ସାଟେଲାଇଟ୍ ଧରିଲା, ୬୦% ପ୍ଲଟ୍ ମିଛ: ମଣ୍ଡିରେ ଧାନ ବିକ୍ରି ପାଇଁ ଚକ୍ରାନ୍ତ
ନବରଙ୍ଗପୁର: ସାଟେଲାଇଟ୍ ସର୍ଭେରୁ ନକଲି ଚାଷୀଙ୍କ ଅସଲି କାରନାମା ଧରାପଡ଼ିଛି। ଖାଲି ପଡ଼ିଆ ତଥା ଅନ୍ୟ ଫସଲ ହୋଇଥିବା ଜମିକୁ ଧାନ ଚାଷ ବୋଲି ଦର୍ଶାଇଥିଲେ। ଧରାପଡ଼ିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ନକଲି ଚାଷୀ ବେଫିକର। ଅନ୍ୟପଟେ ମିଛ ପ୍ଲଟ୍ ସନ୍ଧାନ କରି ନାକେଦମ ହୋଇସାରିଲାଣି ସମବାୟ ବିଭାଗ। ସନ୍ଦିଗ୍ଧ ପ୍ଲଟ୍ ମଧ୍ୟରୁ ଆଜି ସୁଦ୍ଧା ୧୨,୮୮୮ ପ୍ଲଟ୍ରେ ସମବାୟ ବିଭାଗର ତଦନ୍ତ ଶେଷ ହୋଇଛି। ସେଥିରୁ ୫୧୦୫ ପ୍ଲଟ୍ରେ ଧାନ ଚାଷ ହୋଇଥିବା ସମବାୟ ବିଭାଗ ସ୍ପଷ୍ଟ କରିଛି। ବଳକା ୭୭୮୩ ପ୍ଲଟ୍ରେ ମକା, ମାଣ୍ଡିଆ ଚାଷ ହୋଇଛି ନଚେତ ପୋଖରୀ, ଜଙ୍ଗଲ, ଖାଲି ପଡ଼ିଆ ରହିଛି। ଆସନ୍ତା ୧୦ରେ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବ। ଏହା ପୂର୍ବରୁ ସନ୍ଦିଗ୍ଧ ପ୍ଲଟ୍ର ତଦନ୍ତ ଶେଷ କରିବାକୁ ସମବାୟ ବିଭାଗ ଲକ୍ଷ୍ୟ ରଖିଛି।
ଚଳିତ ଖରିଫ ଋତୁରେ ଧରପଗଡ଼ ହେବାରୁ ମଣ୍ଡି ନିମନ୍ତେ ପଞ୍ଜୀକରଣ ହୋଇଥିବା ୬୦ପ୍ରତିଶତ ଜମିରେ ଧାନ ଚାଷ ଆଦୌ ହୋଇନଥିବା ଜଣାପଡ଼ିଛି। ସାଟେଲାଇଟ୍ ଏମିତି ତଥ୍ୟ ଦେବାପରେ ସମବାୟ ବିଭାଗର ଅନୁସନ୍ଧାନ ଜାରି ରହିଛି। ଖରିଫ ଋତୁରେ ୪୨ହଜାର ୮୧୦ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜୀକରଣ କରିଥିଲେ। ମୋଟ ପଞ୍ଜୀକରଣ ହୋଇଥିବା ପ୍ଲଟ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାରେ ସାଟେଲାଇଟ୍ ୧୩,୧୧୦ ପ୍ଲଟ୍ରେ ଧାନ ଚାଷ ହୋଇନଥିବା ସନ୍ଦେହ ପ୍ରକଟ କରିଥିଲା।
ମିଛ ପଞ୍ଜୀକରଣ ଚଳିତବର୍ଷ ପ୍ରଥମଥର ହୋଇନି। ଗତ ବର୍ଷଗୁଡ଼ିକରେ ବି ସାଟେଲାଇଟ୍ ସର୍ଭେରୁ ହଜାର ହଜାର ମିଛ ପ୍ଲଟ୍ ଧରାପଡ଼ିଥିଲା। ୨୦୨୨-୨୩ ବର୍ଷରେ ୭୬୧୫ ମିଛ ପ୍ଲଟ୍କୁ ସାଟେଲାଇଟ୍ ଧରିଥିବା ବେଳେ ୨୦୨୩-୨୪ ବର୍ଷରେ ୧୩ହଜାର ୧୬୭ ମିଛ ପ୍ଲଟ୍ ଧରାପଡ଼ିଥିଲା। ତଥାପି ଜାଲିଆତି କରି ହଜାର ହଜାର ପଞ୍ଜୀକରଣ ହେଉଛି। ମିଛ ପ୍ଲଟ୍ ଧରାପଡ଼ିବା ପରେ ଦଲାଲ, ଅସାଧୁ କର୍ମଚାରୀ ଓ ନକଲି ଚାଷୀଙ୍କ ନିଦ ଉଡ଼ିଯାଇଛି। ଜିଲ୍ଲାର ୧୦ଟି ବ୍ଲକର ୭୭୫ ଗାଁରୁ ମିଛ ପ୍ଲଟ୍ ଚିହ୍ନଟ ହୋଇଛି। ସମବାୟ ବିଭାଗର କ୍ଷେତ୍ର ଅନୁସନ୍ଧାନ ନିମନ୍ତେ ୧୪୮ଜଣ ସର୍ଭେୟରଙ୍କୁ ନିୟୋଜିତ କରାଯାଇଛି।