ରାଜନୀତି

ଇତିହାସ ପୃଷ୍ଠାରୁ: ୧୯୭୧ରେ ହୋଇଥିଲା ଜାନକୀ-ବୀରେନ ଲଢ଼େଇ – Kalinga News

[ad_1]

ବୀରେନଙ୍କୁ ହରାଇ ଜାନକୀ ମାରିଥିଲେ ବାଜି, ଦୁଇଥର ଲେଖାଏଁ ଜିତିଥିଲେ ଜାନକୀ, ଜୟନ୍ତୀ

ଡ. ଚିତ୍ତରଂଜନ ବେହେରା
ତିନିଥରର ପୂର୍ବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଦୁଇଥର ବିଜୟ ଲାଭ କରିଥିଲେ। ୧୯୭୧ ସାଧାରଣ ନିର୍ବାଚନରେ ପୂର୍ବମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କୁ ବଡ଼ ବ୍ୟବଧାନରେ ହରାଇ ବିଜୟୀ ହେବା ପରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଦେଶରକ୍ଷା ବିଭାଗର ଉପମନ୍ତ୍ରୀ ଏବଂ ପରେ ରାଷ୍ଟ୍ରମନ୍ତ୍ରୀ ପଦରେ ଆସୀନ ହୋଇ ୧୯୭୩ରୁ ୧୯୭୫ ଜରୁରିକାଳୀନ ପରିସ୍ଥିତି ଯାଏ ଦାୟିତ୍ବ ତୁଲାଇଥିଲେ। ସେତେବେଳେ ଜାନକୀବଲ୍ଲଭ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ୧ ଲକ୍ଷ ୫୪ ହଜାର ୭୦୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବୀରେନ୍ ମିତ୍ର ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇ ୭୪ ହଜାର ୪୬୮ ଖଣ୍ଡ ଭୋଟ ପାଇଥିଲେ। ସେହି ନିର୍ବାଚନରେ ପ୍ରଜା ସୋସାଲିଷଷ୍ଟ ପାର୍ଟିରୁ ବିଶ୍ବନାଥ ପଣ୍ଡିତ, ଏନ୍‌ସିଓରୁ ସତ୍ୟବାଦୀ ମିଶ୍ର ଏବଂ ସ୍ବାଧୀନ ପ୍ରାର୍ଥୀ ଭାବରେ ଅକ୍ଷୟକୁମାର ମହାନ୍ତି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ଅନ୍ୟସମସ୍ତ ପ୍ରାର୍ଥୀ ଯେତିକି ଭୋଟ୍ ପାଇଥିଲେ ଏକା ଜାନକୀବଲ୍ଲଭ ତାଠାରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିଲେ।

ବୀରେନଙ୍କୁ ହରାଇ ଜାନକୀ ମାରିଥିଲେ ବାଜି
ଦୁଇଥର ଲେଖାଏଁ ଜିତିଥିଲେ ଜାନକୀ, ଜୟନ୍ତୀ
୧୯୯୮ରୁ ଭର୍ତ୍ତୃହରି ଅପରାଜେୟ

