ରାଜ୍ୟ

କର୍ମନିଯୁକ୍ତି ନଁାରେ ସୁନ୍ଦରଗଡ଼ ଝିଅଙ୍କୁ ଠକେଇ, ନିର୍ଯାତନା! କଟକରେ ୧୮ ଯୁବତୀ ଅଟକ

ସୁନ୍ଦରଗଡ଼: ତାଲିମ ଓ କର୍ମନିଯୁକ୍ତି ନାଁରେ ଜିଲ୍ଲା ଓ ରାଜ୍ୟ ବାହାରକୁ ପଠାଯାଇଥିବା ସୁନ୍ଦରଗଡ଼ର ଝିଅମାନେ ଠକେଇ ଓ ନିର୍ଯାତିତା ହେଉଥିବା ଅଭିଯୋଗ ଆସିଛି। ଲେଫ୍ରିପଡ଼ା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ତାମିଲନାଡ଼ୁକୁ ପଠାଯାଇଥିବା ୯୦ ଜଣ ଯୁବତୀ ସେଠା‌ରେ ନିର୍ଯାତିତା ହେଉଥିବା ଦର୍ଶାଇ ସେମାନଙ୍କୁ ଗାଁକୁ ଫେରାଇ ଆଣିବାକୁ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ସେପଟେ ହେମଗିର ବ୍ଲକ୍‌ ଲଇକେରା ପଞ୍ଚାୟତର ୧୮ ଜଣ ଝିଅ କଟକର ଏକ ତାଲିମ୍‌ ସଂସ୍ଥାରେ ଅଟକ ଥିବା ଅଭି‌ଯୋଗ ହୋଇଛି। ସେମାନଙ୍କୁ ଜୋର୍ କରି ତାମିଲନାଡ଼ୁ ପଠାଇବାକୁ ଉଦ୍ୟମ କରୁଥିବା ସଂସ୍ଥା ଘରକୁ ଫେରିଯିବାକୁ ଚାହୁଁଥିବା ଝିଅମାନଙ୍କୁ ଜଣ ପିଛା ୩୯ ହଜାର ଟଙ୍କା ଦେବାକୁ ବାଧ୍ୟ କରୁଛି।

ଏ ନେଇ ଅଭିଭାବକମାନେ ହେମଗିର ବିଡିଓ ଓ ହେମଗିର ଥାନାର ଦ୍ବାରସ୍ଥ ହୋଇ ଝିଅମାନଙ୍କୁ ଉଦ୍ଧାର କରିବା ଲାଗି ନିବେଦନ କରିଛନ୍ତି। ଲଇକେରା ପଞ୍ଚାୟତର ଅଭିଭାବକମାନଙ୍କ ଅଭିଯୋଗ ଅନୁସାରେ, ରାଜ୍ୟ ସରକାରଙ୍କ ବିଭିନ୍ନ କୌଶଳବିକାଶ ଯୋଜନାରେ ତାଲିମ ଓ କର୍ମନିଯୁକ୍ତି ଯୋଗାଇ ଦିଆଯିବ କହି ବ୍ଲକ୍‌ ପକ୍ଷରୁ ଲଇକେରା ଓ ପାଖ ଗାଁର ୧୮ ଜଣ ଝିଅଙ୍କୁ ଅକ୍ଟୋବର ୨୨ ତାରିଖରେ ବସ୍‌ ଯୋଗେ କଟକ ପଠାଯାଇଥିଲା। ସେମାନଙ୍କୁ କମ୍ପ୍ୟୁଟର ତାଲିମ ଦିଆଯିବ କହି ନିଆଯିବା ପରେ କଟକ ନିଶ୍ଚିନ୍ତକୋଇଲି ଖଣ୍ଡସାହି ଅଞ୍ଚଳର ଏକ ତାଲିମ କେନ୍ଦ୍ରରେ ସିଲେଇ ତାଲିମ ନେବାକୁ ବାଧ୍ୟ କରାଯାଇଥିଲା। ତାଲିମ ପରେ ସମସ୍ତଙ୍କୁ ତାମିଲନାଡ଼ୁ ପଠାଯିବ ବୋଲି କହିବା ପରେ ଝିଅମାନେ ଅନିଚ୍ଛା ପ୍ରକାଶ କରି ଘରକୁ ଫେରିଯିବାକୁ ଚାହିଥିଲେ। ହେଲେ ସେମାନଙ୍କୁ ତାଲିମକେନ୍ଦ୍ରରେ ଅଟକ ରଖାଯାଇଛି। ସମସ୍ତଙ୍କୁ ଚୁକ୍ତିକରି ଅଣାଯାଇଛି। ଯେଉଁମାନେ ତାମିଲନାଡ଼ୁ ଯିବାକୁ ମନା କରୁଛନ୍ତି, ସେମାନେ ୩୯ ହଜାର ଟଙ୍କାଦେଲେ ଛାଡ଼ି ଦିଆଯିବ ବୋଲି ପରିଚାଳକ କହୁଥିବା ଅଭିଭାବକ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। କେନ୍ଦ୍ର ପରିଚାଳକ ଟଙ୍କା ପାଇଁ ଝିଅମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଶୁଣିବା ପରେ କିଛି ଅଭିଭାବକ କଟକ ତାଲିମକେନ୍ଦ୍ରକୁ ଯାଇଥିଲେ। ପ୍ରଥମେ ସେଠାରେ ଝିଅମାନଙ୍କୁ ଭେଟିବାକୁ ଦିଆଯାଇନଥିଲା।

