ମୋଦିଙ୍କ ‘ଏକ ହେ ତୋ ସେଫ୍ ହେ’ ବୟାନକୁ ସଞ୍ଜୟଙ୍କ କଟାକ୍ଷ, କହିଲେ “ଏପରି ବୟାନବାଜି ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନି”
ମୁମ୍ବାଇ,୦୯/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଦିନ ନିକଟ ହେଉଛି । ଏହାରି ଭିତରେ ନେତା ମନ୍ତ୍ରୀଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି । ପରସ୍ପରକୁ ଟାର୍ଗେଟ କରୁଛନ୍ତି ବିଧାୟକ ସାଂସଦ । ଶୁକ୍ରବାର ମହାରାଷ୍ଟ୍ରରେ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ଟାର୍ଗେଟ କରିଛନ୍ତି ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାୱତ ।
ଗତକାଲି (ଶୁକ୍ରବାର) ମହାରାଷ୍ଟ୍ର ଧୁଲେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିକୁ ସମ୍ବୋଧନ କରି କଂଗ୍ରେସ ଓ ମହାବିକାଶ ଅଘାଡି ଉପରେ ବର୍ଷିଥିଲେ । ପିଏମ ମୋଦି ବିରୋଧୀଙ୍କୁ ଟାର୍ଗେଟ କରି ‘ଏକ ହେ ତୋ ସେଫ୍ ହେ’ ବୟାନ ଦେଇଥିଲେ । ଏହାକୁ ନେଇ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାୱତ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ,”ଏପରି ବୟାନବାଜି କରିବା ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ। ‘ବଟେଙ୍ଗେ ତୋ କେଟେଙ୍ଗେ’ ବୟାନ ଚାଲିଲା ନାହିଁ ଏବେ ‘ଏକ ହେ ତୋ ସେଫ୍ ହେ’ କହୁଛନ୍ତି। କାହାକୁ ସେ ସେଫ୍ କରୁଛନ୍ତି । କାହାକୁ ଏକାଠି କରିବାକୁ ଚାହୁଁଛନ୍ତି । କଣ ଦେଶର ସମଗ୍ର ଜନତା ତାଙ୍କର ନୁହଁନ୍ତି । ଆମେ ମହାରାଷ୍ଟ୍ରରେ ଅଧିକ ସୁରକ୍ଷିତ ଅଛୁ। ବିଜେପି ଏଠୁ ହଟିଲେ ଆମେ ଅଧିକରୁ ଅଧିକ ସୁରକ୍ଷିତ ମନେ କରିବୁ।”
ସେ ଆହୁରି କହିଛନ୍ତି ଯେ, ”ବିଜେପି ମହାରାଷ୍ଟ୍ର ଆସିଲେ ଆମେ ଅସୁରିକ୍ଷିତ ମନେ କରୁଛୁ । ତେଣୁ ସେ ଏଠାରୁ ଆଉଟ ହେବା ଜୁରୁରି । ଆମେ ଜାଣିଛୁ ସେ ଏଠାକୁ ଆସିଲେ ଲୋକଙ୍କୁ ଦଙ୍ଗା ପାଇଁ ଉସକେଇବେ । ବଟେଙ୍ଗେ ତୋ କଟେଙ୍ଗେ ଘୋଷଣା କରିବେ । ଏଠାକୁ ବିଜେପି ଆସିଲେ ଆମେ ଅସୁରିକ୍ଷିତ ତେଣୁ ତାଙ୍କୁ ଏ ରାଜ୍ୟରୁ ଫୋପାଡି ଦେବୁ ।”