୧୦ରେ ଛତିଶା ନିଯୋଗ ବୈଠକ: ୧୬ରୁ ରତ୍ନଭଣ୍ଡାର ମରାମତି
ପୁରୀ: ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ରତ୍ନଭଣ୍ଡାର ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ଆବଶ୍ୟକ କରୁଛି ଏଏସ୍ଆଇ। ତେଣୁ ଆସନ୍ତା ୧୦ ତାରିଖରେ ଛତିଶା ନିଯୋଗର ବୈଠକ ବସିବ। ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନ ହୋଇ ମରାମତି ପାଇଁ ସମୟ ବାହାର କରାଯିବା ସଂପର୍କରେ ଉକ୍ତ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜାନୁଆରି ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରାଯିବ। ଏହାପରେ ଅସ୍ଥାୟୀ ଗୃହରେ ଥିବା ରତ୍ନସମୂହକୁ ରତ୍ନଭଣ୍ଡାରକୁ ଆଣିବା ପରେ ଗଣତି ମଣତି କରାଯିବ। ତେବେ ଆସନ୍ତା ୧୦ ତାରିଖରେ ଛତିଶା ନିଯୋଗ ବୈଠକ ପରେ ରତ୍ନଭଣ୍ଡାର ମରାମତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ କହିଛନ୍ତି, ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ଆମକୁ ୫ରୁ ୬ ଘଣ୍ଟା ଆବଶ୍ୟକ। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି। ଆସନ୍ତା ୧୬ ତାରିଖରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ସେ ସମୟରେ ମରାମତି ପାଇଁ ଯଥେଷ୍ଟ ସମୟ ମିଳିବ। ତେଣୁ ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ପାଇଁ ଆଶା କରାଯାଉଛି ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।
ସୂଚନାଯୋଗ୍ୟ ଯେ ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିଲା। ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲା ଏଏସଆଇର ବୈଷୟିକ ଟିମ୍। କିଛିଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଥିଲା। ଆସନ୍ତା ୧୦ ତାରିଖରେ ଛତିଶାନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ସହ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପହିଲି ଭୋଗ ନୀତି, ଜାନୁଆରି ୧୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ନୀତି ଓ ଜାନୁଆରି ୧୪ ତାରିଖରେ ମକରସଂକ୍ରାନ୍ତି ନୀତି ଉପରେ ଆଲୋଚନା କରାଯିବ।