ଖେଳ ଖବର

ତାରକାଙ୍କ ଶେଷ ବିଶ୍ବକପ୍‌ – Kalinga News

[ad_1]


ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ଶେଷ ହେବାର ୭ ମାସ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମିଳିତ ଭାବେ ଏହି ପ୍ରତିଯୋଗିତାକୁ ଆୟୋଜନ କରୁଛନ୍ତି। ବିଭିନ୍ନ ଦଳର ବଡ଼ବଡ଼ ତାରକା ଖେଳାଳିମାନେ ଏହି ବିଶ୍ବକପ୍‌ରେ ଖେଳିବାକୁ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ସମ୍ଭବତଃ ଶେଷ ଥର ପାଇଁ ଏହି ଫର୍ମାଟ୍‌ର ବିଶ୍ବକପ୍‌ରେ ଖେଳିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ଏହି ବିଶ୍ବକପ୍‌କୁ ତାଙ୍କର ଶେଷ ଆବିର୍ଭାବ ହେବାକୁ ଯାଉଥିବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି। ପୂର୍ବରୁ ଦିନିକିଆ ଓ ଟେଷ୍ଟ୍‌ କ୍ରିକେଟ୍‌ରୁ ମଧ୍ୟ ସେ ଅବସର ନେଇସାରିଛନ୍ତି।
କୋହଲି ଓ ରୋହିତ ବର୍ତ୍ତମାନ ପିଢ଼ିର କ୍ରିକେଟର୍‌ଙ୍କ ମଧ୍ୟରେ ଏହି ଦୁଇ ଭାରତୀୟ ଯୋଡ଼ି ସବୁଠୁ ବଡ଼ ଓ ଲୋକପ୍ରିୟ ଖେଳାଳି ଭାବେ ପରିଚିତ ଅଛନ୍ତି। ୨୦୨୨ ବିଶ୍ବକପ୍‌ ପରେ ଏମାନେ ଆଉ ଟ୍ବେଣ୍ଟି-୨୦ ଦଳକୁ ଫେରିବେନି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଚଳିତ ବିଶ୍ବକପ୍‌ ଆରମ୍ଭ ହେବାର କିଛି ମାସ ପୂର୍ବରୁ ଏମାନଙ୍କ ନାଁ ପୁଣି ଥରେ ଭାରତୀୟ ଦଳରେ ରହିଛି। ବର୍ଷେରୁ ଅଧିକ ସମୟ ଧରି ଏହି ଦୁଇ ଜଣ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳି ନାହାନ୍ତି। କିନ୍ତୁ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ଦେବା ପରେ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି। ଜୁନ୍‌ ୫ ତାରିଖରେ ନ୍ୟୁୟର୍କରେ ଯେତେବେଳେ ରୋହିତ ପଡ଼ିଆକୁ ଓହ୍ଲାଇବେ, ସେ ସମସ୍ତ ସଂସ୍କରଣରେ ଖେଳିଥିବା ବିରଳ ଖେଳାଳି ହୋଇଯିବେ। ତାଙ୍କ ବ୍ୟତୀତ ବାଂଲାଦେଶର ସକିବ ଅଲ୍‌ ହାସନ୍‌ ମଧ୍ୟ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ରୋହିତଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଯିବେ।

