ରାଜ୍ୟ

ଟ୍ରେନ୍‌ ଧକ୍କାରେ ୨ ମୃତ, ୩ ଗୁରୁତର: ବନ୍ଦ ଫାଟକ ତଳେ ପାର ହେଉଥିଲେ

ରାଉରକେଲା: ବନ୍ଦ ରେଳଫାଟକ ତଳେ ଗଳି ରେଳ ଲାଇନ୍ ପାର୍‌ ହେଉଥିବାବେଳେ ମଙ୍ଗଳବାର ରାତିରେ ‌ଟ୍ରେନ୍‌ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ରେଳବାଇ ପୁଲିସ ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ମୃତକଙ୍କ ମଧ୍ୟରୁ ଜଣେ ହିମାଚଳପ୍ରଦେଶର ପଙ୍କଜ ଶର୍ମା ଓ ଅନ୍ୟ ଜଣକର ପରିଚୟ ଏଯାଏଁ ମିଳିପାରିନାହିଁ। ତେବେ ସେ ଜରେଇକେଲା ଅଞ୍ଚଳର ବୋଲି କୁହାଯାଉଛି। ଗୁରୁତରମାନେ ସ୍ଥାନୀୟ କଲୁଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବନ୍ଦ ଫାଟକ ତଳେ ପାର ହେଉଥିଲେ
ଚୂର୍‌ମାର୍‌ ହୋଇଗଲା ୩ ବାଇକ୍

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ବେଦବ୍ୟାସରୁ ମାର୍କେଟିଂ ସାରି ୩ଟି ବାଇକ୍‌ରେ ୫ ଜଣ କଲୁଙ୍ଗା ଯାଉଥିଲେ। ଟ୍ରେନ୍‌ ଆସୁଥିବାରୁ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ଫାଟକ ପଡ଼ିଥିଲା। କିନ୍ତୁ ସେମାନେ ସେଠାରେ ଅଟକିବା ବଦଳରେ ଫାଟକ ତ‌ଳେ ଗଳି ରେଳଲାଇନ ପାରି ହେଉଥିଲେ। ସେତେବେଳେ ରାଉରକେଲାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ତିନିଟିଯାକ ବାଇକ୍‌କୁ ଧକା ଦେଇଥିଲା। ଟ୍ରେନ୍‌ ଦ୍ରୁତ ଗତିରେ ଥିବାରୁ ୫ ଜଣ ବାଇକ୍‌ସହ ‌ଏଣେତେଣେ ଛିଟ୍‌କି ପଡ଼ିଥିଲେ। ବାଇକ୍‌ ଚଳାଉଥିବା ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆର୍‌ଜିଏଚ୍‌କୁ ପଠାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button