ରାଜ୍ୟ

ମହାନଦୀରୁ ମିଳିଲା ଅବସରପ୍ରାପ୍ତ ପ୍ରଫେସର୍‌ଙ୍କ ଶବ

କଟକ/ଜଗତପୁର: ରେଭେନ୍ସା ବିଶ୍ବବିଦ୍ୟାଳୟ ରସାୟନବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ସିଂହଙ୍କ ମୃତଦେହ ଯୋବ୍ରା ନିକଟରେ ମହାନଦୀରୁ ଉଦ୍ଧାର କରାଯାଇଛି। ପ୍ରଫେସର୍‌ ସିଂହ ଅବସର ନେବା ପରେ କେନ୍ଦ୍ରାପଡ଼ାର ଏକ ଆଶ୍ରମର ମହନ୍ତ ଭାବେ ଧାର୍ମିକ କାର୍ଯ୍ୟରେ ନିୟୋଜିତ ଥିଲେ। ଜଗତପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ବାଲେଶ୍ବରର ମୂଳ ବାସିନ୍ଦା ପ୍ରଫେସର ବୈଷ୍ଣବ ସିଂହ(୭୮) ଭୁବନେଶ୍ବର ରାଜେନ୍ଦ୍ରନଗର ଅଞ୍ଚଳରେ ପରିବାର ସହିତ ରହୁଥିଲେ। ୨୦ ବର୍ଷ ତଳେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ରସାୟନବିଜ୍ଞାନ ବିଭାଗର ମୁଖ୍ୟ ଭାବେ ଅବସର ନେଇଥିଲେ। ତାଙ୍କର ପତ୍ନୀ ଏଲ୍‌ଆଇସିର ଜଣେ ଅବସରପ୍ରାପ୍ତ ଅଧିକାରୀ। ତାଙ୍କ ପୁଅ, ବୋହୂ, ନାତି ବାଙ୍ଗାଲୁରୁରେ ରହୁଥିଲେ। କିଛି ବର୍ଷ ହେଲା ସେମାନେ ଭୁବନେଶ୍ବରରେ ନନ୍ଦନକାନନ ନିକଟ ଏକ ଫ୍ଲାଟ୍‌ରେ ରହି ଆସୁଛନ୍ତି। ଚାରି ବର୍ଷ ତଳେ ପ୍ରଫେସର ସିଂହ କେନ୍ଦ୍ରାପଡ଼ା, ଆଳି-ରାଜକନିକା ଅଞ୍ଚଳରେ ଏକ ଆଶ୍ରମ କରି ସେଠାରେ ମହନ୍ତ ହୋଇଥିଲେ। ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରୁଥିଲେ। ତାଙ୍କର ପତ୍ନୀ କିନ୍ତୁ ଭୁବନେଶ୍ବରରେ ପୁଅ ପାଖରେ ରହୁଥିଲେ।

ଭୁବନେଶ୍ବରରୁ ‘ମୋ ବସ୍‌’ରେ ଆସି ନିଖୋଜ ଥିଲେ
କେନ୍ଦ୍ରାପଡ଼ାରେ ଆଶ୍ରମ ପ୍ରତିଷ୍ଠା କରି ମହନ୍ତ ଥିଲେ
ରହସ୍ୟ ଉନ୍ମୋଚନ ଦାବି କଲା ବରିଷ୍ଠ ନାଗରିକ ମହାସଭା

ଏକ ସପ୍ତାହ ତଳେ ପ୍ରଫେସର ସିଂହ ପୁଅ ପାଖକୁ ଯାଇଥିଲେ। ଡିସେମ୍ବର ୧୫ ତାରିଖ ସକାଳ ପ୍ରାୟ ସାଢ଼େ ୭ଟାରେ ମୋ ବସ୍ ନଂ ୧୮ରେ ସେ ଭୁବନେଶ୍ବର ରଘୁନାଥପୁରରୁ କଟକ-ଜଗତପୁରକୁ ଆସିଥିଲେ। ସେଦିନ ସକାଳ ସାଢ଼େ ୮ଟାରେ ସେ ଶିଖରପୁରରେ ଥିଲେ ବୋଲି ସିସି କ୍ୟାମେରା ଫୁଟେଜ୍‌ରୁ ଜଣାଯାଇଛି। ତେବେ ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ପ୍ରଫେସର ସିଂହ ମୋ’ ବସ୍‌ରେ ଆସୁଥିବା ବେଳେ ମହାନଦୀ ବ୍ୟାରେଜ୍ ରାସ୍ତା ପଚାରି ବସ୍‌ରୁ ଓହ୍ଲାଇଥିଲେ ବୋଲି ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ସିସି କ୍ୟାମେରା ଫୁଟେଜ୍ ଆଧାରରେ ପୁଲିସ ଖୋଜାଖୋଜି ଚଳାଇଥିଲା। ମଙ୍ଗଳବାର ଦିନ ପ୍ରାୟ ୧୦ଟାରେ ଜଗତପୁର ଥାନା ପୁଲିସ ବକ୍ସିବଜାର ଅଗ୍ନିଶମ ବିଭାଗ ସହଯୋଗରେ ମହାନଦୀ ଯୋବ୍ରା ଗେଟ୍ ୯୩ରୁ ତାଙ୍କ ଶବ ଉଦ୍ଧାର କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଟକ ବଡ଼ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ପ୍ରଫେସର୍‌ ସିଂହ ୫ ବର୍ଷ ତଳେ କଲ୍ୟାଣୀନଗର ବରିଷ୍ଠ ନାଗରିକ ସଂଘର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଏଥି ସହିତ କଟକ ବରିଷ୍ଠ ନାଗରିକ ମହାସଭାର ଆଜୀବନ ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ବରିଷ୍ଠ ନାଗରିକ ମହାସଭାର ସାଧାରଣ ସମ୍ପାଦକ ବିଷ୍ଣୁମୋହନ ଦାସସାମନ୍ତ ଦାବି କରିଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button