କୋଟାକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଚିରାଗ-ଜିତନ ମୁହାଁମୁହିଁ

କୋଟା ଭିତରେ କୋଟାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିରୁ ସ୍ୱଛଳ ବର୍ଗ ବାଦ୍ ପଡ଼ିବେ। ଏସସି-ଏସଟି କୋଟାକୁ ନେଇ ଏଭଳି ନିଷ୍ପତ୍ତିକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ଗୋହି ଖୋଳାଖୋଳି ହୋଇଛନ୍ତି ଜିତନରାମ ମାଞ୍ଝି ଓ ଚିରାଗ ପାଶଓ୍ୱାନ୍। ଦଳିତଙ୍କୁ ନେଇ ରାଜନୀତି କରୁଥିବା ଲୋକଜନଶକ୍ତି ପାର୍ଟି ଓ ହିନ୍ଦୁସ୍ତାନ ଆଓ୍ୱାମ୍ ମୋର୍ଚ୍ଚାର ଶୀର୍ଷ ନେତାଙ୍କ ଭିତରେ ଘମାସାନ ହୋଇଛି ରାଜନୀତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନଙ୍କୁ ପୁରୁଣା କଥା ମନେ ପକାଇ ଜିତନ କେଉଁ ମୁହଁରେ କୋଟା ଭିତରେ କୋଟା ଓ ସଂରକ୍ଷଣରେ ସ୍ୱଛଳ ବର୍ଗ ବାଦ୍ ପଡ଼ିବା, କ୍ରିମି ଲେୟାର ତାଲିକା ପ୍ରସ୍ତୁତ ପ୍ରାବଧାନକୁ ସମର୍ଥନ କରୁଛନ୍ତି, ତାକୁ ନେଇ ଛିଗୁଲାଇଛନ୍ତି। ହିନ୍ଦୁସ୍ତାନ ଆଓ୍ୱାମ୍ ମୋର୍ଚ୍ଚା ବା ହାମ୍ ର ଅଧ୍ୟକ୍ଷ ଜିତନ ସିଂଙ୍କୁ ମନ୍ଦିର ସଫା କରିବାର କଥାକୁ ମନେ ପକାଇଦେଇଛନ୍ତି। ବଡ଼ କଥା ହେଲା। ଏହି ଦୁଇ ନେତା ଏବେ କେନ୍ଦ୍ରରେ ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି। ୨୦୧୪ର ଘଟଣା ମନେ ପକାଇଛନ୍ତି ଚିରାଗ। ଜିତନ ଏକଦା ମନ୍ଦିର ଯାଇଥିବାରୁ ସେ ବାହାରକୁ ଆସିବା ପରେ ମନ୍ଦିରକୁ ଗଙ୍ଗାଜଳରେ ସଫା କରାଯାଇଥିଲା। ଯଦି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏମିତି ହୋଇପାରିଲା। ତାହେଲେ ଅନ୍ୟ ଦଳିତଙ୍କ କଥା ନକହିବା ଭଲ। ଜିତନଙ୍କ ସହ ଆଜିକା ତାରିଖରେ ବି ଛୁଆଁ ଅଛୁଆଁ ଭେଦଭାବ ହେଉଛି। ସେଥିଲାଗି କୋଟା ଭିତରେ କୋଟା ରହୁ କି କ୍ରିମି ଲେୟାରର ପ୍ରାବଧାନ ରହୁ। ଏହା ସମ୍ଭବ ନୁହେଁ। ସୁପ୍ରିମକୋର୍ଟ ସିନା ନିଜ ରାୟରେ କୌଣସିଥିରେ ବି ଛୁଆଁ ଅଛୁଆଁ ଭେଦଭାବ କଥା ଉଠାଇନାହାନ୍ତି। କିନ୍ତୁ ବାସ୍ତବରେ ଅନୁସୂଚିତ ଜାତି ଏମିତି ବର୍ଗ ଅଟେ, ଯାହାଙ୍କୁ ଛୁଆଁ ଅଛୁଆଁ ଆଧାରରେ ସଂରକ୍ଷଣ ଦିଆଯାଇଥିଲା। ଜିତନରାମ ମାଞ୍ଝୀ ଗଲା ସୋମବାର କହିଥିଲେ ଯେ, ୭୬ ବର୍ଷ ହେଲା ୪ଟି ଜାତି ହିଁ ସଂରକ୍ଷଣର ଲାଭ ଉଠାଇ ଆସୁଛନ୍ତି। ଚିରାଗଙ୍କ ନାଁ ନ ନେଇ କଟାକ୍ଷ କରିଥିଲେ। ସଂରକ୍ଷଣ ସୁବିଧା ନେଇ ସବୁ ଭୋଗ କରୁଛନ୍ତି ଏମାନେ। କିନ୍ତୁ ଭୂଇଁଆ, ଡମ୍ୱ, ମେହେନ୍ତର ଭଳି ଜାତିରୁ କେତେ ଆଇଏଏସ, ଆଇପିଏସ ଓ ଇଞ୍ଜିନିୟର ବାହାରିଲେଣି ବୋଲି ପଚାରିଥିଲେ ଜିତନ।