ବୋଲ୍ଟ ଓ ୱିଲିୟମସନ୍‌
ନ୍ୟୁଜିଲାଣ୍ଡ ଦଳରେ ଟ୍ରେଣ୍ଟ ବୋଲ୍ଟ ଜଣେ ଫ୍ରିଲାନ୍ସର ଖେଳାଳିର ମାନ୍ୟତା ପାଇଗଲେଣି। ୩୪ ବର୍ଷୀୟ ବୋଲ୍ଟ ଜାତୀୟ ଦଳ ସହିତ ବର୍ଷ ତମାମ୍‌ ଖେଳିପାରିବେନି ବୋଲି ପୂର୍ବରୁ କହିସାରିଛନ୍ତି। କେବଳ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ସେ ଖେଳିବାକୁ ଚାହୁଛନ୍ତି। ଏଥିପାଇଁ ତାଙ୍କୁ ପୁଣି ଥରେ ବିଶ୍ବକପ୍‌ ଦଳରେ ଦେଖିବାକୁ ମିଳିଛି। ଏହାପୂର୍ବରୁ ଆଇପିଏଲ୍‌ରେ ସେ ୧୬ ମ୍ୟାଚ୍‌ରୁ ୧୬ ୱିକେଟ୍‌ ନେଇ ପ୍ରସ୍ତୁତ ହୋଇଛନ୍ତି। ତେଣୁ ବର୍ତ୍ତମାନର ତାଙ୍କ କ୍ରିକେଟ୍‌ କାର୍ଯ୍ୟକଳାପକୁ ଦେଖି ପରବର୍ତ୍ତୀ ବିଶ୍ବକପ୍‌ ସଂସ୍କରଣ ବେଳକୁ ସେ ଜାତୀୟ ଦଳରେ ଖେଳିବା ଅପେକ୍ଷା ପରିବାରକୁ ଅଧିକ ସମୟ ଦେବା ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ସେହିପରି ନ୍ୟୁଜିଲାଣ୍ଡ ବ୍ୟାଟର୍‌ ୩୨ ବର୍ଷୀୟ କେନ୍‌ ୱିଲିୟମସନ୍‌ ଚଳିତ ବିଶ୍ବକପ୍‌ ଦଳର ଭେଟେରାନ ଖେଳାଳିଙ୍କ ମଧ୍ୟରେ ବୟସ ଦୃ୍ଷ୍ଟିରୁ ସାନ। କିନ୍ତୁ ତାଙ୍କ ଫିଟ୍‌ନେସ୍‌ ସମସ୍ୟା, ଆଉ ଗୋଟିଏ ସଂସ୍କରଣ ଖେଳିବାକୁ ସୁଯୋଗ ଦେଇ ନପାରେ। ୱିଲିୟମସନ୍‌ ଲମ୍ବା ଫର୍ମାଟ୍‌ ପାଇଁ ଉପଯୁକ୍ତ। ତେଣୁ ଟ୍ବେଣ୍ଟି-୨୦ ଛାଡ଼ି ଟେଷ୍ଟ୍‌ କିମ୍ବା ଦିନିକଆ କ୍ରିକେଟ୍‌ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଏପରିକି ଏସବୁ ଫର୍ମାଟ୍‌ ତାଙ୍କୁ ଅଧିକ ସୁହାଉଥିବା ମଧ୍ୟ ଅନେକ ବିଶେଷଜ୍ଞମାନେ କହିଛନ୍ତି।

ଆମେ ୨୦୦୭ ଉଦ୍‌ଘାଟନୀ ସଂସ୍କରଣରେ ବିଶ୍ବକପ୍‌ ଜିତିଥିଲୁ। ଏହାପରଠୁ ଆମେ ଫାଇନାଲ୍‌କୁ ତ ଯାଇଛୁ, କିନ୍ତୁ ଜିତିପାରି ନାହୁଁ। ତେଣୁ ଏଠାରେ କପ୍‌ ଜିତିବାକୁ ଆମ ପାଖରେ ବହୁତ ଭଲ ସୁଯୋଗ ରହିଥବିା ମୁଁ ଭାବୁଛି।
-ରୋହିତ ଶର୍ମା, ଅଧିନାୟକ
ଭାରତ ଯେଉଁଠାରେ ବି ଖେଳୁ, ସବୁବେଳେ ଆମ ଉପରେ ପ୍ରଶଂସକଙ୍କ ଆଶା ରହିଥାଏ। ଆମ ଦେଶରେ କ୍ରିକେଟ୍‌କୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ଏହା ଆମର ଶକ୍ତି। ଯଦି ଆମେ ଏହାପ୍ରତି ସବୁବେଳେ ଅଧିକ ଧ୍ୟାନ ଦେବୁ, ଏହାର ଆମର ଦୁର୍ବଳତା ପାଲଟିଯିବ। ତେଣୁ ଏହାକୁ କେବଳ ଆମେ ଆମର ମଜବୁତ୍‌ ପକ୍ଷ ଭାବେ ଗ୍ରହଣ କରିବା ସହ ଏଠାରୁ ପ୍ରେରଣା ଓ ଶକ୍ତି ସଂଗ୍ରହ କରପାରିବା। ଆମ ପଛରେ ଅନେକ ପ୍ରଶଂସକ ଅଛନ୍ତି, ଯେଉଁମାନେ ଆମଠୁ ଭଲ ପ୍ରଦର୍ଶନ ଆଶା ରଖୁଛନ୍ତି।
-ବିରାଟ କୋହଲି
ମୁଁ ସବୁବେଳେ ଦାୟିତ୍ବବୋଧକୁ ଉପଭୋଗ କରିପାରୁଛି। କାରଣ ଯେତେବେଳେ ତୁମେ ଦଳରେ ଥାଅ ଓ ଦଳର ମହତ୍ବକୁ ବୁଝିଥାଅ, ସେତେବେଳେ ଦାୟିତ୍ବବୋଧ କଥା ଆଗକୁ ଆସେ। କିନ୍ତୁ ଯେତେବେଳେ ତୁମେ ଦାୟିତ୍ବ ନେଇଥାଅ, ସେତେବେଳେ ସ୍ଥିତି ଅନୁସାରେ ତୁମେ ଦଳ ପାଇଁ ଭଲ କରିପାରିବ। ଜଣେ ଖେଳାଳିଭାବେ ଏହାକୁ ବାସ୍ତବରେ ପରିଣତ କରିବାକୁ ମୁଁ ସବୁବେଳେ ଆଗ୍ରହ ରଖିଥାଏ। ତେଣୁ ବିଶ୍ବକପ୍‌ରେ ଯାହାବି ଦାୟିତ୍ବ ମିଳିବ, ତାହା କରିବାକୁ ପ୍ରସ୍ତୁତ ଅଛି।
-ଋଷଭ ପନ୍ତ

