ବଦଳୁଛି ହାତୀଙ୍କ ଖାଦ୍ୟାଭ୍ୟାସ ଓ ବାସସ୍ଥଳ: ଜଙ୍ଗଲ ଛାଡ଼ି ଜନପଦମୁହାଁ
ଅନୁଗୁଳ: ଦଶ ବର୍ଷ ତଳେ ଅନୁଗୁଳ ଜିଲ୍ଲାରେ ଯେତିକି ହାତୀ ଥିଲେ, ଏବେ ପାଖାପାଖି ସେତିକି ଅଛନ୍ତି। ଫରକ ଏତିକି, ସେତେବେଳେ ହାତୀ ଜଙ୍ଗଲରେ ରହୁଥିଲେ। ଆଉ ଏବେ ଗାଁ ମୁଣ୍ଡରେ। ସହର ପାଖରେ ବି ବୁଲିଲେଣି। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। ଏଥିରେ ଧନଜୀବନ ନଷ୍ଟ ହେବା ସହ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
ସରକାରୀ ହିସାବ ଅନୁସାରେ, ୨୦୧୫ ବେଳକୁ ଅନୁଗୁଳ, ଆଠମଲ୍ଲିକ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ସମୁଦାୟ ୨୪୨ଟି ହାତୀ ଥିଲେ। ଆଉ ଗତ ନଭେମ୍ବରରେ ଶେଷ ହୋଇଥିବା ହାତୀ ଗଣନା ଅନୁସାରେ ଏହି ୩ ବନଖଣ୍ଡରେ ୨୩୮ଟି ହାତୀ ଅଛନ୍ତି। ଅର୍ଥାତ୍ ଗତ ୧୦ ବର୍ଷରେ ମାତ୍ର ୪ଟି ହାତୀ କମିଛନ୍ତି। କିନ୍ତୁ ୧୦ ବର୍ଷ ତଳେ ହାତୀ ଉପଦ୍ରବ ଦେଖି ନଥିବା ଅନୁଗୁଳ ଏବେ ହାତୀ ଭୟରେ ଥରୁଛି। ଅନୁଗୁଳରୁ ଆଠମଲ୍ଲିକ, ବନ୍ତଳାରୁ ବଅଁରପାଳ ସବୁଠି ପଲ ପଲ ହାତୀ ବୁଲୁଛନ୍ତି। ପାଳଲହଡ଼ା, ଛେଣ୍ଡିପଦାରେ ବି ହାତୀଙ୍କ ଉତ୍ପାତ କମ୍ ନୁହେଁ। ହଠାତ ହାତୀ ଉପଦ୍ରବ ବଢ଼ିବା ଲୋକଙ୍କୁ ଚିନ୍ତାରେ ପକାଇ ଦେଇଥିଲା ବେଳେ ହାତୀଙ୍କ ବାସସ୍ଥଳ ପରିବର୍ତ୍ତନ ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି। କାରଣ ହାତୀ ଆଉ ଜଙ୍ଗଲରେ ରହିବାକୁ ପସନ୍ଦ କରୁ ନାହାନ୍ତି। ବରଂ ଗାଁ ଓ ସହରତଳି ଅଞ୍ଚଳରେ ରହିବାକୁ ଭଲ ପାଉଛନ୍ତି। ବନବିଭାଗ ତଥ୍ୟରୁ ଏହା ସ୍ପଷ୍ଟ ହେଉଛି। ଏହି ତଥ୍ୟ ଅନୁଯାୟୀ, ୨୦୧୫ ମେ’ ବେଳକୁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୧୪୬ଟି ହାତୀ ଥିଲେ। ୨୦୧୭ ବେଳକୁ ଏହା ୧୪୭ରେ ପହଞ୍ଚିଥିଲା। କିନ୍ତୁ ଗତ ନଭେମ୍ବରରେ ହାତୀ ଗଣନା ସମୟରେ ଏହା ୩୭କୁ ଖସି ଆସିଛି।
