ଅପରାଧ

ଏସ୍‌ଟିଏଫ୍‌ ପଞ୍ଝାରେ ନିଶା ମାଫିଆ କଟି: ୩ ମାସର ଲୁଚକାଳି ଖେଳ ଖତମ – Kalinga News

[ad_1]

ବନ୍ଧୁକମୁନରେ ବ୍ରାଉନ୍‌ସୁଗାର ବେପାର


ଭୁବନେଶ୍ବର: ୩ ମାସର ଲୁଚକାଳି ଖେଳ ପରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପଞ୍ଝାରେ ଫସିଛି ମୟୂରଭଞ୍ଜର ଦୁର୍ଦ୍ଦାନ୍ତ ନିଶା ମାଫିଆ ସେକ୍‌ ମହତାବ ଅଲ୍ଲୀ ଓରଫ୍ କଟି। ଗତକାଲି ରାତିରେ ପୁଲିସ ଟିମ୍‌ ତାକୁ ବାରିପଦା ନିକଟ ଚିପତଅସ୍ତିଆ ଗାଁରୁ ଉଠାଇଛି। ଆଜି ତାକୁ କରଞ୍ଜିଆ ଏଡିଜେ କୋର୍ଟରେ ହାଜର କରାଯିବା ପରେ ବାରିପଦା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା କଟି ବିରୋଧରେ ମୟୂରଭଞ୍ଜରେ ପୁଳାପୁଳା ଆପରାଧିକ ମାମଲା ରହିଛି। ତା’ ନାଁରେ ବେତନଟି ଓ ବାରିପଦାରେ ଆର୍ମଡ୍‌ ଆକ୍ଟରେ ମାମଲା ସହିତ ହତ୍ୟା ଧମକ ମାମଲା ମଧ୍ୟ ରହିଛି। ତେଣୁ ବାରିପଦା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା କଟି ବିରୋଧରେ ସଂଗୀନ ଦଫା ଲାଗୁ କରାଯାଇଛି। ବାରମ୍ବାର ଜାମିନରେ ଆସି ନିଶା କାରବାର କରୁଥିବାରୁ ଏଥର ତା’କୁ ପୁଣି ଜାମିନ ନ ମିଳିବା ପାଇଁ କଠୋର ବ୍ୟବସ୍ଥା ଗ୍ରହଣ କରାଯାଇଛି।

୨୦୨୪ ଫେବ୍ରୁଆରି ୨୧ରେ ଏସ୍‌ଟିଏଫ୍ ଟିମ୍‌ ମୟୂରଭଞ୍ଜ କରଞ୍ଜିଆରେ କଟିକୁ ପିଛା କରୁଥିବା ବେଳେ ସେ ପୁଲିସ ଟିମ୍‌କୁ ଚକ୍‌ମା ଦେଇ ଛୁ’ ମାରିଥିଲା। କିନ୍ତୁ କଟିର ସହଯୋଗୀ କ୍ଷୀରସିନ୍ଧୁ ଧରାପଡ଼ିଥିଲା ଏବଂ ତା’ ପାଖରୁ ୩୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର(ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା) ଜବତ କରାଯାଇଥିଲା। କରଞ୍ଜିଆ ଏନ୍‌ଏସି ୮ ନମ୍ବର ୱାର୍ଡସ୍ଥିତ କ୍ଷୀରସିନ୍ଧୁ ଘରୁ ଏହି ବ୍ରାଉନ୍‌ସୁଗାର ମିଳିଥିଲା। ସେବେଠୁ କଟିକୁ ଧରିବାକୁ ଏସ୍‌ଟିଏଫ୍ ଲାଗିଥିଲା। ପୂର୍ବରୁ ୨୦୨୦ ମସିହାରେ ଏସ୍‌ଟିଏଫ୍ କଟିକୁ ଗିରଫ କରିଥିଲା। ସେତେବେଳେ ତା’ ନିକଟରୁ ୩.୨୫୬ କେଜି ବ୍ରାଉନ୍‌ସୁଗାର(ବଜାର ମୂଲ୍ୟ ସାଢ଼େ ୩ କୋଟି) ଜବତ କରାଯାଇଥିଲା।

ଜଣେ ନିଶାମାଫିଆଠାରୁ ଏତେ ପରିମାଣର ବ୍ରାଉନ୍‌ସୁଗାର ଜବତ ହେବା ଘଟଣା ସେତେବେଳେ ଓଡ଼ିଶାରେ ପ୍ରଥମ ଥିଲା ଏବଂ ହଇଚଇ ସୃଷ୍ଟି କରିଥିଲା। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ବଡ଼ବଡ଼ ଗ୍ୟାଙ୍ଗ୍‌ ମଧ୍ୟରୁ କଟି ଥିଲା ଅନ୍ୟତମ। କିନ୍ତୁ ୨ ବର୍ଷ ପରେ ୨୦୨୨ ମସିହାରେ ତାକୁ ଜାମିନ ମିଳିଗଲା। ଜାମିନରେ ଆସିବା ପରେ ସେ ପୁଣି ବ୍ରାଉନ୍‌ସୁଗାର ଚାଲାଣ ଆରମ୍ଭ କରିଦେଇଥିଲା। ତେଣୁ ନଜର ରଖିଥିବା ଏସ୍‌ଟିଏଫ୍‌ ଟିମ୍‌ ପୁଣି ତାକୁ ପିଛା କରିଥିଲା। କିନ୍ତୁ ଚଳିତ ବର୍ଷ ଫେବ୍ରୁଆରିରେ ସେ ଅଳ୍ପକେ ଏସ୍‌ଟିଏଫ୍‌ ହାତରୁ ଚମ୍ପଟ ମାରିଥିଲା। ଅନେକ ସଂଗିନ୍‌ ମାମଲାରେ ସଂପୃକ୍ତ ଥିବାରୁ କଟି ବିରୋଧରେ ପ୍ରିଭେନ୍‌ସନ୍‌ ଅଫ୍ ଇଲିସିଟି ଟ୍ରାଫିକିଂ ଇନ୍ ନାର୍କୋଟିକ୍‌ ଡ୍ରଗ୍‌ସ ଆଣ୍ଡ୍‌ ସାଇକୋ ସବ୍‌ଷ୍ଟାନସେସ୍ ଆକ୍ଟ ୧୯୮୮ରେ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ନିଶା କାରବାରରୁ କଟି କେତେ ଟଙ୍କା ସଂଗ୍ରହ କରିଛି, କେତେ ସଂପତ୍ତିର ମାଲିକ ହୋଇଛି, ତାର ଖୋଳତାଡ଼ ହେବ। ରାଜ୍ୟ ଓ ରାଜ୍ୟ ବାହାରେ କଟିର ନେଟ୍‌ଵର୍କ ବାବଦରେ ଛାନ୍‌ଭିନ କରାଯିବ ଏସ୍‌ଟିଏଫ୍ ସୂତ୍ରରୁ ଜଣାପଡ଼ିଛି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button