ସକିବ ଅଲ୍‌ ହାସନ୍‌
ବାଂଲାଦେଶର ଏହି ୩୭ ବର୍ଷୀୟ ଅଲ୍‌ରାଉଣ୍ଡର ଏବେ କ୍ରିକେଟ୍‌ ସହ ରାଜନୈତିକ କ୍ଷେତ୍ରରେ ମଧ୍ୟ କ୍ୟାରିୟର ଆରମ୍ଭ କଲେଣି। ସାଂସଦ ହେବା ପରଠୁ ସେ ଟ୍ବେଣ୍ଟି-୨୦ କ୍ରିକେଟ୍‌ଠୁ ଦୂରରେ ଥିଲେ। ତଥାପି ପ୍ରତିଭା ବଳରେ ସକିବ ପୁଣି ଥରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ଆମେରିକାଠୁ ୧-୨ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବାରୁ ଦଳର ବିଶ୍ବକପ୍‌ ଅଭିଯାନ ଉପରେ ସମସ୍ତଙ୍କ ନଜର ରହିଛି। ସକିବଙ୍କ ଉପସ୍ଥିତି ବାଂଲାଦେଶ ପାଇଁ ସବୁଠୁ ଅଧିକ ମୂଲ୍ୟବାନ। କିନ୍ତୁ ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ତାଙ୍କର ଶେଷ ଆନ୍ତର୍ଜାତିକ ପ୍ରତିଯୋଗିତା ଭାବେ ପୂର୍ବରୁ ଘୋଷଣା କରିସାରିଛନ୍ତି। ତେଣୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପୁଣି ଥରେ ଖେଳିବା ସମ୍ଭାବନା ଆଉ ନଥିବା କୁହାଯାଉଛି।

ଆନ୍ଦ୍ରେ ରସେଲ୍‌
ଆଇପିଏଲ୍‌ରେ ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଳ୍‌ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ଅନେକ ଦିନ ପରେ ଆଇପିଏଲ୍‌ରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ସେ ପ୍ରତିପକ୍ଷଙ୍କ ପାଇଁ ବିପଦ ହୋଇଯାଇଥିଲେ। ଏପରିକି ତାଙ୍କ ପାଖରେ ଆହତ ସମସ୍ୟା ମଧ୍ୟ ନଥିଲା। କିନ୍ତୁ ୩୬ ବର୍ଷ ବୟସରେ ପହଞ୍ଚିସାରିଥିବାରୁ ଆଗକୁ ଖେଳିବା ଜାରି ରଖିବା ନେଇ ଆଶଙ୍କା ଦେଖାଦେଇଛି। ସେହିପରି ଦଳଗତ ପ୍ରଦର୍ଶନକୁ ଦେଖିଲେ ୱେଷ୍ଟଇଣ୍ଡିଜ୍‌ ଗତ ଦିନିକିଆ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ଏପରିକି ଟ୍ବେଣ୍ଟି-୨୦ରେ ୨୦ ଦଳ ଅଂଶଗ୍ରହଣ କରୁଥିବାରୁ ୱେଷ୍ଟ୍‌ଇଣ୍ଡିଜ୍‌କୁ ଆୟୋଜକ ଭାବେ ଯୋଗ୍ୟତା ମିଳିଯାଇଥିଲା। ଯଦି ଦଳ ସଂଖ୍ୟା ୧୦ କିମ୍ବା ୧୨ ହୋଇଥାନ୍ତା ତାହେଲେ ଦଳ ଯୋଗ୍ୟତା ବି ପାଇପାରି ନଥାନ୍ତା।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button