୧୦ ବର୍ଷରେ ସାତକୋଶିଆରେ କମିଲେ ଶହେ ହାତୀ
ଅନୁଗୁଳ ଓ ଆଠମଲ୍ଲିକରେ ବଢ଼ିଲେ
ଏପଟେ ଅନୁଗୁଳ ବନଖଣ୍ଡରେ ୨୦୧୫ ବେଳକୁ ୪୦ଟି ହାତୀ ଥିଲେ। ୨୦୧୭ ବେଳକୁ ଏହା ବଢ଼ି ୪୫ ହୋଇଥିଲା। ଆଉ ୨୦୨୪ ନଭେମ୍ବର ବେଳକୁ ଏହି ସଂଖ୍ୟା ୧୧୭ରେ ପହଞ୍ଚିଛି। ସେହିପରି ଆଠମଲ୍ଲିକ ବନଖଣ୍ଡରେ ୨୦୧୫ ବେଳକୁ ୫୬ଟି ହାତୀ ଥିଲା ବେଳେ ଏବେ ଏହି ସଂଖ୍ୟା ୮୪ ହେଲାଣି। ସାତକୋଶିଆ ପରି ଘଞ୍ଚ ଜଙ୍ଗଲରେ ହାତୀ କମିବା ଓ ଅନୁଗୁଳ ବନଖଣ୍ଡରେ ବଢ଼ିବା ଏକ ଭିନ୍ନ ସଙ୍କେତ ଦେଉଛି। ଆଗରୁ ସାତକୋଶିଆ ହାତୀଙ୍କ ପ୍ରାକୃତିକ ବାସସ୍ଥଳ ରହିଥିଲା। ଏଠାରେ ଶହ ଶହ ହାତୀ ସ୍ବଚ୍ଛନ୍ଦରେ ଘୂରି ବୁଲୁଥିଲେ। ଖାଦ୍ୟପେୟର ଅଭାବ ନ ଥିଲା। କିନ୍ତୁ ଧୀରେ ଧୀରେ ହାତୀଙ୍କ ଖାଦ୍ୟାଭ୍ୟାସ ବଦଳିବା ଓ ଜଙ୍ଗଲରେ ଖାଦ୍ୟର ଅଭାବ ପାଇଁ ହାତୀ ଗାଁମୁହାଁ ହୋଇଛନ୍ତି। ଏଥିପାଇଁ ସାତକୋଶିଆ ବନଖଣ୍ଡ ପାଖାପାଖି ଥିବା ବନ୍ତଳା, ଅନୁଗୁଳ ଓ ବଅଁରପାଳ ବନାଞ୍ଚଳକୁ ହାତୀ ଚାଲି ଆସିଛନ୍ତି। ଆଉ ଏଥିପାଇଁ ହାତୀ ପାଦ ତଳେ ଲୋକଙ୍କ ଜୀବନ ଯାଉଛି। ଗତ ୨୦୨୧ ପରଠାରୁ ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ୬୨ ଜଣଙ୍କ ଜୀବନ ଗଲାଣି। ଆଉ ଫସଲ ନଷ୍ଟ କଥା ନ କହିବା ଭଲ। ହାତୀ ଜନବସତି ମୁହାଁ ହେବା ଫଳରେ ଖାଲି ଯେ ମଣିଷ ପ୍ରଭାବିତ ହେଉଛନ୍ତି, ତାହା ନୁହେଁ। ଏହି ସମୟ ଭିତରେ ୧୭ଟି ହାତୀ ମଧ୍ୟ ପ୍ରାଣ ହରାଇଛନ୍ତି। କିଛି ଆହତ ହେଉଥିଲା ବେଳେ ଏକାଧିକ ହାତୀ ଗୋଠଛଡ଼ା ହୋଇଛନ୍ତି। ତଥାପି ଗାଁ ପାଖାପାଖି ରହୁଥିବା ହାତୀ ଆଉ ଜଙ୍ଗଲକୁ ଫେରିବାର ନାଁ ନେଉନାହାନ୍ତି। ଫଳରେ ଆଗକୁ ଏହି ହାତୀ-ମଣିଷ ଲଢ଼େଇ ଆହୁରି ତୀବ୍ର ହେବାର ଆଶଙ୍କା ଦେଖାଦେଇଛି।