ପ୍ରତି ଜିଲ୍ଲାରୁ ପଞ୍ଚାୟତ ଯାଏଁ ବ୍ୟାପକ ହେବ ଯୋଗ, ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନର ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
୧୦ ବର୍ଷରେ ୧୫ ହଜାର ଯୋଗ ପ୍ରଶିକ୍ଷକ ସୃଷ୍ଟି; ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଯୋଗ ମହୋତ୍ସବ ସମିତିର ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର
୧୪ ନଭେମ୍ବର ୨୦୨୬
ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ‘ଯୋଗ ମହୋତ୍ସବ ସମିତି, ଓଡ଼ିଶା’ର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଯୋଗ, ପ୍ରାଣାୟାମ ଏବଂ ନିରାମୟ ଜୀବନଶୈଳୀର ପ୍ରସାର ଉପରେ ଗୁରୁତ୍ୱାରୋପ କରିବା ସହିତ ଏକ ସୁସ୍ଥ, ସଚେତନ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି।
୨୦୧୬ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିବା ଯୋଗ ମହୋତ୍ସବ ସମିତି ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୧୫ ହଜାରରୁ ଅଧିକ ଯୋଗ ପ୍ରଶିକ୍ଷକ ସୃଷ୍ଟି କରି ଏକ ବଡ଼ ସଫଳତା ହାସଲ କରିଥିବା ବେଳେ ଆଜି ଯୋଗ ମହୋତ୍ସବ ସମିତି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଯୋଗର ଶିକ୍ଷା ଓ ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଓଡ଼ିଶାରେ ଯୋଗ ଓ ଆୟୁର୍ବେଦର ପ୍ରସାର ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଟଣୀର ବିଂଝଗିରିଠାରେ ୨୦ ଏକର ଜମିରେ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି। ଏହା ସହିତ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଏହି ଅବସରରେ କହିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ଯୋଗର ଅବଦାନ ଅନନ୍ୟ ଏବଂ ବିଶ୍ୱର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଋଗ୍ ବେଦର ‘ୟୁଜ୍’ ଶବ୍ଦରୁ ‘ଯୋଗ’ର ଉତ୍ପତ୍ତି ହୋଇଛି, ଯାହାର ଅର୍ଥ ହେଉଛି ‘ଶରୀର’ ଓ ‘ମନ’କୁ ଯୋଡ଼ିବା। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଓ ପ୍ରତିଯୋଗିତାମୂଳକ ଯୁଗରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍ରୋଗ ଭଳି ଅଣସଂକ୍ରାମକ ରୋଗ ବୃଦ୍ଧି ପାଉଥିବା ବେଳେ ଔଷଧ କେବଳ ରୋଗର ଲକ୍ଷଣକୁ ସାମୟିକ ଭାବରେ ଦୂର କରିପାରେ, କିନ୍ତୁ ଯୋଗ ଏବଂ ପ୍ରାଣାୟାମ ରୋଗକୁ ମୂଳରୁ ନଷ୍ଟ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ରୋଗ ହେବା ପରେ ଚିକିତ୍ସା କରିବା ଅପେକ୍ଷା ରୋଗ ନ ହେବା ପାଇଁ ଯୋଗ କରିବା ଆଜି ସମୟର ସବୁଠାରୁ ବଡ଼ ଆହ୍ୱାନ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପ୍ରୟାସ ଫଳରେ ଜାତିସଂଘରେ ୧୭୭ଟି ଦେଶର ସମର୍ଥନ ସହିତ ଜୁନ୍ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ମାନ୍ୟତା ମିଳିବା ପରେ ଆଜି ଯୋଗ ସମଗ୍ର ବିଶ୍ୱରେ ଏକ ବିଶାଳ ଜନଆନ୍ଦୋଳନରେ ପରିଣତ ହୋଇଛି। ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଜୀବନର ଏକ ପୂର୍ଣ୍ଣ ଦର୍ଶନ, ଯାହା ମଣିଷକୁ ନିଜ ସହ, ସମାଜ ସହ ଏବଂ ପ୍ରକୃତି ସହ ଯୋଡ଼ିଥାଏ।
ଯୋଗକୁ କୌଣସି ରାଜନୀତି କିମ୍ବା ଧର୍ମ ସହିତ ନ ଯୋଡ଼ି ସମସ୍ତଙ୍କ ପାଇଁ ଆପଣାଇବାକୁ ପରାମର୍ଶ ଦେଇ ଶ୍ରୀ ମାଝୀ କହିଥିଲେ ଯେ, ଜିମ୍ରେ ବ୍ୟାୟାମ କଲେ କେବଳ ଶରୀର ସୁସ୍ଥ ରହେ, କିନ୍ତୁ ଯୋଗାଭ୍ୟାସ ଦ୍ୱାରା ଶରୀର ଓ ମନ ଉଭୟ ସୁସ୍ଥ ରହିଥାଏ ଏବଂ ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ପ୍ରତିଦିନ ଯୋଗାଭ୍ୟାସ କରୁଥିବାରୁ ଦିନକୁ ଅଠର ଘଣ୍ଟା ପରିଶ୍ରମ କରିବାକୁ ଶାରୀରିକ ଓ ମାନସିକ ଶକ୍ତି ପାଉଛନ୍ତି।
