ରାଜ୍ୟ

କଟକରେ ଡ୍ରେନ୍ କାମ ବେଳେ ଅଘଟଣ: ପାଚେରି ଭୁଶୁଡ଼ି ଶ୍ରମିକ ମୃତ, ଜଣେ ଗୁରୁତର

କଟକ: ବିନା ସୁରକ୍ଷା ବ୍ୟବସ୍ଥା ଓ ସୂଚନା ଫଳକ ନଥାଇ ଚାଲିଥିଲା ଡ୍ରେନ୍ କାମ। ନିର୍ମାଣ ସମୟରେ ଠିକାଦାର କିମ୍ବା ସୁପରଭାଇଜର୍‌ କେହି ନଥିଲେ। କେବଳ ୫ଜଣ ଶ୍ରମିକ କାମ କରୁଥିଲେ। ମାଟି ତାଡ଼ୁଥିବା ସମୟରେ ହଠାତ୍‌ ପାଚେରି ଗଳିରାସ୍ତା ଉପରକୁ ଧସିଗଲା। ଚାପି ହୋଇଗଲେ ୨ଜଣ ଶ୍ରମିକ। ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଖରେ ଥିବା ୩ଜଣ ଶ୍ରମିକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତ ଶ୍ରମିକ ହେଉଛନ୍ତି ବକ୍ସିବଜାର ପଟ୍ଟାପୋଲ ବାସିନ୍ଦା ଏସ୍. ଶଙ୍କର(୨୮)। ଆହତ ଶ୍ରମିକ ସେହି ପଟ୍ଟାପୋଲର ୱାଇ.ବିଜୟ କୁମାର(୫୫)। ବିଡ଼ାନାସୀ ଗୋପାଳସାହିସ୍ଥିତ ନାୟକସାହି ଗଳିରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ‌ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ହୋହଲ୍ଲା କରିବା ସହିତ ନିର୍ମାଣ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।

ୱାର୍ଡ ନଂ-୧ ଅନ୍ତର୍ଗତ ବିଡ଼ାନାସୀ ଗୋପାଳସାହିସ୍ଥିତ ନାୟକସାହିରେ ଗଳିରେ ଡ୍ରେନ୍ ପାଇଁ ରାସ୍ତା ପାର୍ଶ୍ବ‌କୁ ଖୋଳାଯାଇଥିଲା। ସାହିଭିତରରୁ କିଛି ବାଟ ଡ୍ରେନ୍‌ ନିର୍ମାଣ ସରିଥିବା ବେଳେ ଆଜି ପାଖାପାଖି ଅପରାହ୍‌ଣ ୧ଟା ସମ‌ୟରେ ନାୟକସାହି ବାସିନ୍ଦା ମଙ୍ଗୁଳି ବାରିକଙ୍କ ଘର ଓ ପାଚେରି କଡ଼ ଖୋଳାଯାଇଥିଲା। ଦୁଇ ଶ୍ରମିକ ଏସ୍. ଶଙ୍କର ଓ ଇଜା ମାଟି କାଢ଼ୁଥିବା ବେଳେ ଅନ୍ୟ ୩ ଜଣ ଶ୍ରମିକ ପାଖରେ ଠିଆ ହୋଇଥିଲେ। ପ୍ରାୟ ୧୦ ଫୁଟ୍‌ ଲମ୍ବ ଓ ୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ପୁରୁଣା ଇଟା ପାଚେରିର ମୂଳଟି ଦୁର୍ବଳ ଥିଲେ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। ହଠାତ ପାଚେରି ଧସିଯିବାରୁ ତଳେ ଦୁଇ ଶ୍ରମିକ ଏସ୍. ଶଙ୍କର ଓ ଇଜା ଚାପି ହୋଇଯାଇଥିଲେ। ୧୦୮ଆମ୍ବୁଲାନସ୍‌କୁ ଫୋନ୍‌ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ବାଧ୍ୟ ହୋଇ ସାହି ଯୁବକମାନେ ଅଟୋରେ ଦୁଇ ଶ୍ରମିକଙ୍କୁ ଏକ ଘରୋଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନେଇଥିଲେ। ବାଟରେ ଏସ୍. ଶଙ୍କରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଇଜାଙ୍କୁ ଚିକିତ୍ସା ପାଇଁ ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button