ରାଜ୍ୟ

ସମାଜସେବୀଙ୍କୁ ହାଣିବା ଘଟଣା: ୪ ଗିରଫ, ୪ ଫେରାର

ଭୁବନେଶ୍ୱର,୦୭/୧୧:ସମାଜସେବୀ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଏୟାରପୋର୍ଟ ଥାନା ପୁଲିସ୍ ସଫଳ ହୋଇଛି । ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ପଳାଶପଲ୍ଳୀ ଲେନ୍-୧୧ର ପ୍ରମୋଦ ମହାପାତ୍ର ଓରଫ ଗଣେଶ, ନୟାଗଡ଼ର ଦେବାଶିଷ ନାୟକ, ପୁରୀର ସଞ୍ଜୟ ବାରିକ ଓ କେଦାରପଲ୍ଳୀର ଭିକି ନାୟକ ।

ଏମାନଙ୍କ ଠାରୁ ୨ଟି ଖଣ୍ଡା, ୨ଟି ବାଇକ୍ ଓ ୪ଟି ମୋବାଇଲ୍ ଜବତ କରାଯାଇଛି । ଏହି ଆକ୍ରମଣରେ ସାମିଲ ଅନ୍ୟ ୪ ଜଣ ଫେରାର ଥିବା ଡିସିପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୋମବାର ରାତି ପ୍ରାୟ ୧୦ଟା ୧୫ରେ ଶିବ ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ଗିରଫ ଅଭିଯୁକ୍ତମାନେ ୨ଟି ବାଇକ୍ରେ ଖଣ୍ଡା ଓ ଭୁଜାଲି ଧରି ତାଙ୍କୁ ପିଛା କରୁଥିଲେ । ପଳାଶପଲ୍ଳୀ ଲେନ୍-୭ରେ ଶିବଙ୍କ ସ୍କୁଟିର ଗତି ଧୀର ଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ଓ ପରେ ଏମସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ ଗୌରହରି ରଣସିଂହ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସହଯୋଗ କରିଥିଲା ସ୍ପେଶାଲ୍ ସ୍କ୍ୱାଡ୍ । ଘଟଣାର ଘଟିବାର ୪୮ ଘଣ୍ଟା ମଧ୍ୟରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିଲା ।

ଅଧିକ ତଦନ୍ତ କରି ପୁଲିସ୍ ଜାଣିବାକୁ ପାଇଥିଲା, ଗତ ୨ ତାରିଖରେ ଗିରଫ ଅଭିଯୁକ୍ତ ଗଣେଶକୁ ବାଲିଅନ୍ତା ଥାନା ଅଞ୍ଚଳରେ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ସେ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଥିଲା । ସେବେଠାରୁ ଗଣେଶ ସନ୍ଦେହ କରୁଥିଲା ଆକ୍ରମଣ ପଛରେ ଶିବଙ୍କ ହାତ ରହିଛି । ତେଣୁ ଶିବଙ୍କୁ ପାନେ ଦେବାକୁ ସେ ଯୋଜନା କରୁଥିଲା । ଗଣେଶ ଓ ତା’ର ୭ ଜଣ ସହଯୋଗୀ ମିଶି ଶିବକୁ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଗତ ୪ ତାରିଖରେ ରାତିରେ ସଫଳ ହୋଇଥିଲା । ଏହି ଘଟଣାରେ ପୁଲିସ୍ ବର୍ତ୍ତମାନ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟ ୪ ଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button