‘ଆସା’ ହିଁ ଭରସା: ତିନି ଦଶନ୍ଧି ଧରି ଯୁବ ଗୋଷ୍ଠୀଙ୍କୁ ଦେଖାଉଛି ଦୁଃସାହସିକ ବାଟ – Kalinga News

[ad_1]
ଭୁବନେଶ୍ବର: ଦୁଃସାହସିକ ଅଭିଯାନ ସହିତ ଖେଳ ଦୁନିଆର ସମ୍ପର୍କ ବେଶ ନିବିଡ଼ ରହିଥିଲେ ମଧ୍ୟ ପେସାଦାର ଖେଳ ଭାବେ ଏହା ବିଶେଷ ଆଦୃତ ହୋଇପାରିନାହିଁ। କିନ୍ତୁ ଓଡ଼ିଶାରେ ସୀମିତ ସୁଯୋଗ, ସମ୍ବଳ ଓ ଭିତ୍ତିଭୂମି ଅଭାବ ଭିତରେ ବ୍ୟକ୍ତିଗତ ପ୍ରୟାସ କାରଣରୁ ଏହା ଯେଉଁ କିଂଚିତ ସଫଳତା ପାଇଛି ତାହାର ବଡ଼ ଶ୍ରେୟ ନେଉଛି ‘ଆସା’ (ଆସୋସିଏସନ୍ ଫର୍ ଆଡଭେଞ୍ଚର୍ ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍)। ରାଜ୍ୟର ଯୁବ ଗୋଷ୍ଠୀ ପାଇଁ ନିଆରା ‘ଆଶା’ର କିରଣ ଯୋଗାଉଥିବା ‘ଆସା’ ଚଳିତ ବର୍ଷ ଏହାର ୩୦ ବର୍ଷ ପୂର୍ତ୍ତି ତଥା ସ୍ବନକ୍ଷତ୍ର ପାଳନ କରିବାକୁ ଯାଉଛି। ଅତୀତରେ ନୈବାଣିଜ୍ୟ ପାଇଁ ଓଡ଼ିଶା ଲୋକ ସମୁଦ୍ରପଥରେ ଦୁଃସାହସିକ ଯାତ୍ରା କରି ଛାଡ଼ିଯାଇଥିବା ପରମ୍ପରାକୁ ‘ଆସା’ ଖେଳରେ ରୂପାନ୍ତରିତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜାତୀୟସ୍ତରରେ ଦୁଃସାହସିକ ଖେଳ ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିବା ଆଇଏମ୍ଏଫ୍ (ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍)ର ଏକମାତ୍ର ଅନୁବଂଧିତ ରାଜ୍ୟ ସଂଘ ହେଉଛି ‘ଆସା’। ଏହା ବାଦ୍ ଅନ୍ୟ ଦୁଇ ଜାତୀୟସ୍ତରର ସଂସ୍ଥା ନ୍ୟାସନାଲ୍ ଆଡ୍ଭେଞ୍ଚର୍ ଫାଉଣ୍ଡେସନ ଓ ନ୍ୟାସନାଲ୍ ଆଡ୍ଭେଞ୍ଚର୍ କ୍ଲବ୍ ମଧ୍ୟ ଅନୁରୂପ କାର୍ଯ୍ୟକଳାପ କରିଥାନ୍ତି। ଏହି ଦୁଇ ସଂସ୍ଥା ସହିତ ମଧ୍ୟ ଜଡ଼ିତ ରହିଛି ‘ଆସା’। ଚଣ୍ଡୀଖୋଲରେ ସାଇକେଲ ପୁରସ୍କାର ରଖି କରାଯାଉଥିବା ଏକ ପାହାଡ଼ଚଡ଼ା ଅଭିଯାନରୁ ସମ୍ଭବତଃ ‘ଆସା’ର ଅଙ୍କୁରୋଦଗମ ହୋଇଥିଲା। ନବେ ଦଶକ ପ୍ରାରମ୍ଭରେ ରାଜଧାନୀର କିଛି ଦୁଃସାହସିକ ଅନୁରାଗି ବ୍ୟକ୍ତିଙ୍କ ପ୍ରୟାସ କାରଣରୁ ଏହା ଆନୁଷ୍ଠାନିକ ଭାବେ ଗଠିତ ହୋଇଥିଲା। ୧୯୯୪ ମସିହାଠାରୁ ଯେ ଯୁବଶକ୍ତିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲିଯାଇଛି ଏଥିରେ ଦ୍ବିମତ ହେବାର ନାହିଁ। ରବୀନ୍ଦ୍ର ଭୂୟାଁ, ସରୋଜ ମୁଦୁଲି, ମଳୟ ବେହେରା, ସତ୍ୟବ୍ରତ ମହାନ୍ତି, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଥିଲେ ଆସାର ପ୍ରତିଷ୍ଠାତା ବ୍ୟକ୍ତିତ୍ବ। ଏହି ସଂସ୍ଥାର ଅନ୍ୟତମ ଅଗ୍ରଣୀ ଚେହେରା ଗଣେଶ ଚନ୍ଦ୍ର ଜେନା। ଏହି ପୃଷ୍ଠଭୂମିରୁ ବାହାରିବା ପରେ ୨୦୧୧ରେ ରାଜ୍ୟର ପ୍ରଥମ ସଫଳ ପୁରୁଷ ଏଭରେଷ୍ଟ୍ ଆରୋହୀ ହୋଇପାରିଥିଲେ। ତାଙ୍କ ପୂର୍ବରୁ ୨୦୦୬ରେ କଳ୍ପନା ଜେନା ପ୍ରଥମ ଓଡ଼ିଆ ଭାବେ ଏହି ଗୌରବ ଆଣିଥିଲେ। ଗଣେଣଙ୍କ ଏଭରେଷ୍ଟ୍ ଅଭିଯାନ ଓ ସରକାରଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ କାରଣରୁ ରାଜ୍ୟର ଏକାଧିକ ଯୁବ ପର୍ବତାରୋହଣ ତଥା ଦୁଃସାହସିକ ଖେଳକୁ କ୍ୟାରିୟର କରିବାକୁ ଆଗେଇ ଆସିଥିଲେ। ପରେ ପରେ ଦେବୀଦତ୍ତ ପଣ୍ଡା, ଯୋଗବ୍ୟାସ ଭୋଇ, ପ୍ରଦୀପ ଜେନା, ଚେତନା ସାହୁ, ସ୍ବର୍ଣ୍ଣଲତା ଦଳାଇ, ସିଦ୍ଧାର୍ଥ ରାଉତରାୟ ଏହି ତାଲିକାରେ ଯୋଡ଼ି ହୋଇପାରିଥିଲେ। ଏବେ ଶହ ସହ ଯୁବକ ଯୁବତୀ କେବଳ ଏଭରେଷ୍ଟ୍ ନୁହେଁ ବିଶ୍ବର ଅନ୍ୟ ପ୍ରମୁଖ ମହାଦେଶୀୟ ଶୃଙ୍ଗ ଆରୋହଣ କରିବାର ସ୍ବପ୍ନ ଦେଖିବା ସହ ସଫଳ ହୋଇଚାଲିଛନ୍ତି। ସସ୍ମିତା ପ୍ରଧାନ, ଅନୀତା ସ୍ବାଇଁ, ନିତୁ ବିଶୋଇ, ଚିନ୍ମୟ ମହାରଣା, ଦେବଦତ୍ତ ସାମନ୍ତରାୟ, ନିରଂଜନ ଦାସଙ୍କ ଭଳି କିଛି ଉଦୀୟମାନ ପ୍ରତିଭା ମଧ୍ୟ ଏହି ଦୁଃସାହସିକ ଯାତ୍ରାରେ ସାମିଲ ହୋଇ ଇନଷ୍ଟ୍ରକ୍ଟର ପାଲଟିପାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତିନି ଦଶନ୍ଧିର ଯାତ୍ରା ଭିତରେ ଆସା ୩୦ ଥର ଚଣ୍ଡୀଗଡ଼ରେ ଜାତୀୟ ଦୁଃସାହସିକ ଉତ୍ସବରେ ଅଂଶଗ୍ରହଣ କରିବା ସହିତ ୧୨ ଥର ଶିବିର ଆୟୋଜନ କରିଛି। ଅସ୍ତରଙ୍ଗରୁ ପୁରୀ, କୋଣାର୍କରୁ ପୁରୀ, ସୋନପୁରରୁ ଏ ନୂଆଗାଁ ଆଦି ୫ଟି ଟ୍ରେକିଂ ଅଭିଯାନ ମଧ୍ୟ ସମ୍ପନ୍ନ କରିଛି। ସାମ୍ପ୍ରତିକ ସମୟରେ ମାଉଣ୍ଟ୍ ୟୁନାମ, ମାଉଣ୍ଟ୍ ଫ୍ରେଣ୍ଡସିପ୍ ଓ ଷ୍ଟକ୍ କାଙ୍ଗ୍ରୀ ଭଳି ପ୍ରମୁଖ ପର୍ବତାମାଳରେ ମଧ୍ୟ ଓଡ଼ିଶା ଦଳକୁ ପହଞ୍ଚାଇବାରେ ସଫଳ ହୋଇଛି। ଦୁଃସାହସିକ କ୍ରୀଡ଼ା କାର୍ଯ୍ୟକଳାପ ସହିତ ୧୯୯୯ ମହାବାତ୍ୟା, ୨୦୦୦ ବନ୍ୟା ପରିସ୍ଥିତିରେ ମଧ୍ୟ ସାମାଜିକ କାର୍ଯ୍ୟକ୍ରମ ସହିତ ସ୍ବାସ୍ଥ୍ୟସେବା, ରକ୍ତଦାନ, ବୃକ୍ଷରୋପଣ ଭଳି ବିବିଧ କାର୍ଯ୍ୟକ୍ରମ କରି ପ୍ରଶଂସିତ ହୋଇଛି। ନିକଟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହଯୋଗରେ କୋଷ୍ଟାଲ୍ ଟ୍ରେକିଂ ଓ ମହେନ୍ଦ୍ରଗିରି ମାଉଣ୍ଟେନ୍ ଟ୍ରେକିଂ କାର୍ଯ୍ୟକ୍ରମ ସଫଳତାର ସହ ସମାପିତ ହେବା ପରେ ‘ଆସା’ର ସମ୍ପାଦକ ଗଣେଶ ଚନ୍ଦ୍ର ଜେନା ଅଧିକ ଉତ୍ସାହିତ ଅଛନ୍ତି। ସମ୍ବଳ ଅଭାବରୁ ଆମେ ଅଧିକ କାର୍ଯ୍ୟକ୍ରମ କରିପାରୁନୁ, କିନ୍ତୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସମର୍ଥନରେ ଆୟୋଜିତ ଦୁଇଟି ଯାକ ଟ୍ରେକିଂ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ପିଲା ଅଂଶଗ୍ରହଣ କରିବା ପରେ ଆମେ ଆମ ଦକ୍ଷତାକୁ ମାପି ପାରିଛୁ। ଆଗକୁ ଅଧିକ ଦୁଃସାହସିକ କାର୍ଯ୍ୟକ୍ରମ ସହିତ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ଯୋଜନା ରହିଛି ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଛନ୍ତି ଦେଶର ଏକମାତ୍ର ଏଭରେଷ୍ଟ୍ ମାରାଥନର୍ ଗଣେଶ ଚନ୍ଦ୍ର ଜେନା।
ଯୁବ ସେବା କାର୍ଯ୍ୟକଳାପ ଠପ୍
ରାଜ୍ୟରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଖେଳ ଓ ପେସାଦାର ଖେଳାଳିଙ୍କ ପାଇଁ ସରକାର ଭଲ କାର୍ଯ୍ୟ କରୁଛନ୍ତି। କିନ୍ତୁ ବିଜୁ ବାବୁଙ୍କ ସ୍ବପ୍ନର ଦୁଃସାହସିକ କାର୍ଯ୍ୟକଳାପ ଏକ ପ୍ରକାର ଠପ୍ ହୋଇଯାଉଥିବାରୁ ମନସ୍ତାପ କରିଛନ୍ତି ଏଭେରେଷ୍ଟ୍ ବିଜେତା ତଥା ‘ଆସା’ର ସମ୍ପାଦକ ଗଣେଶ ଚନ୍ଦ୍ର ଜେନା। ‘‘କେବଳ ପାହାଡ଼ ଚଢ଼ାକୁ ଦୁଃସାହସିକ ଖେଳ କୁହାଯାଏ ନାହିଁ। ଏହାକୁ ବ୍ୟାପକ ଓ ସାମଗ୍ରିକ ଭାବେ ବିଚାର କରିବାକୁ ପଡ଼ିବ। ଏଥି ପ୍ରତି ଆବଶ୍ୟକ ସଚେତନତାକୁ ଆନ୍ଦୋଳନରେ ପରିଣତ କରିବା ଓ ତଦନୁଯାୟୀ ଭିତ୍ତିଭୂମି ଯୋଗାଇଦେବା ଜରୁରି। ଏବେ ରାଜ୍ୟ ସରକାର ଖେଳକୁ ଭଲ ଭାବେ ସମର୍ଥନ କରୁଛନ୍ତି କିନ୍ତୁ ଏହି ବିଭାଗର ସଂଯୁକ୍ତ ‘ଯୁବ ସେବା’ ଅବହେଳିତ ଅବସ୍ଥାରେ ରହିଛି। ବିଗତ ୫ ବର୍ଷ ହେବ ରାଜ୍ୟର ଦୁଃସାହସିକ ଅଭିଯାତ୍ରୀ ଦଳ ଆଉ କେଉଁଆଡ଼େ ଯାଉନାହାନ୍ତି। ପର୍ବତାରୋହଣ ସହିତ ଟ୍ରେକିଂ, କ୍ଲାଇମ୍ବିଂ, ପାରା ଗ୍ଲାଇଡିଂ, ରାଫଟିଂ, ରକ୍ କ୍ଲାଇମ୍ବିଂ, ସ୍କାଏ ଡାଇଭିଂ ଭଳି କାର୍ଯ୍ୟକ୍ରମ ତ ହେଉନାହିଁ। ରାଜ୍ୟର ଏଭରେଷ୍ଟ୍ ବିଜେତାଙ୍କ ଅଭିଜ୍ଞତାକୁ ଉପଯୋଗ କରାଗଲେ ଦୁଃସାହସିକ କାର୍ଯ୍ୟକଳାପ ବଢ଼ିପାରନ୍ତା’’ ବୋଲି ପ୍ରକାଶ କରିଛନ୍ତି ୫୧ ବର୍ଷୀୟ ଗଣେଶ।
[ad_2]