ପାହାଡ଼ ଉପରେ ବିରାଜମାନ ବାବା ସିଦ୍ଧେଶ୍ଵର, ଭଗବାନ ଶିବଙ୍କୁ ପ୍ରତିଷ୍ଠା କରିଥିଲେ ପାଣ୍ଡବ

ମହାନଦୀ କୂଳ ପାହାଡ଼ ଉପରେ ବିରାଜମାନ ବାବା ସିଦ୍ଧେଶ୍ବର । କଟକ ଜିଲ୍ଲା ବାରଙ୍ଗ ବ୍ଲକ ନରାଜ ତଳଗଡ଼ରେ ନଦୀ କୂଳରେ ଅତି ସୁନ୍ଦର ମନୋରମ ପରିବେଶରେ ପୂଜା ପାଉଛନ୍ତି ବାବା । କିମ୍ବଦନ୍ତୀ କହେ, ଏଠାରେ କିଛି ଦିନ ପାଣ୍ଡମାନେ ବାସ କରି ପ୍ରଭୁ ସିଦ୍ଧେଶ୍ବରଙ୍କ ପୂଜାଚ୍ଚନା କରିଥିଲେ । ବାବାଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୂରଣ ହେଉଥିବାର ବିଶ୍ବାସ ଥିବାରୁ ପ୍ରତିଦିନ ଏଠାକୁ ଭକ୍ତଙ୍କ ସୁଅ ଛୁଟିଛି । ଏଠାକାର ମୁଖ୍ୟ ପର୍ବ ହେଉଛି ମହା ଶିବରାତ୍ରି ।
ଏହା ବ୍ୟତୀତ ପ୍ରତିବର୍ଷ ଶ୍ରାବଣ ସୋମବାରରେ ମଧ୍ୟ ଭକ୍ତଙ୍କ ସଂଖ୍ୟା ବଢିଯାଏ । କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ବନବାସ ସମୟରେ ମାତା କୁନ୍ତିଙ୍କ ସହିତ ସିଦ୍ଧେଶ୍ୱର ପାହାଡ଼ରେ କିଛି ଦିନ ଅବସ୍ଥାନ କରିଥିଲେ । ଆଉ ସିଦ୍ଧି ପ୍ରାପ୍ତି ଉଦ୍ଦେଶ୍ୟରେ ଭଗବାନ ଶିବଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଥିଲେ । ସେଇଥିପାଇଁ ତ ଏହାର ନାମକରଣ ସିଦ୍ଧେଶ୍ୱର ହୋଇଛି । ସେଠାରେ ଥିବା କିଛି ଗୁମ୍ଫାରେ ପାଣ୍ଡବମାନେ ଅବସ୍ଥାନ କରିଥିଲେ ବୋଲି ଶୁଣିବାକୁ ମିଳେ ।
ପରବର୍ତ୍ତୀ ସମୟରେ ବୌଦ୍ଧ ସନ୍ଥମାନେ ସେହି ଗୁମ୍ଫାଗୁଡ଼ିକରେ ରହୁଥିଲେ ବୋଲି ଶୁଣାଯାଏ । ସାପୁଆ ନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ସିଦ୍ଧେଶ୍ୱର ମନ୍ଦିର । ବର୍ତ୍ତମାନର ମନ୍ଦିର ଗଙ୍ଗବଂଶୀ ରାଜାଙ୍କ ଦ୍ଵାରା ନିର୍ମାଣ ହୋଇଥିବା ଜଣାଯାଏ । ଗର୍ଭ ଗୃହରେ ଥିବା ଶିବଲିଙ୍ଗ ଶ୍ୱେତ ରଙ୍ଗର ଏବଂ ବାହାରେ ମା’ ପାର୍ବତୀ ମଧ୍ୟ ଶ୍ୱେତ ରଙ୍ଗର । ମନ୍ଦିର ଗର୍ଭଗୃହରେ ଭୈରବଙ୍କ ଏକ ବିଗ୍ରହ ରହିଛି । ଏଠାରେ ପାହାଡ଼ କଟା ହୋଇ ତିଆରି ହୋଇଛି ମନ୍ଦିର ବେଢା । ପାହାଡ଼ରେ ଏପରି ଏକ ଗୁମ୍ଫା ରହିଛି ଯାହାର ଆକାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଗୁମ୍ଫାର ଆକାର ଦିନକୁ ଦିନ ବୃଦ୍ଧି ପାଉଥିଲେ ହେଁ ଏହାର କାରଣ କେହି ଜାଣି ପାରୁନାହାନ୍ତି । ଯାହା ଆଜି ବି ଏକ ରହସ୍ୟ ହୋଇ ରହିଛି । ମନ୍ଦିର ଗର୍ଭ ଗୃହଟି ଗୋଟିଏ ପଥରରେ ନିର୍ମାଣ ହୋଇଛି । ତାହାରି ମଧ୍ୟରେ ପୂଜା ପାଉଛନ୍ତି ବାବା ସିଦ୍ଧେଶ୍ୱର । ବାବା ସିଦ୍ଧେଶ୍ୱରଙ୍କ ପୀଠରେ ବର୍ଷ ସାରା ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିରହିଛି । ତେବେ ମୁଖ୍ୟ ପର୍ବ ହେଉଛି ମହା ଶିବରାତ୍ରି । ସେହିଭଳି ଶ୍ରାବଣ ସୋମବାରେ ମଧ୍ୟ ଏଠାରେ ଭକ୍ତଙ୍କ ସଂଖ୍ୟା ବଢିଯାଏ ।
ମନ୍ଦିର ସକାଳ ୬ଟା ୧୫ରେ ଖୋଲିଥାଏ । ଫଳମୂଳ ଆଦି ବାଳଭୋଗ ଲାଗି ହୁଏ । ମଧ୍ୟାହ୍ନ ୧୨ ଟାରେ ଅନ୍ନ,ଡାଲମା, ଖଟା ଆଦି ଭୋଗ ଲାଗିହୁଏ । ପୁଣି ଅପରାହ୍ନ ୩ ଟାରେ ପହଡ଼ ଖୋଲିଥାଏ । ସନ୍ଧ୍ୟା ଆଳତି ୬ଟା ୩୦ ରୁ ୭ ଟା ମଧ୍ୟରେ ହୋଇଥାଏ । ଭକ୍ତମାନଙ୍କ ଦର୍ଶନ ପରେ ପୁଣି ସନ୍ଧ୍ୟା ୭ ଟା ୩୦ ସମୟରେ ପହଡ଼ ପଡ଼ିଯାଏ । ଏହିଭଳି ରହିଥାଏ ବାବାଙ୍କ ନୀତିକାନ୍ତି ।