୧୯୭୫ ମସିହା ଜରୁରିକାଳୀନ ପରିସ୍ଥିତି ସମୟରେ ଯେଉଁମାନେ କଂଗ୍ରେସ ଦଳ ଭିତରେ ଏହାକୁ ପସନ୍ଦ କରୁନଥିଲେ ସେମାନେ ଏକ ବୈଠକରେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଶ୍ୟାମସୁନ୍ଦର ମହାପାତ୍ର, ବନମାଳୀ ପଟ୍ଟନାୟକ, ସୁରେନ୍ଦ୍ରନାଥ ଦ୍ବିବେଦୀ, ପ୍ରଦ୍ୟୁମ୍ନ ବଳ ଓ ତ୍ରିଲୋଚନ କାନୁନଗୋ ପ୍ରମୁଖ। କଂଗ୍ରେସ ବିଭାଜନ ପରେ ତ୍ରିଲୋଚନ ଇନ୍ଦିରା ବିରୋଧୀ କଂଗ୍ରେସ ଦଳରେ ମୁଖ୍ୟ ରହିଲେ। ୧୯୭୭ ନିର୍ବାଚନରେ କିନ୍ତୁ ଜାନକୀବଲ୍ଲଭ ଜନତା ପାର୍ଟିର ପ୍ରାର୍ଥୀ ହୋଇ ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ଶରତକୁମାର କରଙ୍କଠାରୁ ବିପୁଳ ଭୋଟ୍ ବ୍ୟବଧାନରେ ହାରି ଯାଇଥିଲେ। ମାତ୍ର ୧୯୮୦ ମସିହା ନିର୍ବାଚନରେ ଆସିଥିଲା ନୂଆ ମୋଡ଼। ଜନତା ଦଳ ଏବଂ କଂଗ୍ରେସ(ଏସ୍) ଭିତରେ ହୋଇଥିଲା ମେଣ୍ଟ। ତ୍ରିଲୋଚନ କାନୁନଗୋ କଟକ ଲୋକସଭା ଆସନରେ ମେଣ୍ଟର ପ୍ରାର୍ଥୀ ହୋଇଥିଲେ। ସେତେବେଳେ ଇନ୍ଦିରା କଂଗ୍ରେସ ଗୋଷ୍ଠୀର ସଭାପତି ଥିବା ଜାନକୀବଲ୍ଲଭ ପଟ୍ଟନାୟକ ୧୯୮୦ରେ ୧୯୭୭ର ଫଳାଫଳକୁ ଓଲଟାଇ ଦେଇଥିଲେ। କଟକ ଲୋକସଭା ଆସନରୁ ୧୯୮୦ ନିର୍ବାଚନରେ କଂଗ୍ରେସ(ଆଇ)ର ପ୍ରାର୍ଥୀ ଜାନକୀବଲ୍ଲଭ କଂଗ୍ରେସ(ୟୁ)ରୁ ପ୍ରାର୍ଥୀ ତ୍ରିଲୋଚନ କାନୁନଗୋଙ୍କୁ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଇନ୍ଦିରାଙ୍କ କ୍ୟାବିନେଟ୍‌ରେ କେନ୍ଦ୍ରରେ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଥିଲେ।

ମାତ୍ର ସେହିବର୍ଷ ସେ ଇସ୍ତଫା ଦେଇ ବିଧାନସଭାକୁ ଚାଲିଆସିବାରୁ କଟକ ଲୋକସଭା ଆସନ ଖାଲି ପଡ଼ିଥିଲା। ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ତାଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ(ଆଇ)ରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ପୁନଶ୍ଚ ୧୯୮୫ ନିର୍ବାଚନରେ ମଧ୍ୟ ଜୟନ୍ତୀ ଦେବୀ ବିଜୟୀ ହୋଇଥିଲେ। ମାତ୍ର ୧୯୮୯ରେ ଶ୍ରୀକାନ୍ତ ଜେନା ଓ ୧୯୯୬ରେ ବିଜୁ ପଟ୍ଟନାୟକ କଟକ ଲୋକସଭା ଆସନରୁ ଜିତିଥିଲେ। ତେବେ ବିଜୁବାବୁ ଆସ୍କା ଆସନ ରଖି କଟକ ଛାଡ଼ିଦେବାରୁ ଉପନିର୍ବାଚନରେ ଅନାଦି ସାହୁ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ମାତ୍ର ୧୯୯୭ ମସିହାରେ ବିଜୁ ଜନତା ଦଳ ପ୍ରତିଷ୍ଠା ପରେ ପୂର୍ବ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ବିଜେଡିରୁ ପ୍ରାର୍ଥୀ ହୋଇ ଲଗାତାର ଛଅ ଥର ଜିତିଆସିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button