କଲରାପତରିଆ ଚମଡ଼ା ଜବତ: ଚାଲାଣକାରୀକୁ ମାଡ଼ିବସିଲା ଏସ୍ଟିଏଫ୍
ଭୁବନେଶ୍ବର: କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛି ପୁଣି ଜଣେ କଲରାପତରିଆ ବାଘ ଚମଡ଼ା ଚାଲାଣକାରୀ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲା ନାରାୟଣ ମାଝୀ। ଆଜି ନାରାୟଣକୁ କଣ୍ଟାମାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଧୂର୍ତ୍ତ ନାରାୟଣଠାରୁ ବାଘ ଚମଡ଼ା ଚାଲାଣର ସମସ୍ତ ତଥ୍ୟ ଆଦାୟ କରିବା ସମ୍ଭବ ହୋଇନଥିବାରୁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଇଛି। କେଉଁ ଜଙ୍ଗଲରେ ବାଘଟିକୁ ଶିକାର କରାଯାଇଥିଲା, ଶିକାରୀ କିଏ ଏବଂ କିଣାବିକା ରୢାକେଟ୍ର ମୂଳ କେଉଁଠି, ଏସବୁ ତଥ୍ୟ ହାତେଇବାକୁ ନାରାୟଣକୁ ଏସ୍ଟିଏଫ୍ ରିମାଣ୍ଡ୍ରେ ଆଣିବ ବୋଲି ସୂଚନା ମିଳିଛି। ସବୁଥର ଭଳି ଏଥର ମଧ୍ୟ ଏସ୍ଟିଏଫ୍ ସ୍ଥାନୀୟ ଚାଲାଣକାରୀକୁ ଧରିଛି। କିଣିବା ପାର୍ଟି ଖସିଯିବାରେ ସକ୍ଷମ ହୋଇଛି।
ଚାଲାଣକାରୀକୁ ମାଡ଼ିବସିଲା ଏସ୍ଟିଏଫ୍
୪ବର୍ଷରେ ଜବତ ହେଲାଣି ୫୦,ଚଳିତ ବର୍ଷ ୮
ଧରାପଡ଼ୁନାହାନ୍ତି କିଣିବା ପାର୍ଟି
ଆଜି ସକାଳୁ ଏସ୍ଟିଏଫ୍ର ଏକ ଟିମ୍ ବୌଦ୍ଧ ମନମୁଣ୍ଡା ଶଗଡ଼ା ରାସ୍ତା ମେହେରୁନି ବ୍ରିଜ୍ ନିକଟରେ ଛକି ରହିଥିଲା। ପୂର୍ବରୁ ସମର୍ଥିତ ସୂତ୍ରର ସୂଚନା ଆଧାରରେ ଏସ୍ଟିଏଫ୍ ଟିମ୍ କୃଷିଶ୍ରମିକ ବେଶରେ ଛକି ରହିଥିଲା। ନାରାୟଣ ବାଇକ୍ ଯୋଗେ ଆସି ଉକ୍ତ ବ୍ରିଜ୍ ନିକଟରେ ଅଟକିଥିଲା। କାରଣ ବ୍ରିଜ୍ ନିକଟରେ ହିଁ ଚମଡ଼ାଟି ହସ୍ତାନ୍ତର ହେବାର ଥିଲା। ନାରାୟଣର ସନ୍ଦେହଜନକ ଗତିବିଧିକୁ ଲକ୍ଷ୍ୟ କରି ଏସ୍ଟିଏଫ୍ ସ୍କ୍ବାଡ୍ ତାକୁ ଠଉରାଇ ନେଇଥିଲେ। କିନ୍ତୁ ବାଘ ଚମଡ଼ା ନେବା ପାର୍ଟି ଆସିବା ପର୍ଯ୍ୟନ୍ତ ସେମାନେ ନାରାୟଣକୁ କିଛି କହି ନଥିଲେ। ହୁଏତ କୌଣସି ସୂତ୍ରରୁ ବାଘ ଚମଡ଼ା ନେବା ପାର୍ଟିକୁ ପୁଲିସ ଛକିଥିବା ଖବର ମିଳିଯାଇଥିଲା। ତେଣୁ ଧାର୍ଯ୍ୟ ସମୟ ଗଡ଼ିଗଲା ସିନା ସେମାନେ ଆସିନଥିଲେ। ସେମାନଙ୍କ ବିଳମ୍ବ ହେବା ଦେଖି ନାରାୟଣ ବିଚଳିତ ହୋଇ ସେଠାରୁ ପଳାଇବାକୁ ବାହାରିଥିଲା। କିନ୍ତୁ ଏସ୍ଟିଏଫ୍ ଟିମ୍ ତାକୁ ଘେରିଯାଇଥିଲା। ବାଇକ୍ ଡିକି ଯାଞ୍ଚ କରିବାରୁ ସେଥିରୁ କଲରାପତରିଆ ବାଘ ଚମଡ଼ା ମିଳିଥିଲା। ନାରାୟଣକୁ ନେଇ ପୁଲିସ ଯେତେ ପଚରାଉଚରା କରିଥିଲେ ମଧ୍ୟ ତା’ଠାରୁ ସତ ଉଗାରିବା ସମ୍ଭବ ହୋଇନଥିଲା। ତେଣୁ ନାରାୟଣ ଏକ ବଡ଼ ରୢାକେଟ୍ର ତାଲିମପ୍ରାପ୍ତ ସଦସ୍ୟ ହୋଇଥିବା ଅନୁମାନ କରାଯାଉଛି। ଏସ୍ଟିଏଫ୍ ସୂଚନାନୁସାରେ ୨୦୨୦ ମସିହାରୁ ୫୦ରୁ ଅଧିକ କଲରାପତରିଆ ଚମଡ଼ା ଜବତ ହେଲାଣି। ଚଳିତ ବର୍ଷ ମଧ୍ୟ ୮ଟି ଚମଡ଼ା ଜବତ ହେଲାଣି। ମାତ୍ର ପରିତାପର କଥା ଏତେ ପରିମାଣର ବାଘ ଚମଡ଼ା କେଉଁଠିକୁ ଓ କେଉଁ ଉଦ୍ଦେଶ୍ୟରେ ଚାଲାଣ କରାଯାଉଛି, ତା’ର ଚେର ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ପ୍ରାୟ ସବୁଥର କେବଳ ଶିକାରୀ କିମ୍ବା ସ୍ଥାନୀୟ ଚାଲାଣକାରୀ ଧରାପଡ଼ୁଛନ୍ତି। କେବେ ବି କିଣୁଥିବା ପାର୍ଟି ପୁଲିସ ପଞ୍ଝାରେ ପଡ଼ିନାହିଁ।