ହୋଇଥିବା ଅଜୟ କୁମାରଙ୍କ ନେତୃତ୍ୱରେ ଗଠନ କରିଛି। କିନ୍ତୁ ଏହା ସାମୟିକ। ରାଜ୍ୟ ନେତୃତ୍ୱ ସୃଷ୍ଟି ପାଇଁ ଏହା ଏକ ବିକଳ୍ପ ନୁହେଁ।

ରାଜ୍ୟରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହେଲା ପରେ ନବୀନ ପଟ୍ଟନାୟକ ନେତୃତ୍ୱ ବାସ୍ତବରେ କେତେ ଫମ୍ପା ତାହା ଧୀରେ ଧୀରେ ପଦାକୁ ଆସୁଛି। ବିଜୁ ପଟ୍ଟନାୟକଙ୍କ ପୁତ୍ର ଭାବରେ ତାଙ୍କର ଅବର୍ତ୍ତମାନରେ ରାଜ୍ୟକୁ ଆସି ସେ ବିଜୁ ଜନତା ଦଳ ଜରିଆରେ ଯେଉଁ କ୍ଷମତା ପାଇଥିଲେ ସେଥିପାଇଁ ସେ କେବେ କୌଣସି ଠାରେ ଲୋକମାନଙ୍କ ପାଖକୁ ଯାଇ ନିଜକୁ ରାଜନୀତିରେ ପ୍ରତିଷ୍ଠିତ କରିନଥିଲେ। ବାସ୍ତବିକ ଓଡ଼ିଶା ତାଙ୍କ ପାଇଁ ଏକ ପ୍ରକାର ଅଜଣା ମୁଲକ ଭାବରେ ସେ ଏକ ବଡ଼ କ୍ଷମତାର ଅଧିକାରୀ ହୋଇଥିଲେ। କିନ୍ତୁ ଓଡ଼ିଶାର ଜନସାଧାରଣ ଗତ କେତେ ବର୍ଷ ଧରି ରାଜ୍ୟରେ ଯେଉଁ ଧରଣର ଶାସନ ବ୍ୟବସ୍ଥା ଦେଖୁଥିଲେ ସେଥିରେ ରାଜନୀତିରେ ନଥିବା ଜଣେ ବ୍ୟକ୍ତି ଯିଏ କି ରାଜ୍ୟର ନେତୃମଣ୍ଡଳି ଭିତରେ ବହୁବର୍ଷ ଧରି ଶୀର୍ଷ ସ୍ଥାନରେ ଥିଲେ ତାଙ୍କର ପୁଅ ହୋଇଥିବାରୁ ଜନସାଧାରଣ ତାଙ୍କ ବିଷୟରେ କୌଣସି ବିଶେଷ ପ୍ରଶ୍ନ ନକରି ତାଙ୍କୁ ଗ୍ରହଣ କରିନେଲେ। ଫଳରେ ନବୀନ ପଟ୍ଟନାୟକ ଏକ କ୍ଷମତା ଆଧାରିତ ବ୍ୟବସ୍ଥା ଉପରେ ନିଜର ନେତୃତ୍ୱକୁ ଜାହିର କରିପାରିଲେ। ହେଲେ ବିଜୁ ଜନତା ଦଳକୁ କ୍ରମାଗତ ଭାବରେ ବିଭିନ୍ନ ସ୍ତରରେ ନେତୃତ୍ୱ ଶୂନ୍ୟ କରି ରଖି ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ରଖିବା ଲକ୍ଷ୍ୟରେ ସେ ଯାହାସବୁ କରିଗଲେ ତା’ର ପରିଣତି ସ୍ୱରୂପ ଗତ ନିର୍ବାଚନରେ ଦଳର ବିପୁଳ ସାଂଗଠନିକ ଶକ୍ତି ସତ୍ତ୍ୱେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ନିର୍ବାଚନରେ ପରାଜିତ ହେବା ପରେ ଏ ପର୍ଯ୍ୟନ୍ତ ଏହି ନିର୍ବାଚନ ପରାଜୟ ପାଇଁ ସେ ନିଜ ନେତୃତ୍ୱକୁ ବା ତାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଅମଲାତାନ୍ତ୍ରିକ କ୍ଷମତାସୀନ ଗୋଷ୍ଠୀକୁ ଦାୟୀ ବୋଲି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ବିଜେଡି ଏପରି ଅବସ୍ଥାରେ ଅଛି ଯେ ଦଳରେ କୌଣସି ବିଧାୟକ ବା ନେତା ନାହାନ୍ତି ଯିଏ ସିଧାସଳଖ ଭାବରେ କହିପାରିବେ ଯେ ଦଳର ବିପର୍ଯ୍ୟୟ ପାଇଁ ତାଙ୍କ ନୀତି ଓ କାର୍ଯ୍ୟକ୍ରମ ହିଁ ମୁଖ୍ୟତଃ ଦାୟୀ।

