ରାଜ୍ୟ

ନଳା ଭିତରେ ଶ୍ରମିକଙ୍କୁ ମାରିଦେଲେ! ଟଙ୍କା ଦେଇ ରଫାଦଫା କରିଦେଲେ

ଭୁବନେଶ୍ୱର: ବିଏମ୍ସିର ନଳା କାମ ଚାଲିଥିଲା। ଗାର୍ଡ ୱାଲ ପାଇଁ ଖୋଳୁଖୋଳୁ ନଳା କଡ଼ରେ ଥିବା ପାଚେରି ଭୁଶୁଡ଼ି ପଡ଼ିଲା। ପାଚେରି ତଳେ ରହିଗଲେ ଶ୍ରମିକ। ଉଦ୍ଧାର କଲାପରେ ହସ୍ପିଟାଲ୍ ନେଲେ। ହେଲେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଖି ବୁଜିଲେ। ଠିକାଦାର ଓ ବିଏମ୍ସି ଇଞ୍ଜିନିୟର ପରିବାରବର୍ଗଙ୍କୁ ଧରି ରଫାଦଫା କରିଦେଲେ।

ଶବ ପୋଡ଼ି ଦେବା ପରେ ଶ୍ରମିକଙ୍କ ପରିବାରବର୍ଗଙ୍କୁ ଗଞ୍ଜାମ ପଠେଇଦେଲେ। ଅତି ଚତୁରତାର ସହ କାମ କରିଥିଲେ। ହେଲେ ପ୍ରମାଣ ରହିଗଲା। ଏବେ ମାମଲା ମାନବାଧିକାର କମିସନଙ୍କ ପାଖକୁ ଯିବାକୁ ବସିବା ବେଳକୁ ପ୍ରଘଟ ହୋଇଛି। ମୃତକ ପରିବାରବର୍ଗଙ୍କୁ ଟଙ୍କା ଓ ଧମକଚମକ ଦେଇ ଚୁପ୍ କରାଇଥିବା ବିଏମ୍ସି ଇଞ୍ଜିନିୟରଙ୍କୁ ଏବେ ଚିନ୍ତା ଘାରିଛି। କୌଣସି ପରିସ୍ଥିତିରେ ମୁହଁ ନ ଖୋଲିବା ପାଇଁ ପରିବାରବର୍ଗଙ୍କ ଉପରେ ଚାପ ପକାଉଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ବିଏମ୍ସି ଡ୍ରେନ୍ ତିଆରି ବେଳେ ଭୁଶୁଡ଼ିଲା ପାଚେରି
ଟଙ୍କା ଦେଇ ରଫାଦଫା କରିଦେଲେ
ଖସିଗଲେ ଠିକାଦାର

ଚଳିତ ୫ ତାରିଖରେ ଡୁମୁଡୁମା ରଘୁନାଥନଗରରେ ଏକ ନଳା କାମ ଚାଲିଥିଲା। ଗାର୍ଡ ୱାଲ ନିର୍ମାଣ ପାଇଁ ଖୋଳା ଚାଲିଥିବା ବେଳେ କଡ଼ରେ ଥିବା ଏକ ଅନୁଷ୍ଠାନର ପାଚେରି ଭୁଶୁଡ଼ି ପଡ଼ିଥିଲା। ପାଚେରି ତଳେ ଦୁଇଜଣ ଶ୍ରମିକ ରହିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଜଣଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା। ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିଲେ। ତେବେ ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ ଶ୍ୟାମପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ୨ ଦିନ ଧରି ଚିକିତ୍ସା ଚାଲିବା ପରେ ତାଙ୍କର ୭ ତାରିଖରେ ମୃତ୍ୟୁ ହୋଇଥିଲା। ଏହା ପରେ ଠିକାଦାର ଓ ଦାୟିତ୍ବରେ ଥିବା ବିଏମ୍ସି ଇଞ୍ଜିନିୟର ମାମଲାକୁ ରଫାଦଫା କରିବାରେ ଲାଗି ପଡ଼ିଥିଲେ। କାରଣ ସମ୍ପୃକ୍ତ ଶ୍ରମିକଙ୍କର ବୀମା ନଥିଲା କିମ୍ବା କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଇ ଗ୍ରହଣ କରାଯାଇ ନଥିଲା। ଅଭିଯୋଗ ହେଲେ ଜେଲ୍ ଯିବା ଭୟରେ ପରିବାରବର୍ଗଙ୍କୁ ଟଙ୍କା ଦେଇ ଅଭିଯୋଗ ନ କରିବାକୁ ବୁଝାଇବାରେ ଠିକାଦାର ଓ ଇଞ୍ଜିନିୟର ସମର୍ଥ ହୋଇଥିଲେ। ଅନ୍ୟପଟେ ପରିବାରବର୍ଗଙ୍କ ପକ୍ଷରୁ ଅଭିଯୋଗ ହୋଇ ନାହିଁ। ମେଡିକାଲ୍ରୁ ଖବର ପାଇ ଖଣ୍ଡଗିରି ପୁଲିସ ଏକ ଅପମୃତ୍ୟୁ ମାମଲା(୨୨୬/୨୪)ରୁଜୁ କରିଛି। ଘଟଣାର ତଦନ୍ତ କରୁଛି। ପୁଲିସ ସୂଚନା ଅନୁସାରେ ସମ୍ପୃକ୍ତ ଶ୍ରମିକ ହେଉଛନ୍ତି କୋରା ସ୍ବାଇଁ। ଘର ଗଞ୍ଜାମ ଶେରଗଡ଼ର ଥୁରୁବୁରାଇ ବୋଲି ଜଣାପଡ଼ିଛି। ତଦନ୍ତରେ ପ୍ରମାଣ ମଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।

ଏଣେ ଘଟଣାକୁ ୨୦ ଦିନ ବିତିଥିଲେ ମଧ୍ୟ ବିଳମ୍ବ ଖବରର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଘଟଣା ପ୍ରଘଟ ହୋଇଛି। ମାନବାଧିକାରକର୍ମୀ ଦେବାଶିଷ ଦାସ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି। ସେ କହିଛନ୍ତି ମାମଲା ମାନବାଧିକାର କମିସନଙ୍କ ପାଖକୁ ଯିବ। କେଉଁ ପରିସ୍ଥିତିରେ ଠିକାଦାର ଖସିଗଲେ? ଶ୍ରମିକଙ୍କର ବୀମା କାହିଁକି ହୋଇନଥିଲା? ପରିବାରବର୍ଗ ଯଦି ଚାପରେ ଅଭିଯୋଗ କଲେ ନାହିଁ ତେବେ ପୁଲିସ ନିଜ ଆଡ଼ୁ ହତ୍ୟା ମାମଲା ରୁଜୁ କଲା ନାହିଁ କାହିଁକି? ଏ ସବୁର ଯେଭଳି ତଦନ୍ତ ହେବ ଓ ସମ୍ପୃକ୍ତ ଠିକାଦାରଙ୍କୁ ଯେଭଳି ବ୍ଲାକ୍ ଲିଷ୍ଟ କରାଯିବା ସହ ଦାୟିତ୍ବରେ ଥିବା ଇଞ୍ଜିନିୟରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ସେ ନେଇ କମିସନଙ୍କୁ ପ୍ରାର୍ଥନା କରାଯିବ ବୋଲି କହିଛନ୍ତି। ଏ ନେଇ ବିଏମ୍ସିର କୌଣସି ଅଧିକାରୀ କିମ୍ବା ଦାୟିତ୍ବରେ ଥିବା ଇଞ୍ଜିନୟର ମୁହଁ ଖୋଲି ନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button