ରାଜନୀତି

ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ : ଭୁବନେଶ୍ୱରରେ ବିଜେପିର ବିଶାଳ ପଦଯାତ୍ରା

ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ସାଂସଦ ସୁଧାଂଶୁ ତ୍ରିବେଦୀ; ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ

ଭୁବନେଶ୍ୱର, ୧୪ ନଭେମ୍ବର ୨୦୨୬: ଗଣତନ୍ତ୍ର, ସମ୍ବିଧାନ ଓ ଦେଶର ସାର୍ବଭୌମତ୍ୱର ସୁରକ୍ଷା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଅ–ଅରାଜକତା ହଟାଅ’ ଅଭିଯାନ ଅନ୍ତର୍ଗତ ଭୁବନେଶ୍ୱରରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସୁଧାଂଶୁ ତ୍ରିବେଦୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରର ସୁରକ୍ଷା ଓ ଦେଶର ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଆସ୍ଥା ରକ୍ଷା କରିବା ସରକାରଙ୍କ ପ୍ରତିବଦ୍ଧତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶ ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଆଗକୁ ବଢ଼ୁଛି। ଓଡ଼ିଶାରେ ମଧ୍ୟ ଡବଲ୍ ଇଞ୍ଜିନ୍ ସରକାରଙ୍କ ଉଦ୍ୟମରେ ଗରିବ, ଚାଷୀ, ମହିଳା ଓ ଯୁବବର୍ଗଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସୁଛି।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ ଯେ, ଦେଶର ବିକାଶ ଓ ପ୍ରଗତିକୁ ସହ୍ୟ କରିପାରୁ ନଥିବା କିଛି ବିରୋଧୀ ଶକ୍ତି ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ବିଶେଷକରି ଏସ୍‌ଆଇଆର୍‌ (SIR)କୁ ନେଇ ବିରୋଧୀ ଦଳଗୁଡ଼ିକ ଭ୍ରମାତ୍ମକ ପ୍ରଚାର କରୁଥିବା ସେ କହିଥିଲେ। ନିର୍ବାଚନ ବ୍ୟବସ୍ଥାର ସ୍ୱଚ୍ଛତା ଓ ନିର୍ବାଚନ ଆୟୋଗର କାର୍ଯ୍ୟକୁ ନେଇ ରାଜନୈତିକ ବିବାଦ ସୃଷ୍ଟି କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ ମତ ଦେଇଥିଲେ।

ସେ ଆହୁରି କହିଥିଲେ ଯେ, ଦେଶର ନାଗରିକଙ୍କ ଅଧିକାର ଓ ନିର୍ବାଚନୀ ବ୍ୟବସ୍ଥାର ପବିତ୍ରତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ଉପାୟରେ ଅରାଜକତା ଓ ବିଭାଜନକାରୀ ଚିନ୍ତାଧାରାର ମୁକାବିଲା କରି ଏକ ସମୃଦ୍ଧ ଓଡ଼ିଶା ଗଠନ କରାଯିବ। ‘ସୁରକ୍ଷିତ ଗଣତନ୍ତ୍ର ଆମର ପ୍ରତିବଦ୍ଧତା’ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ପଦଯାତ୍ରାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ, ଦେଶର ସେନା, ସାମ୍ବିଧାନିକ ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକୁ ମିଥ୍ୟା ଅଭିଯୋଗ ମାଧ୍ୟମରେ ବଦନାମ କରିବା ଉଦ୍ୟମ ନିନ୍ଦନୀୟ। କଂଗ୍ରେସ ଓ ଇଣ୍ଡି ମେଣ୍ଟର ଏଭଳି ରାଜନୈତିକ ଆଭିମୁଖ୍ୟକୁ ଦେଶବାସୀ ଗ୍ରହଣ କରିନାହାନ୍ତି ବୋଲି ସେ ମତ ଦେଇଥିଲେ। କଂଗ୍ରେସର ଅରାଜକତା ଓ ତୁଷ୍ଟୀକରଣ ରାଜନୀତିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ମଧ୍ୟ ସେ କହିଥିଲେ।

ସେହିପରି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସୁଧାଂଶୁ ତ୍ରିବେଦୀ କଂଗ୍ରେସର ନିର୍ବାଚନୀ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ତାଙ୍କ କହିବା ଅନୁଯାୟୀ, କଂଗ୍ରେସ ନିର୍ବାଚନରେ ବିଜୟୀ ହେଲେ ଇଭିଏମ୍‌ ଓ ନିର୍ବାଚନ ଆୟୋଗ ଉପରେ ଆସ୍ଥା ପ୍ରକାଶ କରୁଥିବା ବେଳେ ପରାଜୟ ପରେ ଭୋଟ୍ ଚୋରି ଅଭିଯୋଗ ଆଣୁଛି। ଏହା ଦଳର ଦୋମୁହାଁ ନୀତିକୁ ପ୍ରତିଫଳିତ କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଦୀର୍ଘ ସମୟ ଧରି କ୍ଷମତାରୁ ଦୂରେଇ ରହିବାରୁ କଂଗ୍ରେସ ନେତୃତ୍ୱ ହତାଶାରେ ଏଭଳି ବୟାନ ଦେଉଛନ୍ତି ବୋଲି ସେ କହିଥିଲେ।

ପଦଯାତ୍ରାଟି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ବାଣୀବିହାରଠାରେ ଶେଷ ହୋଇଥିଲା। ଏହି ଅଭିଯାନରେ ଗଣତନ୍ତ୍ର, ରାଷ୍ଟ୍ରବାଦ ଓ ସମ୍ବିଧାନର ସୁରକ୍ଷା ସମ୍ପର୍କିତ ବାର୍ତ୍ତାକୁ ରାଜ୍ୟର ପ୍ରତ୍ୟେକ ଗାଁ ଓ ଘରେ ପହଞ୍ଚାଇବାକୁ ଦଳୀୟ ନେତାମାନେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ସରୋଜ କରଙ୍କ ସମେତ ଅନେକ ଦଳୀୟ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button