ବିଜେଡି ବିଧାନସଭାରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ରହି ପ୍ରାୟ ୪୦ ଭାଗରୁ ଊର୍ଦ୍ଧ୍ୱ ଭୋଟ ପାଇବା ସତ୍ତ୍ୱେ ଦଳର ନେତୃତ୍ୱ ଶୂନ୍ୟତା ଅତି ସ୍ପଷ୍ଟ ଭାବରେ ଦେଖାଯାଉଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁ ନେତୃତ୍ୱ ଦ୍ୱାରା ଦଳ ପରାଜୟର ସମ୍ମୁଖୀନ ହେଲା ସେ ନେତୃତ୍ୱ ପ୍ରଥମେ ଖୋଲାଖୋଲି ଭାବରେ ବିପର୍ଯ୍ୟୟର କାରଣ ଅନୁସନ୍ଧାନ କରିବା ଅତି ଜରୁରୀ। କିନ୍ତୁ ନବୀନ ପଟ୍ଟନାୟକ ସମସ୍ତ ଦାୟିତ୍ୱ ସିଧାସଳଖ ତାଙ୍କ ମୁଣ୍ଡ ଉପରେ ପଡ଼ିବ ଜାଣି ଏହି କାର୍ଯ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ଏବେ ଦଳକୁ ବଞ୍ଚାଇ ରଖିବା ପାଇଁ ଯାହା କିଛି କରାଯାଉଛି ତାହା କେବଳ ଏକ ତାଳିପକା କାର୍ଯ୍ୟ। ଏହି କାର୍ଯ୍ୟ ଦ୍ୱାରା ଦଳ ସହିତ ଥିବା ୩୦ଟି ଯାକ ଜିଲ୍ଲା ପରିଷଦ, ଅଧିକାଂଶ ପଞ୍ଚାୟତ ସମିତି ଓ ପୌର ପରିଷଦର କର୍ମକର୍ତ୍ତାମାନେ ବର୍ତ୍ତମାନ ସମୟରେ ଲଢ଼ିବା ପାଇଁ କି ରଣକୌଶଳ ଆବଶ୍ୟକ ତାହା ସ୍ଥିର କରିପାରୁ ନାହାନ୍ତି। ଦଳ ଭିତରେ ସାମାନ୍ୟ ନେତୃତ୍ୱର କେଉଁଠାରେ ସ୍ଥିତି ଯଦି ରହିଥାନ୍ତା ତେବେ ସେମାନେ ସିଧାସଳଖ ଭାବରେ ଏ ସଂକ୍ରାନ୍ତରେ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିପାରିଥାନ୍ତେ। ଭୁଲର ସଂଶୋଧନ ହେଲା ପରି କୌଣସି ପ୍ରକୃତ କାର୍ଯ୍ୟ ନହେଲେ ବିଜେଡି ପରି ୨୪ ବର୍ଷ ଧରି କ୍ଷମତାରେ ରହିଥିବା ଦଳର ସ୍ଥିତି ଆଉ ଅବସ୍ଥାକୁ ରକ୍ଷା କରିବା ହୁଏତ ସମ୍ଭବ ହେବ ନାହିଁ। ଭିକେ ପାଣ୍ଡିଆନଙ୍କ ସହିତ ଥିବା ତାଙ୍କ ଅମଲାତନ୍ତ୍ରୀ ସହଯୋଗୀ କେବଳ ଶାସନ ପରିଚାଳନା କରୁନଥିଲେ, ବରଂ ବିଜୁ ଜନତା ଦଳକୁ ସବୁ ଭାବରେ ନିୟନ୍ତ୍ରଣ କରି ଯେପରି କାର୍ଯ୍ୟ କରୁଥିଲେ ତା’ ବିରୋଧରେ ଜନସାଧାରଣ ନିର୍ବାଚନରେ ମତ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ଭୟ କରି ଦଳ ଭିତରେ ଏ ନେଇ ଏବେ ବି ନିରବ ରହିବା ଦଳର ପ୍ରତିଦିନ କ୍ଷତିସାଧନ କରୁଛି। ଅପରପକ୍ଷରେ ଦଳ ଭିତରେ ନେତୃତ୍ୱର ବିକାଶ ଦିଗରେ ସମସ୍ତ ଉଦ୍ୟମକୁ ପୂର୍ବପରି କଣ୍ଠରୋଧ କରି ରଖାଯାଇଛି। ତଥାପି ବିଜେଡି ଭିତରେ କିଛି ଲୋକ ଏଥିପାଇଁ ସାହସ ସଞ୍ଚୟ କଲେ ଓଡ଼ିଶାରେ ବିଜେଡିକୁ କେନ୍ଦ୍ର କରି ନୂଆ ନେତୃତ୍ୱର ପରିପ୍ରକାଶ ସମ୍ଭାବନା ରହିଛି।

ରାଜ୍ୟରେ ନେତୃତ୍ୱ ସୃଷ୍ଟି ଦିଗରେ ବିଜେପି ଏକ ସାହସିକ ପଦକ୍ଷେପ ନେଇ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ କରିଛି। ଏଠାରେ ସ୍ପଷ୍ଟ ଭାବେ ସ୍ୱୀକାର କରିବାକୁ ପଡ଼ିବ ଯେ ଗତ ନିର୍ବାଚନରେ ରାଜ୍ୟରେ ନେତୃତ୍ୱ ଶୂନ୍ୟତା ଯୋଗୁ ପୂର୍ବ ନିର୍ବାଚନଗୁଡ଼ିକରେ ଯେପରି ଭାବରେ ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ହିଁ ଭରସା କରି ବିଜେଡିକୁ ବାରମ୍ବାର ଭୋଟ ଦେଉଥିଲେ ଏଥର ତା’ର ପରିବର୍ତ୍ତନ ହେଲା। ଜନସାଧାରଣଙ୍କ ଭିତରେ ରାଜ୍ୟ ନେତୃତ୍ୱ ଶୂନ୍ୟତା ସତ୍ତ୍ୱେ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ ନେତୃତ୍ୱ ଉପରେ ଜନସାଧାରଣ ଭରସା କଲେ। ଠିକ୍ ଯେଉଁକଥା ୨୦୦୦ ପର୍ଯ୍ୟନ୍ତ କେନ୍ଦ୍ରୀୟ କଂଗ୍ରେସ ନେତୃତ୍ୱର ଆକର୍ଷଣରେ ରାଜ୍ୟରେ କଂଗ୍ରେସ ଦଳର ଶାସନ ବିଭିନ୍ନ ସମୟରେ ହେଉଥିଲା।

ଏଥର ବିଜେପି କ୍ଷେତ୍ରରେ ଠିକ୍ ସେହି ଅବସ୍ଥା ହେଲା ପରେ କେନ୍ଦ୍ରୀୟ ନେତୃତ୍ୱ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ନୂଆ ନେତା ଭାବରେ ଅବସ୍ଥାପିତ କରିଛନ୍ତି। ଯଦିଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ମନ୍ତ୍ରୀ ରହିଥିବା ଓ କେନ୍ଦ୍ରୀୟ ସଂଗଠନରେ ଜଣେ ପ୍ରଭାବଶାଳୀ ନେତା ଭାବରେ ପ୍ରତିଷ୍ଠା ଲାଭ କରିଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଜେପିର ପ୍ରକୃତ ନେତା ବୋଲି ତାଙ୍କ ସମର୍ଥକମାନେ ବିଚାର କରୁଥିଲେ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାର ସାମାଜିକ ସ୍ଥିତି ଓ ଅବସ୍ଥାକୁ ଦେଖି ଆଦିବାସୀ ଗୋଷ୍ଠୀର ଜଣେ ନେତା ଯିଏ କି ବହୁବର୍ଷ ହେଲା ସଂଘ ପରିବାର ସହିତ ରହି ଆସିଛନ୍ତି ଓ ପୂର୍ବରୁ ୩ ଥର ବିଧାୟକ ହୋଇସାରିଥିଲେ ତାଙ୍କୁ ହିଁ ରାଜ୍ୟର ନେତା ଭାବରେ ମନୋନୀତ କରିଛନ୍ତି। ରାଜ୍ୟ ଲୋକସଂଖ୍ୟାର ୨୩ ଭାଗ ଆଦିବାସୀ ସଂପ୍ରଦାୟର ଓ ରାଜ୍ୟର ପ୍ରକୃତ ସଂପଦ ଖଣିଜ ସଂପଦ ହୋଇଥିବାରୁ ସେହି ଅଞ୍ଚଳର ଜଣେ ନେତା ଭାବରେ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ନୂଆ ନେତା ଭାବରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମନୋନୀତ କରି ଓଡ଼ିଶାରେ ନେତୃତ୍ୱ ଶୂନ୍ୟତାର ପରିବେଶକୁ ଅନେକ ପରିମାଣରେ ଦୂର କରିଦେଇଛନ୍ତି।

ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରଥମ ଦୁଇମାସ ଭିତରେ ଯେପରି କାର୍ଯ୍ୟ ଆରମ୍ଭ କରିଛି ସେଥିରେ ତାଙ୍କ ନେତୃତ୍ୱ ପ୍ରତିଷ୍ଠିତ ହେବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଯଦିଓ ବିଜେପି ଏକ ଜାତୀୟ ଦଳ ଏବଂ ବହୁ ବିଷୟରେ ନିଷ୍ପତ୍ତି ଜାତୀୟ ସ୍ତରରେ ପ୍ରସ୍ତୁତ ହେବ ତଥାପି ମୋହନ ଚରଣ ମାଝୀ ରାଜ୍ୟର ଜଣେ ଆକର୍ଷଣୀୟ ନେତା ଭାବରେ ପ୍ରତିଷ୍ଠିତ ହେବା ପାଇଁ ସମସ୍ତ ପରିବେଶ ଏବେ ରହିଛି। ବିଶେଷ ଭାବରେ ଏହି ସରକାର ଧାନଚାଷୀଙ୍କୁ କ୍ୱିଂଟାଲ ୩୧୦୦ ଟଙ୍କାରେ ଧାନ ସଂଗ୍ରହ ପାଇଁ କାର୍ଯ୍ୟ ଆରମ୍ଭ କରିବା ସହିତ ସୁଭଦ୍ରା ଯୋଜନା ନାମରେ ପ୍ରାୟ ୧ କୋଟି ମହିଳାମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା ଘୋଷଣା କରାଯାଇଛି ସେଥିରେ ସରକାର ପ୍ରତି ସମର୍ଥନ ନିଶ୍ଚିତ ବଢ଼ିବ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ ନେତୃତ୍ୱ ଶୂନ୍ୟତା ଅଭାବକୁ ଦୃଷ୍ଟିରେ ରଖି ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ସବୁ କ୍ଷେତ୍ରରେ ପ୍ରତିଷ୍ଠା ପାଇଁ କେତେ ଅଧିକ ସୁଯୋଗ ଓ ପରିବେଶ ପ୍ରଦାନ କରିବ ତାହା ଉପରେ ତାଙ୍କ ନେତୃତ୍ୱର ପ୍ରତିଷ୍ଠା ନିର୍ଭର କରିବ। କଂଗ୍ରେସର ସାମାଜିକ ନ୍ୟାୟ ଦିଗରେ ଚଳାଇଥିବା ଅଭିଯାନରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ପ୍ରତିଷ୍ଠା ହେଲେ କଂଗ୍ରେସ ପାଇଁ ସେହି ପରିମାଣରେ ରାଜ୍ୟରେ ଅଡୁଆ ସୃଷ୍ଟି ହେବ।

ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button