ରାଜନୀତି

ପ୍ରଚାରସାରି ଫେରିଲା ବେଳେ ସଂଘବଦ୍ଧ ଆକ୍ରମଣ: ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୪ ଗୁରୁତର – Kalinga News

[ad_1]

ଖଣ୍ଡା, ଭୁଜାଲିରେ ଆକ୍ରମଣ ଅଭିଯୋଗ


ଧାମରା: ନିର୍ବାଚନ ପ୍ରଚାରର ଶେ‌ଷଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ଘଟିଛି ନିର୍ବାଚନୀ ହିଂସା। ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ‌ଏହି ଆକ୍ରମଣରେ ଶହେରୁ ଅଧିକ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ଅଭି‌ଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଗୁରୁବାର ମଧ୍ୟାହ୍ନରେ ଧାମରା ନିକଟ କରଞ୍ଜମାଳ ପଞ୍ଚାୟତ ଧାନକୁଟା ଗାଁରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ଓ ତାଙ୍କ ଟିମ୍‌ ପ୍ରଚାର କରିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରଚାରସାରି ଫେରିବା ବେଳେ ଶଶୀକାଦେଇପୁର ନିକଟରେ କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଓ ତାଙ୍କର ସହଯୋଗୀମାନେ ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିସହ ଅଭିଳାଷଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଗୁରୁତର ଆହତ ଅଭିଳାଷଙ୍କ ସମେତ ୪ ଜଣଙ୍କୁ ଅନ୍ୟ ସହଯୋଗୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରଚାରରେ ସାମିଲ ଥିବା କିଛି ବିଜେପି କର୍ମୀଙ୍କୁ ଆକ୍ରମଣକାରୀ ଅପହରଣ କରି ନେଇଥିବା ବିଜେପି ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ କରାଯାଇଛି।

ଖଣ୍ଡା, ଭୁଜାଲିରେ ଆକ୍ରମଣ ଅଭିଯୋଗ
ଧାମରା-ବାସୁଦେବପୁର ରାସ୍ତା ଅବରୋଧ

ଏହି ଖବର ପ୍ରଚାରିତ ହେବାପରେ ଶତାଧିକ ବିଜେପି କର୍ମୀ ଧାନକୁଟାଠାରେ ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ପୁଲିସ ଆକ୍ରମଣକାରୀଙ୍କୁ ଗିରଫ ନ କରିବା ଯାଏ ଧାରଣା ଜାରି ରହିବ ବୋଲି ବିଜେପି ନେତା ରୁଦ୍ର ମହାନ୍ତି, ଭାସ ମହାଳିକ ପ୍ରମୁଖ ଚେତାବନୀ ଦେଇଛନ୍ତି। ରାତି ପ୍ରାୟ ୧୦ଟା ସୁଦ୍ଧା ରାସ୍ତାରୋକ ଜାରି ରହିଥିବା ବେଳେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ, ବିଜେପି କର୍ମୀମାନେ ପ୍ରଥମେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ମଧ୍ୟ ରାସ୍ତାରୋକ କରାଯାଇଛି। ଏହି ଘଟଣାରେ ୩ ଜଣ କର୍ମୀଙ୍କୁ ଥାନାରେ ଅଟକ ରଖାଯିବା ପ୍ରତିବାଦରେ ସ୍ଥାନୀୟ ବିଜେଡି ନେତା ଅନୀଲ ନାୟକଙ୍କ ନେତୃତ୍ବରେ କରଞ୍ଜମାଳ ପଞ୍ଚାୟତ ବଇଁଚା ନିକଟରେ ଦଳୀୟ କର୍ମୀ ଧାରଣାରେ ବସିଥିବା ଜଣାପଡ଼ିଛି।

ପରାଜୟ ଭୟରେ ବିଜେଡି ହିଂସାକାଣ୍ଡ କରୁଛି: ମନମୋହନ

ଭୁବନେଶ୍ୱର: ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା ହୋଇପଡ଼ିଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଭି‌ଯୋଗ କରିଛନ୍ତି। ଶ୍ରୀ ସାମଲ କହିଛନ୍ତି ଯେ ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ଅଞ୍ଚଳର କାଞ୍ଜିଆମାଳ ପଞ୍ଚାୟତ ଧାନକୁଟା ଗାଁରେ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନଙ୍କୁ ପ୍ରଚାର କରୁଥିବାବେଳେ ସେମାନଙ୍କୁ ସ୍ଥାନୀୟ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ଏହାସହ ଶ୍ରୀ ସାମଲ କହିଛନ୍ତି ଯେ ଗତ ୪ଦିନ ତଳେ ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ସାହୁ ଓ ବିଜେପିର କାର୍ଯ୍ୟକର୍ତାଙ୍କୁ ସେହି ଚାନ୍ଦବାଲି ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡ଼ିକୁ ଭାଙ୍ଗି ଦେଇଥିଲେ। ପରାଜୟ ବିଜେଡି ନେତାମାନେ ଏଭଳି ଅନୈତିକ ଓ ହିଂସାକାଣ୍ଡ ଭିଆଉଛନ୍ତି। ଯେଉଁମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି ଓ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରି ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ବିଦା କରିବାକୁ ଶ୍ରୀ ସାମଲ ସିଇଓଙ୍କ ନିକଟରେ ଦାବି କରିଛନ୍ତି।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button