ଓଡ଼ିଶାରେ ଯୋଗ ଓ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଛଅ ଦଶକ ପର୍ଯ୍ୟନ୍ତ ଭାରତୀୟ ଚିକିତ୍ସା ବିଜ୍ଞାନକୁ ଯେତିକି ଗୁରୁତ୍ୱ ଦିଆଯାଇ ନ ଥିଲା, ଗତ ବାର ବର୍ଷ ମଧ୍ୟରେ ଆୟୁଷ ମନ୍ତ୍ରାଳୟ ଗଠନ ହେବା ପରଠାରୁ ଏହାର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିଛି। ରାଜ୍ୟରେ ସ୍କୁଲ, କଲେଜ, ଛାତ୍ରାବାସ, କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କର୍ମଶାଳା ଆୟୋଜନ କରାଯାଇ ଯୋଗକୁ ଲୋକପ୍ରିୟ କରାଯାଉଥିବା ବେଳେ ଆଗାମୀ ଦିନରେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ‘ଯୋଗ ମହୋତ୍ସବ ସମିତି’ର ଏହି ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ବା ବୁଝାମଣାପତ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗ ପ୍ରତି ଆକର୍ଷଣ ବୃଦ୍ଧି କରିବା ସହିତ ଯୋଗକୁ ଏକ ବୃତ୍ତିଗତ ଶିକ୍ଷା ଓ ଜୀବିକାର ମାଧ୍ୟମ ଭାବେ ବିକଶିତ କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ।
ମୁଖ୍ୟମନ୍ତ୍ରୀ ରାଜ୍ୟର ଯୁବବର୍ଗଙ୍କୁ ଉଦ୍ବୋଧିତ କରି କହିଥିଲେ ଯେ, ଏହି ବାର୍ଷିକ ଉତ୍ସବ କେବଳ ବିଗତ ଦିନର ସଫଳତାକୁ ପାଳନ କରିବାର ଅବସର ନୁହେଁ, ବରଂ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଆମର ଯୁବଶକ୍ତି ଯେପରି ମୋବାଇଲ୍ ଆସକ୍ତି ଏବଂ ନିଶା ଦ୍ରବ୍ୟଠାରୁ ଦୂରେଇ ରହି ଧ୍ୟାନ, ପ୍ରାଣାୟାମ ଓ ଯୋଗ ମାଧ୍ୟମରେ ନିଜର ଚରିତ୍ର ନିର୍ମାଣ ଏବଂ ମାନସିକ ଦୃଢ଼ତା ବୃଦ୍ଧି କରିବେ, ସେଥିପାଇଁ ସରକାରଙ୍କ ସହିତ ବିଭିନ୍ନ ସଂସ୍ଥା ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଯୋଗକୁ ବ୍ୟାପକ କରି ଏକ ସୁସ୍ଥ, ସଶକ୍ତ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ କରିବା ଦିଗରେ ଯୋଗ ମହୋତ୍ସବ ସମିତିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଆଧୁନିକ ଯୁଗରେ ଯୋଗର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି କହିଥିଲେ ଯେ, ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଯୋଗ ହେଉଛି ଏପରି ଏକ ‘ରିଷ୍ଟାର୍ଟ ବଟନ୍’ (Restart Button), ଯାହା ମାଧ୍ୟମରେ ସମସ୍ତଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ୍ ରହିପାରିବ। ଧ୍ୟାନ, ପ୍ରାଣାୟାମ ଏବଂ ଯୋଗ ହିଁ ଜୀବନରେ ସଫଳତାର ପ୍ରକୃତ ମନ୍ତ୍ର ବୋଲି ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ।
ସମାରୋହରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଡକ୍ଟର ସୁଧାଂଶୁ ତ୍ରିବେଦୀ ଭାରତୀୟ ଦର୍ଶନ ଓ ବୈଦିକ ପରମ୍ପରାର ଗୌରବଗାଥା ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଯୋଗ ଆମର ମହାନ ଭାରତୀୟ ଦର୍ଶନ ଏବଂ ବୈଦିକ ପରମ୍ପରାରୁ ଆସିଛି ଏବଂ ଏହା ଉପରେ ପ୍ରତ୍ୟେକ ଭାରତୀୟ ଗର୍ବ କରିବା ଉଚିତ। ଏହି ପରମ୍ପରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବା ଦରକାର ବୋଲି ମତ ରଖି ଡକ୍ଟର ତ୍ରିବେଦୀ ପ୍ରସ୍ତାବ ଦେଇଥିଲେ ଯେ, ଓଡ଼ିଶାର ପବିତ୍ର ମାଟିରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ହିଁ ସୂର୍ଯ୍ୟ ନମସ୍କାର ଯୋଗର ପ୍ରଥମ ସୃଷ୍ଟି । ଆଜି ଆମ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ଏହାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ସମସ୍ତେ ମିଳିତ ପ୍ରଚେଷ୍ଟା କରୁଛୁ ଏବଂ ଆଗାମୀ ଭବିଷ୍ୟତ ଅତ୍ୟନ୍ତ ସୁନ୍ଦର ରହିଛି ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ଆୟୋଜିତ ଏହି ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ଯୋଗ ମହୋତ୍ସବ ସମିତିର ସଭାପତି ଶ୍ରୀ ଆଲୋକ ଦାଶଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା କାର୍ଯ୍ୟକର୍ତ୍ତା, ଯୋଗ ସାଧକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।




