ରାଜ୍ୟ

ବନ ବିଭାଗକୁ ‘ଯମୁନା’,‘ଜୀନତ୍‌’ ଚିନ୍ତା: ଅନିଶ୍ଚିତତାରେ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ

ବାରିପଦା/ଭୁବନେଶ୍ବର: ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବା ଦୁଇ ବାଘୁଣୀ ‘ଜୀନତ୍‌’ ଓ ‘ଯମୁନା’କୁ ନେଇ ବନ ବିଭାଗର ଚିନ୍ତା ବଢ଼ିଛି। ‘ଜୀନତ୍‌’ ୧୦ ଦିନ ହେଲା ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ବୁଲୁଥିବା ବେଳେ ଯମୁନା ମଧ୍ୟ ଶିମିଳିପାଳ ଛାଡ଼ି କୁଲଡିହା ଅଭୟାରଣ୍ୟକୁ ପଳାଇଛି। ଦୁଇଟି ଯାକ ବାଘୁଣୀ ସ୍ଥାନ ପରିବର୍ତ୍ତନ କରିଥିବାରୁ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି।

୧୦ ଦିନ ହେଲା ଭୋକିଲା ଥିବା ଜୀନତ୍‌ ଆଜି ଜଙ୍ଗଲକୁ ଚରିବାକୁ ଯାଇଥିବା ଏକ ବଳଦକୁ ଶିକାର କରିଛି। ସୋମବାର ରାଜାବସା ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିବା ଲୋକମାନେ ବାଘୁଣୀର ରଡ଼ି ଶୁଣି ଘରମୁହାଁ ହୋଇଥିଲେ। ଏହି ସମୟରେ ଜୀନତ୍‌ ଏକ ବଳଦକୁ ଘୋଷାରି ନେଇଥିଲା। ବଳଦକୁ ଖାଇବା ପାଇଁ ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀ ପହଞ୍ଚି ଯିବାରୁ ଜଙ୍ଗଲ ଭିତକୁ ଦୌଡ଼ି ପଳାଇଥିଲା। ଭୋକିଲା ଜୀନତ୍‌ ଏବେ ଶିକାର ଆରମ୍ଭ କରିଥିବାରୁ ଜଙ୍ଗଲ ନିକଟସ୍ଥ ୫ଟି ଗାଁରେ କୋକୁଆ ଭୟ ଖେଳିଯାଇଛି। ଏହି ଅଞ୍ଚଳରେ ବିଦ୍ୟାଳୟ ବନ୍ଦ ଥିବା ବେଳେ ଲୋକେ ରାତିରେ ଘରୁ ବାହାରି ପାରୁନାହାନ୍ତି। ଜୀନତ୍‌କୁ ତୁରନ୍ତ ଟ୍ରାଙ୍କୁଲାଇଜ୍‌ କରି ସ୍ଥାନାନ୍ତର କରିବାକୁ ସ୍ଥାନୀୟ ଲୋକେ ମେଳି ହେଲେଣି।

ଅନ୍ୟପକ୍ଷରେ ଜୀନତ୍’କୁ ଟ୍ରାଙ୍କୁଲାଇଜ୍‌ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏବେ ତାହା ସହଜ ହୋଇପାରୁନି। ଜୀନତ୍‌ ସପ୍ତାହରୁ ଅଧିକ ଦିନ ହେଲା ଖାଇ ନଥିବାରୁ ଦୁର୍ବଳ ହୋଇଯାଇଛି। ତେଣୁ ଟ୍ରାଙ୍କୁଲାଇଜ୍‌ କରିବା ସୁରକ୍ଷିତ ନୁହେଁ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ପିସିସିଏଫ୍(ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା କହିଛନ୍ତି ଯେ ଉଭୟ ବାଘୁଣୀ ଏବେ ନିଜର ଅଞ୍ଚଳ ତିଆରି କରୁଛନ୍ତି। ସେଥିପାଇଁ ସେମାନେ ଜଙ୍ଗଲରୁ ଜଙ୍ଗଲ ବୁଲୁଛନ୍ତି। ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ‘ଯମୁନା’ ଏବେ କୁଲଡିହା ଅଭୟାରଣ୍ୟରେ ରହିଛି। ଝାଡ଼ଖଣ୍ଡରେ ଥିବା ‘ଜୀନତ୍’ ସାମାନ୍ୟ ଓଡିଶା ମୁହାଁ ହୋଇଛି। ଆପେ ଆପେ ଶିମିଳିପାଳ ଫେରାଇ ଅଣାଯିବାକୁ ଚେଷ୍ଟା ହେଉଛି। ସାଧାରଣତଃ ମହାବଳ ଥରେ ପେଟ ପୂରାଇ ଖାଇଲେ ସପ୍ତାହେ ପର୍ଯ୍ୟନ୍ତ ଖାଦ୍ୟ ଦରକାର ହୋଇନଥାଏ। ତେଣୁ ସପ୍ତାହେ ଭିତରେ ଉଭୟ ବାଘୁଣୀ ଶିମିଳିପାଳ ଜଙ୍ଗଲକୁ ଆସିବା ନେଇ ପିସିସିଏଫ୍‌ ଶ୍ରୀ ଝା ଆଶାପ୍ରକଟ କରିଛନ୍ତି। ସେହିପରି ‘ଜୀନତ୍‌’ ଓ ‘ଯମୁନା’ର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି।

ପୂର୍ବତନ ପିସିସିଏଫ୍‌ଙ୍କ କହିଛନ୍ତି ଯେ ଶିମିଳିପାଳ ଅଭୟାରଣ୍ୟ ଛାଡ଼ିବାର ଦୁଇ ତିନିଟି କାରଣ ଥାଇପାରେ। ହୁଏତ ଏଠାରେ ଉପଯୁକ୍ତ ଖାଦ୍ୟ ମିଳି ନ ଥିବ। ନଚେତ୍ ନିଜ ଅଞ୍ଚଳ ତିଆରି କରୁଥିବ। ସାଥୀ ଆଶାରେ ବି ଝାଡ଼ଖଣ୍ଡ ମୁହାଁ ହୋଇଥାଇପାରେ। ଗୋଟିଏ ବାଘ ସାଧାରଣତଃ ୫୦ରୁ ୭୦ କିମି ଅଞ୍ଚଳରେ ଚଳପ୍ରଚଳ କରିଥାଏ। ‘ଜୀନତ୍‌’ ଏ ପର୍ଯ୍ୟନ୍ତ କୌଣସି ଗାଁକୁ ଯାଇନି। ଖାଇବା ମିଳିବା ପରେ ସେ ଶିମିଳିପାଳ ଫେରିଆସିବ। ପୂର୍ବରୁ ପାନା ଅଭୟାରଣ୍ୟରେ ମଧ୍ୟ ଏକ ମହାବଳ ୭୦ରୁ ୧୦୦ କିମି ପଳାଇ ଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଫେରିଥିଲା। ତେଣୁ ଏହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button