ରାଜ୍ୟ

ଅଚଳ ଉଠା ଜଳସେଚନ ଶତାଧିକ ପ୍ରକଳ୍ପ ଅକାମୀ: ୭୦ ନୂଆ ପ୍ରକଳ୍ପରୁ ସରିଛି ମାତ୍ର ୬

ନୁଗୁଳ: ଫେରିବାକୁ ବସିଲାଣି ମୌସୁମୀ। ଆଉ ଲଗାଣ ବର୍ଷା ହେବାର ସମ୍ଭାବନା କମ୍। କେବଳ ଲଘୁଚାପ ବଳରେ ବଡ଼ ବର୍ଷା ହୋଇପାରେ। ଏଣୁ ଚାଷ ପାଇଁ ଏବେ ଜଳସେଚନ ଏକମାତ୍ର ଭରସା। ତେବେ ଜିଲ୍ଲାର ଶତାଧିକ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବାରୁ ଏହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଲାଣି।

ସରକାରୀ ତଥ୍ୟ ଅନୁସାରେ, ଅନୁଗୁଳ ଜିଲ୍ଲାରେ ସମୁଦାୟ ୧୧୫୬ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି।

ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ୨୭,୩୬୬ ହେକ୍ଟର ଜମିରେ ପାଣି ମାଡ଼ିବାର ଯୋଜନା ରହିଛି। ହେଲେ ଏହି ପ୍ରକଳ୍ପ ଭିତରୁ ଏବେ ୧୪୧ଟି ଅଚଳ ହୋଇ ପଡ଼ିଛି। ଅନୁଗୁଳ ବ୍ଲକ୍ରେ ସର୍ବାଧିକ ୩୦ଟି ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇଥିଲା ବେଳେ କିଶୋରନଗର ବ୍ଲକ୍ରେ ସର୍ବନିମ୍ନ ୭ଟି ପ୍ରକଳ୍ପ ଅଚଳ ହୋଇଛି। ଛେଣ୍ଡିପଦା ବ୍ଲକ୍ରେ ୧୨ଟି, ବଅଁରପାଳ ବ୍ଲକ୍ରେ ୧୪ଟି, ଆଠମଲ୍ଲିକ ବ୍ଲକ୍ରେ ୧୮ଟି, ତାଳଚେର ବ୍ଲକ୍ରେ ୨୧ଟି, କଣିହାଁ ବ୍ଲକ୍ରେ ୨୬ଟି ଓ ପାଳଲହଡ଼ା ବ୍ଳକ୍ରେ ୧୩ଟି ଜଳ ସେଚନ ପ୍ରକଳ୍ପ ଖରାପ ହୋଇଗଲାଣି।

ଏମିତି ୧୪୧ଟି ପ୍ରକଳ୍ପ ଅଚଳ ହେବା ଦ୍ବାରା ଜଳସେଚନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୩୮୦୬ ହେକ୍ଟର ଜମି ପାଣି ପାଉନି। କଣିହାଁରେ ୭୪୦ ହେକ୍ଟର ଜମି ଶୁଖିଲା ପଡ଼ୁଥିଲା ବେଳେ ଅନୁଗୁଳରେ ୭୧୬ ଓ ଆଠମଲ୍ଲିକରେ ୫୫୬ ହେକ୍ଟର ଜମିକୁ ପାଣି ପହଞ୍ଚି ପାରୁନି। ଏଥିପାଇଁ ଏହି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଏକ ପ୍ରକାର ନିଶ୍ଚିତ। ବିଭିନ୍ନ କାରଣ ପାଇଁ ଏହି ପ୍ରକଳ୍ପଗୁଡ଼ିକ ଅଚଳ ହୋଇଥିଲେ ମଧ୍ୟ ଏହାକୁ ପୁନରୁଦ୍ଧାର କରିବା ପାଇଁ ବିଶେଷ ଉଦ୍ୟମ କରାଯାଉନି। ବିଭାଗ ପକ୍ଷରୁ ସରକାରଙ୍କୁ ମାତ୍ର ୮ଟି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିରେ ବଅଁରପାଳ, କିଶୋରନଗର ଓ ପାଳଲହଡ଼ାର ୨ଟି ପ୍ରକଳ୍ପ ରହିଥିଲା ବେଳେ ଅନୁଗୁଳ ଓ ଆଠମଲ୍ଲିକ ବ୍ଲକ୍ର ଗୋଟିଏ ଲେଖାଏଁ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ପୁନରୁଦ୍ଧାର ହେଲେ ୨୧୮ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏପଟେ ୫୧ଟି ପ୍ରକଳ୍ପର ସୁଦୃଢ଼ୀକରଣ ପାଇଁ ପ୍ରସ୍ତାବ ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୧୨୬୪ ହେକ୍ଟର ଜମିକୁ ପାଣି ମାଡ଼ିବ।

ଅନୁଗୁଳ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଦୁର୍ବଳ ଥିବାରୁ ଏଠାରେ ବିଶେଷକରି ଉଠା ଜଳସେଚନ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିଥାଏ। ନଦୀ, ନାଳ ନ ଥିବା ଅଞ୍ଚଳରେ ଏହି ଉଠା ଜଳସେଚନ ହିଁ ଚାଷୀଙ୍କୁ ସାହା ହୋଇଥାଏ। ଏଥିପାଇଁ ଆଉ ୭୦ଟି ନୂତନ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ହାତକୁ ନିଆଯାଇଛି। ଗୋଟିଏ ପ୍ରକଳ୍ପରୁ ପ୍ରାୟ ୨୦ ହେକ୍ଟର ଜମିକୁ ପାଣି ମାଡ଼ି ପାରିବ। ଏମିତି ୧୪୦୦ ହେକ୍ଟର ଜମି ଜଳସେଚିତ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ତେବେ ହାତକୁ ନିଆଯାଇଥିବା ଏହି ୭୦ଟି ପ୍ରକଳ୍ପରୁ ମାତ୍ର ୬ଟି କାମ ସରିଛି। ବାକି ପ୍ରକଳ୍ପ ମନ୍ଥର ଗତିରେ ଚାଲିଥିବାରୁ ଚାଷୀ ଆକାଶକୁ ଅନାଇ ବସିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button