ଥାନାର ଦ୍ବାରସ୍ଥ ହେଲେ ଅଭିଭାବକ

ଅଭିଭାବକମାନେ ନିଶ୍ଚିନ୍ତକୋଇଲି ଥାନାରେ ଜଣାଇବା ପରେ ଭେଟ ହେବାକୁ ଅନୁମତି ମିଳିଥିଲା। ଅଭିଭାବକଙ୍କୁ ମଧ୍ୟ ପରିଚାଳକ ଟଙ୍କା ଦେଇ ଝିଅମାନଙ୍କୁ ନେଇଯାଅ ବୋଲି କହିଥିବା ଅଭିଯୋଗ ହୋଇଛି। ଅଭିଭାବକମାନେ ଫେରି ଆସି ବିଡିଓଙ୍କୁ ଏ କଥା କହିବା ପରେ ସେ ଝିଅମାନଙ୍କୁ ଫେରାଇ ଅଣାଯିବ ବୋଲି ଆଶ୍ବାସନା ଦେଇଥିଲେ। କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେପଟେ ଟଙ୍କା ନଦେଲେ ଝିଅମାନଙ୍କୁ ତାମିଲନାଡ଼ୁ ପଠାଇ ଦିଆଯିବ ବୋଲି କେନ୍ଦ୍ର ପରିଚାଳକ ଧମକ ଦେଉଥିବା ଖବର ଆସିଛି। ତେଣୁ ତୁରନ୍ତ ଝିଅମାନଙ୍କୁ ଉଦ୍ଧାର କରିବାକୁ ଅଭିଭାବକ ନିବେଦନ କରିଛନ୍ତି। ଏ ସମ୍ପର୍କରେ ହେମଗିର ବିଡିଓ ବିଶ୍ବନାଥ ସାହୁ କହିଛନ୍ତି, ‘ସରକାରଙ୍କ ଓଡ଼ିଶା କୌଶଳବିକାଶ ଯୋଜନାରେ ତାଲିମ ଦିଆଯାଉଛି। ୪୫ ଦିନ ତାଲିମ ପରେ ବ୍ୟାବହାରିକ ଶିକ୍ଷାନେବାକୁ ତାମିଲନାଡ଼ୁ ପଠାଯିବାର ବ୍ୟବସ୍ଥା ରହିଛି। ଯେଉଁମାନେ ଯିବାକୁ ନ ଚାହିଁବେ, ସେମାନଙ୍କୁ ଫେରାଇ ଅଣାଯିବ। ଟଙ୍କା ମାଗିବା କଥା ମୋତେ ଜଣାନାହିଁ’ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସରକାରଙ୍କ କୌଶଳବିକାଶ କାର୍ଯ୍ୟକ୍ରମରେ ଲେଫ୍ରିପଡ଼ା ବ୍ଲକ୍‌ର ଅଳାପକା, ରାଜବାହାଲ, ଗୁଣ୍ଡିଆଡିହି, ମଶାବିରା, ସରଫଗଡ଼, ରାଏଡିହି, ଗିରିଙ୍ଗକେଲା, ଦର୍ଲିପାଲିର ୯୦ ଜଣ ଝିଅଙ୍କୁ ପ୍ରଶାସନ କମ୍ପ୍ୟୁଟର ଓ ସିଲେଇ ତାଲିମ୍‌ ଦେବା ପାଇଁ କଟକ ପଠାଇଥିଲା। କଟକରେ କମ୍ପ୍ୟୁଟର ତାଲିମ ପରିବର୍ତ୍ତେ କେବଳ ସିଲେଇ ତାଲିମ ଦିଆଯାଇଥିଲା। ୪୫ ଦିନ ପରେ କଟକରୁ ତାମିଲନାଡ଼ୁର ତିରୁପୁରକୁ ନିଆଯାଇ ସେଠାରେ ପୋଷାକ ତିଆରି ହେଉଥିବା କେଟିଆର ୟୁନିଟ୍‌-୪ରେ ନିୟୋଜିତ କରାଯାଇଥିଲା। ଯୁବତୀମାନଙ୍କୁ ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏଁ କାମରେ ଲଗାଯାଉଥିବା ଏବଂ ଘଣ୍ଟାଏ ଭୋଜନ ବିରତି ଦିଆଯାଉଥିବା ଅଭିଯୋଗ ଆସିଥିଲା। ୮ ଘଣ୍ଟା ବିନା ବିଶ୍ରାମରେ ଖଟାଯାଉଥିବାରୁ ଯୁବତୀମାନେ କ୍ଲାନ୍ତ ହୋଇ ଅସୁସ୍ଥ ହୋଇପଡ଼ୁଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ସେଠାରୁ ଫେରାଇ ଆଣିବାକୁ ବାପାମା’ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button