ଓମ୍ଶ୍ରୀ ଜୁଏଲର୍ସରୁ ୫୦ କିଲୋ ସୁନା, ରୁପା ଅଳଙ୍କାର ଚୋରି
ବ୍ରହ୍ମପୁର: ବ୍ରହ୍ମପୁର ସହର ଟାଟାବେଞ୍ଜ ଛକରେ ଥିବା ଓମ୍ଶ୍ରୀ ଜୁଏଲର୍ସରୁ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଛି। ଚୋରମାନେ ଦୋକାନର କାନ୍ଥ ଭାଙ୍ଗି ଭିତରକୁ ପଶିବା ପରେ କଳାକନା ବୁଲାଇ ଦେଇଛନ୍ତି। ସେହି ଦୋକାନରୁ କୋଟିଏରୁ ଅଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଏହାର ମାଲିକ ଜେ.ଶ୍ରୀଧର ଅଭିଯୋଗ କରିଛନ୍ତି।
ଦୋକାନାରୁ ପ୍ରାୟ ୫୦ କିଲୋରୁ ଅଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନା ପୁଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ପ୍ରକାରେ, ଶ୍ରୀଧରଙ୍କ ଟାଟାବେଞ୍ଜ ଛକ ନିକଟରେ ଥିବା ଅଳଙ୍କାର ଦୋକାନରେ ମୋଟ ୩ ଜଣ କର୍ମଚାରୀ କାମ କରନ୍ତି। ଆଜି କର୍ମଚାରୀମାନେ ସକାଳୁ ଆସି ତାଲା ଖୋଲି ଭିତରକୁ ପ୍ରବେଶ ପୂର୍ବରୁ ଦୋକାନରେ ଅଳଙ୍କାର ରଖିବା ପାଇଁ ବ୍ୟବହୃତ ଛୋଟ ବ୍ୟାଗ ଓ ପ୍ଲାଷ୍ଟିକ ବକ୍ସ ବାହାରେ ପଡ଼ିଥିବା ଦେଖିଲେ। ଦୋକାନ ଥାକରୁ ସମସ୍ତ ଅଳଙ୍କାର ଗାଏବ ଥିଲା। ଏ ନେଇ ମାଲିକ ଶ୍ରୀଧରଙ୍କୁ ଫୋନ୍ କରି ଜଣାଇଥିଲେ। ସେ ଦୋକାନରେ ପହଞ୍ଚିବା ପରେ ଦୋକାନରୁ ସମସ୍ତ ସୁନା ଅଳଙ୍କାର ଚୋରି ହୋଇଥିବା ପୁଲିସକୁ ଜଣାଇଥିଲେ। ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ବେଳେ ସୁନା ଦୋକାନ ଭିତରେ ଥିବା ଇନ୍ଭର୍ଟର ରୁମ୍ ନିକଟରେ କାନ୍ଥ ଭଙ୍ଗା ଯାଇଥିଲା। ଦୋକାନର ସିସି କ୍ୟାମେରା ଫୁଟେଜ୍ ସହ ରାସ୍ତାର ବିଭିନ୍ନ ପାର୍ଶ୍ବରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ସଂଗ୍ରହ କରାଯାଇଛି।