ରାଜ୍ୟ

ବିରୋଧୀ ଝଡରେ ବିଧାନସଭା ଅଚଳ

ହଟୁନି ଅଚଳାବସ୍ଥା। ଅଡ଼ି ବସିଛନ୍ତି ବିରୋଧୀ। ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ମାମଲା ସହ ଆଜି ଯୋଡ଼ି ହୋଇଗଲା ବଜେଟରେ କେନ୍ଦ୍ର ଅବହେଳା ପ୍ରସଙ୍ଗ। ବାସ୍ ଏହି ଦୁଇଟି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳରେ ଆଜି ବି ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ସମୟ। ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ ବି ଏହା କାଟୁ କଲାନି। ଆଉ ଗୃହ ଅଚଳ ନେଇ ଶାସକ ଓ ବିରୋଧୀ ମାତିଛନ୍ତି ଆରୋପ ପ୍ରତ୍ୟାରୋପ ରାଜନୀତିରେ।

ବିଧାନସଭାରେ ଆରମ୍ଭରୁ ଲାଗିଥିବା ଅଚଳାବସ୍ଥା ହଟିବାର ନାଁ ଧରୁନି। ତୃତୀୟ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳରୁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ସମୟ ବାଏଁ ବାଏଁ ଉଡ଼ିଗଲା। ଓଡ଼ିଆ ଅସ୍ମିତା ସହ କେନ୍ଦ୍ରୀୟ ଅବହେଳା ଯୋଡ଼ି ହୋଇଯାଇଛି ବିରୋଧୀଙ୍କ ମୁଦ୍ଦାରେ। ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ମାମଲାରେ ଏ ଯାଏ କାହିଁକି ଆକ୍ସନ ହୋଇନି କହି ବିରୋଧୀ ଶିବିର ଗଣ୍ଠି କରିଛନ୍ତି। ବୁଧବାର ଏଥିରେ ଯୋଡ଼ି ହୋଇଯାଇଛି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅବହେଳା ସହ ପୋଲାଭରମ ପାଇଁ ଆନ୍ଧ୍ରକୁ ଅର୍ଥ ଅଜାଡ଼ି ଦେଲେ। ଏହାର ପ୍ରତିବାଦରେ ଡେଇଁଥିଲା କଂଗ୍ରେସ। ସେପଟେ ବିଜେଡି ବି କକ୍ଷତ୍ୟାଗ କରିଥିଲା। ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଦାବି ଦୋହରାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣରେ କକ୍ଷତ୍ୟାଗ କରିଥିବା ବିଜେଡି ସ୍ପଷ୍ଟ କରିଦେଇଛି, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବି ନିବୃତ୍ତ ରହିବ ବିଜେଡି। କେନ୍ଦ୍ର ବଜେଟରେ ତ ଓଡ଼ିଶାକୁ ଅବହେଳା କରାଗଲା। ଏବେ ରାଜ୍ୟ ବଜେଟକୁ ଅପେକ୍ଷା ବୋଲି କହିଛି ବିଜେଡି।

ସେପଟେ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି କୌଣସି ନିର୍ଯ୍ୟାସ ବାହାରିପାରିନଥିଲା। ଯାହା ଫଳରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ କରିଦେଇଥିଲେ ବାଚସ୍ପତି। ଶାସକ ଦଳ କହିଛି, ୨୪ ବର୍ଷ ସରକାରରେ ଥିବାରୁ କ୍ଷମତାର ହ୍ୟାଙ୍ଗଓଭର ବିଜେଡିର ଯାଇନି। ଗୃହର ପରମ୍ପରା ନିର୍ବାହ କରିବା ସମସ୍ତ ସଦସ୍ୟଙ୍କ ଦାୟିତ୍ୱ। ଜାଣିଶୁଣି ଗୃହ ବନ୍ଦ କରି ନୂଆ ବିଧାୟକଙ୍କ ସ୍ୱପ୍ନକୁ ଧୂଳିସାତ୍ କରାଯାଉଛି। ଗୃହରେ ବିରୋଧୀ ଆଲୋଚନାକୁ ଆସିଲେ ସିନା ନିର୍ଯ୍ୟାସ ବାହାରିବ। ବିରୋଧୀ ଦଳ ନେତା ଇଂରାଜୀରେ କହୁଥିଲା ବେଳେ କଂଗ୍ରେସ କାହିଁକି ସେତେବେଳେ ଓଡିଆ ଅସ୍ମିତା କଥା ଉଠାଉନଥିଲା।

ତିନି ଦିନ ହେଲା ଚାଲିପାରୁନି ବିଧାନସଭା। ଉପବାଚସ୍ପତି ଭାବେ ଏକମାତ୍ର ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଥିବାରୁ ଅପରାହ୍ନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ବାଚସ୍ପତି ତାଙ୍କ ନାଁ ଔପଚାରିକ ଭାବେ ଘୋଷଣା କରିଥିଲେ।

ବିଧାନସଭାରେ ଅଚଳାବସ୍ଥା ଦୂର କରିବାକୁ ଚାଲିଛି ପ୍ରୟାସ। ଏମିତିରେ ଗୁରୁବାର ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିବେ। ଦେଖିବାର କଥା, ବଜେଟ୍ ଉପସ୍ଥାପନ ବେଳେ ବିରୋଧୀଙ୍କ ଆଭିମୁଖ୍ୟ କଅଣ ରହୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button