ରାଜ୍ୟ

ପୁଣି ସକ୍ରିୟ ହେଲେଣି ସୁଦାମ: ପତ୍ନୀ ରଞ୍ଜିତାଙ୍କ ଦେଖା ମିଳୁନି

ବାରିପଦା: ବିଜେପିର ଓଡ଼ିଶା ଦଖଲ ପରେ ମୟୂରଭଞ୍ଜ ରାଜନୀତିରେ ବଡ଼ଧରଣର ପରିବର୍ତ୍ତନ ହୋଇଛି। ଲୋକସଭା ସମେତ ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କ ପରାଜୟ, ଅନେକ ତୁଙ୍ଗ ନେତ‌ାଙ୍କ ରାଜନୈତିକ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ସେଥିମଧ୍ୟରେ ଅଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ଗତ ବିଜେଡି ସରକାରରେ ଟାଣୁଆ ମନ୍ତ୍ରୀ ଥିବା ବରିଷ୍ଠ ରାଜନେତା ସୁଦାମ ମାରାଣ୍ଡି।

କିଛିଦିନର ନିରବତା ପରେ ପୁଣି ଥରେ ସୁଦାମ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି, ଯାହା ଏବେ ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ୨୦୦୪ରେ ସେହି ଦଳରୁ ଲୋକସଭା ସାଂସଦ ହୋଇଥିଲେ ସୁଦାମ। ୨୦୧୪ରେ ବିଜେଡିକୁ ଆସି ଜିଲ୍ଲା ବିଜେଡିର ମଙ୍ଗ ଧରିବା ସହ ୨ ଥର ବାଙ୍ଗିରିପୋଷି ଆସନରୁ ବିଧାୟକ ହୋଇଥିଲେ। ଏଥିସହ ବିଜେଡି ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟବିନେଟ୍‌ ମନ୍ତ୍ରୀ ହୋଇଥିଲେ। ବାଙ୍ଗରିପୋଷିରେ ତାଙ୍କ ଆଧିପତ୍ୟ ଦେଖି ଏଥର ବି ସେ ବିଧାୟକ ହୋଇ ହ୍ୟାଟ୍ରିକ୍‌ କରିବେ ବୋଲି ତାଙ୍କ ସମର୍ଥକ ଆଶା ରଖିଥିଲେ। ହେଲେ ଦଳର ଶୀର୍ଷ ନେତୃତ୍ବଙ୍କ ଟିକେଟ୍‌ ବଣ୍ଟନ ନିଷ୍ପତ୍ତି ତାଙ୍କ ପାଇଁ ବୁମେରାଂ ହେଲା।

ଅନିଚ୍ଛା ସତ୍ତ୍ବେ ବିଧାନସଭା ଛାଡ଼ି ଏଥର ଲୋକସଭା ଆସନରେ ଲଢ଼ିଲେ ସୁଦାମ। ବଦଳରେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ, ନିଜ ଶିକ୍ଷୟିତ୍ରୀ ପତ୍ନୀ ରଞ୍ଜିତାଙ୍କ ପାଇଁ ବାଙ୍ଗରିପୋଷି ଆସନରୁ ବିଜେଡି ଟିକେଟ୍‌ ହାତେଇ ନେଇଥିଲେ। ପ୍ରଥମଥର ପାଇଁ ମାରାଣ୍ଡି ଦମ୍ପତି ସାଙ୍ଗ ହୋଇ ନିର୍ବାଚନ ଲଢ଼ିଥିଲେ। ସୁଦାମ ନିଜ ଲୋକପ୍ରିୟତା ବଳରେ ନିର୍ବାଚନ ବୈତରଣୀ ପାର୍‌ ହେବା ସହ ପତ୍ନୀଙ୍କୁ ବି ସେହି ନୌକାରେ ପାର୍‌ କରାଇନେବେ ବୋଲି ଆଶା ରଖିଥିଲେ। ହେଲେ, ମୟୂରଭଞ୍ଜରେ ବିଜେପିର ସୁନାମି ଆଗରେ ଉଭୟ ତିଷ୍ଠି ପାରିଲେନି। ନବଚରଣ ମାଝୀଙ୍କ ପାଖରୁ ସୁଦାମ ଓ ନବାଗତା ସଞ୍ଜଲୀ ମୁର୍ମୁଙ୍କ ପାଖରୁ ପତ୍ନୀ ରଞ୍ଜିତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଲା।

ନିର୍ବାଚନ ଫଳାଫଳ ସୁଦାମଙ୍କ ପାଇଁ ଏତେ ଅପ୍ରତ୍ୟାଶିତ ଥିଲା ଯେ ସାଧାରଣ ଜନଜୀବନରୁ ସେ ବେଶ୍‌ କିଛିଦିନ ଦୂରେଇ ଯାଇଥିଲେ। କୌଣସି ଦଳୀୟ ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳିଲାନି। ପରେ ସେ ଡାକିଥିବା ବିଜେଡି ବୈଠକରେ ଜିଲ୍ଲାର ବହୁ ବରିଷ୍ଠ ନେତା ଯୋଗ ଦେଲେନି। ୨ ଦିନ ପରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ସୁଦାମ କିମ୍ବା ରଞ୍ଜିତାଙ୍କୁ ବି ଦେଖିବାକୁ ମିଳିଲାନି। ତେଣୁ ମାରାଣ୍ଡି ଦମ୍ପତିଙ୍କୁ ନେଇ କର୍ମୀ ମହଲରେ ସସ୍‌ପେନ୍ସ ଲାଗି ରହିଥିଲା। ତେବେ ଚଳିତ ମାସ ୧୩ରୁ ୧୯ ତାରିଖ ଯାଏ ସୁଦାମ ଦିଲ୍ଲୀ ଯାଇଥିଲେ ଓ ସେଠାରୁ ଫେରିବା ପରେ ପୁଣି ରାଜନୀତିରେ ସକ୍ରିୟ ହୋଇପଡ଼ିଛନ୍ତି। ଗତ ୨୩ ତାରିଖରେ ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ହୋଇଥିବା ବିଜେଡିର ଜିଲ୍ଲାସ୍ତରୀୟ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ ଓ ଦଳୀୟ କର୍ମୀଙ୍କୁ ଉତ୍ସ‌ାହିତ କରିଥିଲେ। ଅପରପକ୍ଷେ ପତ୍ନୀ ରଞ୍ଜିତାଙ୍କର ରାଜନୈତିକ ଗତିବିଧି ବିଶେଷ ନାହିଁ କହିଲେ ଚଳେ। ଏ ନେଇ ଶ୍ରୀ ମାରାଣ୍ଡିଙ୍କୁ ପଚାରିବାରୁ ସେ କହିଲେ; ମୁଁ ଓ ମୋ ପତ୍ନୀ ଏବେ ସମରସଜ୍ଜା କରୁଛୁ। ଆସନ୍ତା ନିର୍ବାଚନରେ ମୁଁ ପୁଣି ପୂର୍ବ ଶକ୍ତି ନେଇ ଫେରିବି। ଆଉ ରହିଲା ବିଜୁ ଜନତା ଦଳର ଭାଗ୍ୟ କଥା, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button