ରାଜ୍ୟ

ଢେଙ୍କାନାଳ ଜିଲ୍ଲାରେ ସଙ୍ଗିନ୍‌ ସ୍ଥିତି: ୫ ବର୍ଷରେ ୨୨୮୯ ନାବାଳିକା ଗର୍ଭବତୀ

ଢେଙ୍କାନାଳ ଜିଲ୍ଲାରେ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଥିରେ ଲଗାମ୍‌ ଲଗାଇବା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଶାଖା, ସ୍କୁଲ୍‌ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁ ମଙ୍ଗଳ କମିଟି ଆଦି କାର୍ଯ୍ୟ କରୁଛନ୍ତି। ଏହାପରେ ମଧ୍ୟ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ୧୮ ବର୍ଷରୁ କମ୍‌ ବୟସରେ ମାତୃତ୍ୱ ଲାଭ କଲେ ସେମାନଙ୍କ ଠାରେ ବିଭିନ୍ନ ରୋଗ ହେଉଥିବା ସଂପର୍କରେ ସଚେତନ କରାଯାଉଥିଲେ ମଧ୍ୟ ଜିଲ୍ଲାରେ ବାଲ୍ୟବିବାହ ଥମିବାର ନାଁ ଧରୁନାହିଁ। ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ରେ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ୫୦୦ ଟପିଲାଣି। ହିନ୍ଦୋଳ, ଢେଙ୍କାନାଳ ସଦର, ଓଡ଼ାପଡ଼ା ବ୍ଲକ୍‌ରେ ଏହି ସଂଖ୍ୟା ୩୦୦ ଲେଖାଏଁ ପାର କଲାଣି। ବାଲ୍ୟବିବାହ, ପ୍ରେମଜନିତ ପ୍ରତାରଣା, ଦୁଷ୍କର୍ମ ଓ ପ୍ରେମିକ ସହ ଫେରାର ହେବା ଆଦି ଘଟଣାରୁ ଏହି ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଥିରେ ରୋକ୍‌ ଲଗାଇବାରେ ସମ୍ପୃକ୍ତ ବିଭାଗଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୧୧ ମାସରେ ଗର୍ଭବତୀ ହୋଇଛନ୍ତି ୪୪୦
ବଢ଼ୁଛି କି ବାଲ୍ୟବିବାହ?

ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୦୨୦ ମସିହାରୁ ଅଦ୍ୟାବଧି ଜିଲ୍ଲାର ୮ଟି ବ୍ଲକ୍‌ରେ ୨୨୮୯ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ୨୦୨୦ରେ ୪୫୫, ୨୦୨୧ରେ ୪୬୨, ୨୦୨୨ରେ ୪୫୮, ୨୦୨୩ରେ ୪୭୪ ଓ ୨୦୨୪ ନଭେମ୍ବର ସୁଦ୍ଧା ୪୪୦ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ୍‌ରେ ସର୍ବାଧିକ ୫୦୪ ନାବାଳିକା ଗର୍ଭବତୀ ହୋଇଛନ୍ତି। ସେହିପରି ହିନ୍ଦୋଳ ବ୍ଲକ୍‌ରେ ୩୯୨,  ଢେଙ୍କାନାଳ ସଦରରେ ୩୫୯, ଓଡ଼ାପଡ଼ାରେ ୩୨୨, ପର୍ଜଙ୍ଗରେ ୨୬୦, ଗଁଦିଆରେ ୧୯୮, କାମାକ୍ଷାନଗରରେ ୧୪୨ ଓ ଭୁବନରେ ୧୧୨ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏପରିକି କେବଳ ଚଳିତ ବର୍ଷ ନଭେମ୍ବର ସୁଦ୍ଧା  କଙ୍କଡ଼ାହାଡ଼ରେ ୭୩ ଜଣ, ଢେଙ୍କାନାଳ ସଦରରେ ୭୦ଜଣ, ଓଡ଼‌ାପଡ଼ାରେ ୬୮ଜଣ, ହିନ୍ଦୋଳରେ ୬୫ଜଣ, ପର୍ଜଙ୍ଗରେ ୬୦ଜଣ, ଗଁଦିଆରେ ୪୦ଜଣ, କାମାକ୍ଷାନଗରରେ ୩୨ଜଣ ଓ ଭୁବନରେ ୩୨ଜଣ ନାବାଳିକାଙ୍କୁ ମିଶାଇ ୪୪୦ ଜଣ ଗର୍ଭବତୀ ହୋଇଥିବା ଜଣାପଡ଼ିଛି।

ସରକାରୀ ପରିସଂଖ୍ୟାନ ବାହାରେ ଆହୁରି ଅଧିକ ନାବାଳିକା ଗର୍ଭବତୀ ରହିଥିବା କୁହାଯାଉଛି। ବିଭିନ୍ନ କାରଣରୁ ବହୁ ନାବାଳିକା ପ୍ରତାରଣାର ଶିକାର ‌ହୋଇ ଗର୍ଭବତୀ ହେବାପରେ ଅଧିକାଂଶ କ୍ଷେତ୍ରରେ ଡରାଇ, ଧମକାଇ, ଅର୍ଥଲୋଭ ଦେଖାଇ ଚାପି ଦିଆଯାଉଛି। ପ୍ରଶାସନ ନଜରକୁ ଆସିଥିବା ତଥ୍ୟ ଅନୁଯାୟୀ, ସଂପୃକ୍ତ ଗର୍ଭବତୀ ନାବାଳିକାମାନଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଥଇଥାନ କରାଯାଇଛି କିମ୍ବା ସେମାନେ ପ୍ରସବ କରିଛନ୍ତି କି ଗର୍ଭପାତ କରିଛନ୍ତି, ସେ ସଂପର୍କରେ ମଧ୍ୟ କୌଣସି ସୂଚନା ରହୁନି। ଏ ସଂପର୍କରେମାଜ ମଙ୍ଗଳ ଅଧିକାରୀ ମିତା ଶର୍ମା କୁହନ୍ତି, ନାବାଳିକା ବିବାହ ହେଉଥିବା ଖବର ମିଳିଲେ ଚଢ଼ଉ କରାଯାଇ ବିବାହକୁ ବନ୍ଦ କରାଯାଉଛି। ଅଧିକାଂଶ ନାବାଳିକା ବିବାହ, ବାପା ମା’ଙ୍କ ସହଯୋଗରେ ହେଉଛି। ଲୁଚି ପଳାଇ ବିବାହ କରୁଥିବା ସଂପର୍କରେ ଜଣାପଡ଼ୁନାହିଁ। ନାବାଳିକା ବିବାହ ରୋକିବା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button