ରାଜ୍ୟ

ପୁରୀ ବିମାନବନ୍ଦର ପ୍ରକଳ୍ପକୁ ଧକ୍କା: ଏଫ୍‌ଏସିରେ ନିଷ୍ପତ୍ତି ପୁଣି ଘୁଞ୍ଚିଲା

ଭୁବନେଶ୍ବର: ପୁରୀରେ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ଯୋଜନାକୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଧକ୍କା ଲାଗିଛି। ପୁରୀରେ ବିମାନ ବନ୍ଦର ସହିତ ୬ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ ୱେ ନିର୍ମାଣ ସଂକ୍ରାନ୍ତ ଓଡ଼ିଶା ସରକାରଙ୍କ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଉପଦେଷ୍ଟା କମିଟି (ଏଫ୍‌ଏସି)ର ମଞ୍ଜୁରି ନିଷ୍ପତ୍ତି ପୁଣି ଥରେ ଘୁଞ୍ଚିଛି। ପ୍ରସ୍ତାବିତ ବିମାନବନ୍ଦର ନିକଟରେ ବିଲୁପ୍ତପ୍ରାୟ ଅଲିଭ ରିଡଲେ କଇଁଛ ଅଣ୍ଡା ଦିଅନ୍ତି। ଏଥିସହିତ ଇରାୱାଡ଼ି ଡଲଫିନମାନଙ୍କର ଏହା ବାସସ୍ଥାନ। ପରିବେଶ ଦୃଷ୍ଟିରୁ ଉପକୂଳ ଅଞ୍ଚଳର ଏହା ମଧ୍ୟ ଏକ ସମ୍ବେଦନଶୀଳ ସ୍ଥାନ। ସେହିଭଳି ବ୍ରହ୍ମଗିରିର ଏହି ପ୍ରକଳ୍ପ ସ୍ଥାନ ଆଇଏନ୍‌ଏସ୍‌ ଚିଲିକା ନୌସେନା ଘାଟି ଓ ସେଣ୍ଟ୍ରାଲ ଏସିଆନ୍ ଫ୍ଲାଏୱେର ନିକଟତର। ତେଣୁ ଏହି ପ୍ରକଳ୍ପ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟର ମଧ୍ୟ ମତାମତ ନିଆଯିବା ଆବଶ୍ୟକ ବୋଲି କୁହାଯାଇଛି।

ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ଏଫ୍‌ଏସି ଗମ୍ଭୀରତାର ସହ ନେଇ ଏହା ଉପରେ ରାଜ୍ୟ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ମଞ୍ଜୁରିକୁ ସ୍ଥଗିତ ରଖି ପୁରୀ ଉପକୂଳରେ ଅଲିଭ ରିଡଲେ କଇଁଛ ଓ ଇରାୱାଡ଼ି ଡଲଫିନଙ୍କ ବାସସ୍ଥାନ ଏବଂ ସେମାନଙ୍କର ଗମନାଗମନ ପଥ ସଂପର୍କରେ ବିସ୍ତୃତ ଅନୁଧ୍ୟା‌ନ ରିପୋର୍ଟ ଦେବାକୁ ଏଫ୍‌ଏସି ନିର୍ଦ୍ଦେଶ ଦେଇଛି। ଡଲଫିନମାନଙ୍କ ସଂଖ୍ୟା ଏବଂ ସେମାନଙ୍କ ଗମନାଗମନ ସଂପର୍କରେ ଅତି କମ୍‌ରେ ବର୍ଷେ ଅନୁଧ୍ୟାନ ହେବା ଆବଶ୍ୟକ। ଏହାପରେ ସେମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ ହେବା ଉଚିତ। ୨୦୨୪ ଜୁନ ୭ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଏଫ୍‌ଏସି ନିକଟରେ ମଞ୍ଜୁରି ନିମନ୍ତେ ରଖିଥିଲେ। ଏହା ପରେ ଏଫ୍‌ଏସି ପକ୍ଷରୁ ଭୁବନେଶ୍ବରସ୍ଥିତ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ରିପୋର୍ଟ ମଗାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୨୭.୮୮ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ନିମନ୍ତେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ପ୍ରକଳ୍ପ ପାଇଁ ୪୭୧ ହେକ୍ଟର ଜମି ଆବଶ୍ୟକ। ଏଥି ସହିତ ୧୩ ହଜାରରୁ ଅଧିକ ଗଛ କଟାଯିବାର ଆବଶ୍ୟକତା ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button