ବିଜେଡି ରାସ୍ତାରେ ବିଜେପି: ଆଗୁଆ ଅଧିବେଶନ ସାରିବାକୁ ତତ୍ପରତା

ଭୁବନେଶ୍ବର: ‘‘ବିଧାନସଭା ଅଧିବେଶନ ବସୁଛି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ। ସାରା ରାଜ୍ୟବାସୀଙ୍କ ନଜର ବିଧାନସଭା ଉପରେ। କିନ୍ତୁ ବିଜେଡି ସରକାର ଅଧିବେଶନକୁ ଆଗୁଆ ବନ୍ଦ କରିଦେଉଛନ୍ତି। ସେମାନେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ସେମାନଙ୍କର ସାହସ ନାହିଁ ଆମକୁ ସାମ୍ନା କରିବାକୁ।’’ ଗତ ପାଞ୍ଚ ବର୍ଷ ହେଲା ଡିସେମ୍ବର ମାସରେ ବିଜେପି ନେତାମାନଙ୍କର ଭାଷା ଥିଲା ଏଇଆ। ବିଜେଡି ସରକାର ସମୟରେ ପ୍ରତି ବର୍ଷ ଶୀତ ଅଧିବେଶନ ଯଥେଷ୍ଟ ଆଗୁଆ ସରିଯାଏ। ଅତିରିକ୍ତ ବଜେଟ୍ ଗୃହୀତ ହେଲା ପରେ ବିଧାନସଭାକୁ ମୁଲତବୀ ରଖାଯାଏ। ଗୋଟିଏ ଯୁକ୍ତି ଯେ କୌଣସି ସରକାରୀ କାର୍ଯ୍ୟ ଆଉ ନାହିଁ। କିନ୍ତୁ ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଗୃହ ବାହାରେ ଗଣମାଧ୍ୟମ ଆଗରେ ତୀବ୍ର ଅସନ୍ତୋଷ ଝାଡ଼ନ୍ତି। ପୁଣି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେବାର ନଜିର ରହିଛି। କଂଗ୍ରେସ ବି ସମାନ ଭାବେ ସମାଲୋଚନା କରେ।
ଏବେ ବିଜେପି ସରକାର। କିନ୍ତୁ ଢାଞ୍ଚା ବଦଳିଲାନି। ବିଜେଡି ସରକାର ଯେଉଁ ରାସ୍ତା ଦେଖାଇଥିଲେ ତାହା ବିଜେପିକୁ ବେଶ୍ ସୁହାଇଛି। ନିର୍ଦ୍ଧାରିତ ସମୟର ୧୬ ଦିନ ଆଗରୁ ବିଧାନସଭାକୁ ବନ୍ଦ କରିଦିଆଗଲା। ସମାନ ଯୁକ୍ତି- କିଛି ଅଫିସିଆଲ୍ ବିଜ୍ନେସ୍ ନାହିଁ। ତେବେ ରୋଚକ କଥା ହେଉଛି, ବିଜେଡି ସରକାର ସମୟରେ ବିଜେପି ନେତାମାନେ ଆଗୁଆ ଅଧିବେଶନ ବନ୍ଦ ନେଇ ସରକାରଙ୍କୁ ବହେ ଗାଳି ଦେଇପାରୁଥିଲେ। କିନ୍ତୁ ବିଜେଡି ନେତାମାନେ କିଛି କହିପାରୁ ନାହାନ୍ତି। ସରକାରଙ୍କୁ ସମାଲୋଚନା କରିପାରୁ ନାହାନ୍ତି କି ଅଧିବେଶନ ଚାଲୁ ରଖିବାକୁ ଦାବି କରିପାରୁ ନାହାନ୍ତି। କାରଣ ଏହି ବାଟ ସେମାନେ ହିଁ ତିଆରି କରିଛନ୍ତି।
ବିଧାନସଭା କାର୍ଯ୍ୟବିଧି ଆଇନରେ ଅଧିବେଶନ ସର୍ବନିମ୍ନ ୬୦ ଦିନ ବସିବାର ବ୍ୟବସ୍ଥା ରହିଛି। କିନ୍ତୁ ସେଥିରେ ଗୋଟିଏ ଗଳା ବାଟ ଅଛି ଯେ ଗୃହ ଚାହିଁଲେ ଏହି ଅବଧିକୁ କମାଇପାରିବ। ଏହି ଗଳା ବାଟକୁ ହିଁ ଶାସକ ଦଳ ବେଶ୍ ଭଲ ଭାବେ ପାଳନ କରୁଛି। ପ୍ରତି ବର୍ଷ ସରକାରୀ କାମ ନାହିଁ ଆଳରେ ନିର୍ଦ୍ବନ୍ଦ୍ବରେ ଗୃହକାର୍ଯ୍ୟ କମାଇ ଦେଉଛି। ସଚେତନ ନାଗରିକମାନେ ପ୍ରଶ୍ନ କଲେଣି, ଯଦି ବାସ୍ତବରେ କୌଣସି ବର୍ଷ ବି ୬୦ ଦିନ ବସିବାର ଆବଶ୍ୟକତା ପଡ଼ୁନି, ତେବେ ୬୦ ଦିନର କାର୍ଯ୍ୟସୂଚୀ ପ୍ରସ୍ତୁତି କରାଯାଉଛି କାହିଁକି? ଗାଣତନ୍ତ୍ରିକ ବ୍ୟବସ୍ଥାରେ ଏପରି ଛଳନା କି ଉଦ୍ଦେଶ୍ୟ ପୂରଣ କରୁଛି?