ଦାଦନ ଉଠାଇବାକୁ ୮ ମିନିଟ୍ ଅଟକିଲା!

ସୋମବାର ‘ସମ୍ବାଦ’ରେ ‘ହରିଶଙ୍କର ରୋଡ୍ ରେଳ ଷ୍ଟେସନ୍ରୁ ରାଜ୍ୟର ସର୍ବାଧିକ ଦାଦନ ଚାଲାଣ’ ଶିରୋନାମରେ ଖବର ପ୍ରକାଶ ପାଇଥିଲା। ଏହି ଛୋଟ ରେଳ ଷ୍ଟେସନ୍ରୁ କିଭଳି ପ୍ରତିଦିନ ବାହାର ରାଜ୍ୟକୁ ହଜାର ହଜାର ଦାଦନ ଶ୍ରମିକ ଚାଲାଣ ହୁଅନ୍ତି, ତାହାର ସବିଶେଷ ତଥ୍ୟ ଏଥିରେ ରହିଥିଲା। ସ୍ଥାନୀୟ ପୁଲିସ୍, ରେଳବାଇ ପୁଲିସ୍ ଏବଂ ଦଲାଲଙ୍କ ସଲାସୁତରାରେ ଏଠାରୁ ଶହଶହ ଗୋତି ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି। ତେବେ ଦାଦନ ଶ୍ରମିକ ଉଠାଇବାକୁ ଦୂରଗାମୀ ଟ୍ରେନ୍ଗୁଡ଼ିକ କିଭଳି ଏହି ଛୋଟ ଓ ଉପାନ୍ତ ଷ୍ଟେସନ୍ରେ ଲମ୍ବା ରହଣି କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥିତି ପରଖିବାକୁ ମଙ୍ଗଳବାର ସକାଳେ ‘ସମ୍ବାଦ’ ପହଞ୍ଚିଥିଲା ହରିଶଙ୍କର ରୋଡ୍ ରେଳ ଷ୍ଟେସନ୍ଠାରେ। ଯାହା ପୂର୍ବ ଖବରରେ ଉଲ୍ଲେଖ ଥିଲା, ଅବିକଳ ତାହା ହିଁ ଦେଖିବାକୁ ମିଳିଥିଲା।
ଅର୍ଥାତ ରେଳ ଷ୍ଟେସନ୍ରେ ଅସମ୍ଭାଳ ଭିଡ଼। କଥାବାର୍ତ୍ତାରୁ ଜଣାପଡ଼ିଥିଲା, ସେମାନେ କେହି ସାଧାରଣ କିମ୍ବା ସ୍ବାଭାବିକ ଯାତ୍ରୀ ନଥିଲେ। ସଭିଏଁ ଥିଲେ ଦାଦନ। ବ୍ୟାଗ୍, ଅଖା ବସ୍ତାରେ ନିଜ ବସ୍ତ୍ର ଓ ଆସବାବପତ୍ର ଧରି ଟ୍ରେନ୍କୁ ଅପେକ୍ଷା କରିଥିଲେ। ଲକ୍ଷ୍ୟ ଥିଲା ଆନ୍ଧ୍ରପ୍ରଦେଶରେ ପହଞ୍ଚିବା। ପାଖାପାଖି ୪ଶହ ଦାଦନ ଶ୍ରମିକ ଷ୍ଟେସନ୍ରେ ଅପେକ୍ଷା କରିଥିଲେ ଟ୍ରେନ୍ ନମ୍ବର ୧୨୮୦୮ (ସମତା ଏକ୍ସପ୍ରେସ୍)କୁ। ସୋମବାର ଦିଲ୍ଲୀ ହଜରତ୍ ନିଜାମୁଦ୍ଦିନ୍ ଷ୍ଟେସନ୍ରୁ ଛାଡ଼ିଥିବା ଉକ୍ତ ଟ୍ରେନ୍ ମଙ୍ଗଳବାର ସକାଳ ୮.୩୦ରେ ହରିଶଙ୍କର ରୋଡ୍ ଷ୍ଟେସନ୍ରେ ପହଞ୍ଚିବା କଥା।
କିନ୍ତୁ ୨୬ ମିନିଟ୍ ବିଳମ୍ବରେ ଟ୍ରେନ୍ ହରିଶଙ୍କର ରୋଡ୍ ଷ୍ଟେସନ୍ରେ ଲାଗିଥିଲା। ଏଠାରେ ଟ୍ରେନ୍ର ରହଣି ମାତ୍ର ୨ମିନିଟ୍। ଟ୍ରେନ୍ ଷ୍ଟେସନ୍ରେ ପହଞ୍ଚିବା କ୍ଷଣି ଦାଦନଙ୍କ ଭିତରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା ଉପରକୁ ଉଠିବା ପାଇଁ। ହେଲେ ଟ୍ରେନ୍ ୨ ମିନିଟ୍ ବଦଳରେ ଏଠାରେ ୮ ମିନିଟ୍ ଅଟକି ରହିଥିଲା। ଏତିକି ଅବଧି ଭିତରେ ସବୁ ଦାଦନ ଟ୍ରେନ୍ ଉପରକୁ ଉଠି ସାରିଥିଲେ। ପରେ ସମତା ଏକ୍ସପ୍ରେସ୍ ଭରପୂର ଦାଦନଙ୍କୁ ଧରି ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଥିଲା। ବଡ଼ି ଭୋର୍ରୁ ସମତା ଏକ୍ସପ୍ରେସ୍ ଧରିବାକୁ ଦାଦନଙ୍କର ଅସମ୍ଭାଳ ଭିଡ଼ ଥିବାବେଳେ ନା ସେଠାରେ ଦେଖାଥିଲା ପୁଲିସର, ନା କୌଣସି ପ୍ରଶାସନିକ ଅଧିକାରୀଙ୍କର। ଆର୍ପିଏଫ୍ ପୁଲିସ ବି ନିଖୋଜ୍ ଥିଲେ। ଦାଦନ ଚାଲାଣ ରୋକିବାକୁ ଗଠିତ ଟାସ୍କଫୋର୍ସର ପତ୍ତା ନଥିଲା




