ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବାଚସ୍ପତିଙ୍କ ରାୟ: ସିନ୍ଦେ ଗୋଷ୍ଠୀ ହିଁ ଅସଲି ଶିବସେନା – Kalinga News
[ad_1]
ସିନ୍ଦେଙ୍କୁ ହଟାଇବା ଅଧିକାର ଉଦ୍ଧବଙ୍କ ପାଖରେ ନାହିଁ; ୧୯୯୯ର ଦଳୀୟ, ସମ୍ବିଧାନ କାଏମ
ମୁମ୍ବାଇ: ଉଦ୍ଧବ ଠାକ୍ରେଙ୍କ ଶିବସେନା ବନାମ ଏକନାଥ ସିନ୍ଦେଙ୍କ ଶିବସେନା ମାମଲାରେ ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ନିର୍ଣ୍ଣାୟକ ରାୟ ଶୁଣାଇଛନ୍ତି। ବାଚସ୍ପତି ତାଙ୍କ ରାୟ ଘୋଷଣା କରି କହିଛନ୍ତି, ଶିବସେନାର ସମ୍ବିଧାନ ଅନୁଯାୟୀ, ଉଦ୍ଧବ ଠାକ୍ରେଙ୍କ ପାଖରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇବା ପାଇଁ କୌଣସି ଅଧିକାର ନାହିଁ। ବାଚସ୍ପତି ଏହି ମାମଲାରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିବା ସହ ସେହି ଆଧାରରେ ରାୟ ଶୁଣାଣିଛନ୍ତି ଏବଂ ସିନ୍ଦେ ଗୋଷ୍ଠୀ ହିଁ ଅସଲି ଶିବସେନା ବୋଲି କହିଛନ୍ତି। ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଅସଲି ଶିବସେନା ବୋଲି ଦାବି କରୁଥିବା ବେଳେ ଦଳର ୧୯୯୯ ସମ୍ବିଧାନ ଆଧାରରେ ନିଷ୍ପତ୍ତି ସିନ୍ଦେ ଗୋଷ୍ଠୀ ସପକ୍ଷରେ ଯାଇଛି। ଏହି ସମ୍ବିଧାନ ଅନୁଯାୟୀ ଦଳ ମୁଖ୍ୟ ସିଧାସଳଖ କୌଣସି ନେତାଙ୍କୁ ହଟାଇବା ଅଧିକାର ରଖୁନାହାନ୍ତି। ଅନ୍ୟପକ୍ଷରେ ୨୦୧୮ରେ ଶିବସେନାର ସମ୍ବିଧାନରେ ଯେଉଁ ସଂଶୋଧନ କରାଯାଇଥିଲା ତାହା ନିର୍ବାଚନ କମିସନଙ୍କ ରେକର୍ଡରେ ନାହିଁ କି ଏହା ପରଠାରୁ ଦଳରେ ସାଂଗଠନିକ ନିର୍ବାଚନ ହୋଇନାହିଁ। ଏହି ଆଧାରରେ ସିନ୍ଦେ ଗୋଷ୍ଠୀକୁ ହିଁ ଅସଲି ଶିବସେନା ଭାବେ ଗ୍ରହଣ କରାଯାଇଛି ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସିନ୍ଦେଙ୍କୁ ହଟାଇବା ଅଧିକାର ଉଦ୍ଧବଙ୍କ ପାଖରେ ନାହିଁ
୧୯୯୯ର ଦଳୀୟ ସମ୍ବିଧାନ କାଏମ
ରାୟ ଷଡ଼୍ଯନ୍ତ୍ରପୂର୍ଣ୍ଣ, ସୁପ୍ରିମ୍କୋର୍ଟ ଯିବୁ: ଉଦ୍ଧବ
ସୂଚନାଯୋଗ୍ୟ, ୨୦ ଜୁନ୍, ୨୦୨୨ରେ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ୩୯ ଜଣ ବିଧାୟକ ଶିବସେନାରେ ବିଦ୍ରୋହ କରିଥିଲେ ଏବଂ ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିଥିଲେ। ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଉଦ୍ଧବ ଗୋଷ୍ଠୀ ଦଳବଦଳ ଆଇନ ଆଧାରରେ ପ୍ରଥମେ ବାଚସ୍ପତିଙ୍କୁ ନୋଟିସ୍ ଦେଇଥିଲେ ଏବଂ ପରେ ଏହି ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିଥିଲା। ଉଭୟ ଗୋଷ୍ଠୀ ସୁପ୍ରିମ୍କୋର୍ଟର ଦ୍ବାରସ୍ଥ ହୋଇ ପରସ୍ପରର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆବେଦନ କରିଥିଲେ। ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତ ଆବେଦନ ଉପରେ ବିଧାନସଭା ବାଚସ୍ପତି ନିଷ୍ପତ୍ତି ନେବାକୁ ରାୟ ପ୍ରକାଶ କରିଥିଲେ। ଆଜି ବାଚସ୍ପତି ଏକନାଥ ସିନ୍ଦେଙ୍କ ଦଳର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଆବେଦନ ଉପରେ ରାୟ ଶୁଣାଇ କହିଛନ୍ତି, ନିର୍ବାଚନ କମିସନଙ୍କ ନିକଟରେ ଦଳର ୧୯୯୯ ସମ୍ବିଧାନ ହିଁ କାଏମ ରହିଛି ଏବଂ ଏହି ଆଧାରରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକଟି ପଦକ୍ଷେପକୁ ନ୍ୟାୟୋଚିତ କୁହାଯିବ। ଏହି ଆଧାରରେ ଏକନାଥ ସିନ୍ଦେ ଗୋଷ୍ଠୀ ଅସଲି ଶିବସେନା ଏବଂ ଏହାର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଆବେଦନ ନିରର୍ଥକ। ୨୦୧୮ ପରେ ଦଳରେ ସାଂଗଠନିକ ନିର୍ବାଚନ ହୋଇନାହିଁ, ଯାହାକି ସମ୍ବିଧାନ ଅନୁଯାୟୀ ଅତ୍ୟାବଶ୍ୟକ ଥିଲା।
ଉଦ୍ଧବ ଗୋଷ୍ଠୀ ବାଚସ୍ପତିଙ୍କ ଏହି ରାୟକୁ ପ୍ରତ୍ୟାଖ୍ୟାନ କରି କଡ଼ା ସମାଲୋଚନା କରିଛି। ଉଦ୍ଧବ ଠାକରେ ବାଚସ୍ପତିଙ୍କ ଏଭଳି ରାୟକୁ ଅନୈତିକ ଓ ଷଡ଼୍ଯନ୍ତ୍ରପୂର୍ଣ୍ଣ ବୋଲି କହିବା ସହ ଏହା ବିରୋଧରେ ଦଳ ସୁପ୍ରିମ୍କୋର୍ଟ ଯିବ ବୋଲି କହିଛନ୍ତି। ଆଜି ରାୟ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବାଚସ୍ପତିଙ୍କୁ ଭେଟିଥିବାରୁ ଉଦ୍ଧବ ଗୋଷ୍ଠୀ ଆଗୁଆ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଉଦ୍ଧବ ଗୋଷ୍ଠୀ ଅଭିଯୋଗ କରିଛି ଯେ ବାଚସ୍ପତି ତାଙ୍କ ବିରୋଧରେ ହିଁ ରାୟ ଦେବେ ବୋଲି ସେମାନେ ପୂର୍ବରୁ ଜାଣିଥିଲେ। ରାୟ ଆସିବା ପୂର୍ବରୁ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ମଧ୍ୟରେ ଯେଭଳି ଆଲୋଚନା ହେଲା ତାହା ଦ୍ବାରା ମାମଲାରେ ନିରପେକ୍ଷ ବିଚାର ନେଇ ପ୍ରଶ୍ଚବାଚୀ ସୃଷ୍ଟି ହୋଇଛି ବୋଲି ଆଦିତ୍ୟ ଠାକ୍ରେ କହିଛନ୍ତି। ତେବେ ଉଦ୍ଧବ ଗୋଷ୍ଠୀ ଉଠାଇଥିବା ଆପତ୍ତିକୁ ବାଚସ୍ପତି ରାହୁଲ ନାର୍ବେକର ଖଣ୍ଡନ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ପାଇଁ ବାଚସ୍ପତିଙ୍କୁ ଭେଟିବାକୁ ଆସିଥିଲେ ତାହା ନଜାଣି ଏହାକୁ କଦର୍ଥ କରାଯିବା ଉଚିତ ନୁହେଁ। ବାଚସ୍ପତି ଗଣମାଧ୍ୟମକୁ କହିଛନ୍ତି ଯେ ବିଧାନସଭାର ବିଭିନ୍ନ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ମଧ୍ୟରେ ହେଉଥିବା ସ୍ବାଭାବିକ ସାକ୍ଷାତ ଆଲୋଚନାକୁ ସେମାନେ ଭିନ୍ନ ରୂପ ଦେବାକୁ ପ୍ରୟାସ କରୁଛନ୍ତି। ଉଦ୍ଧବ ଠାକ୍ରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ତାଙ୍କୁ କିଛି ଜଣାନଥିବା ଦୁର୍ଭାଗ୍ୟଜନକ ବୋଲି ବାଚସ୍ପତି କହିଛନ୍ତି।
[ad_2]