ରାଜ୍ୟ

‘ନବୀନ ନିଜ ଚକ୍ରାନ୍ତରେ ନିଜେ ଫସିଗଲେ’

ଭୁବନେଶ୍ବର: ନବୀନ ବାବୁ ୨୪ ବର୍ଷର ଶାସନରେ ରାଜ୍ୟର ବିକାଶ ବଦଳରେ ବିନାଶ କଲେ। ଗଣତନ୍ତ୍ରକୁ ଧ୍ବଂସ କରି ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଲେ। ମନ୍ତ୍ରୀ, ବିଧାୟକ ମଞ୍ଚତଳେ ଛିଡ଼ାହେଲେ, ଅଥଚ ସଭାମଞ୍ଚରେ ସିଏମ୍ଓ ଅଧିକାରୀ ନେତୃତ୍ବ ନେଇ ଭାଷଣ ଦେଲେ। ଭୋଟ୍ ପାଇଁ ନବୀନ ଯେଉଁ ହୀନ ଚକ୍ରାନ୍ତ କରିଥିଲେ, ସେ ଚକ୍ରାନ୍ତରେ ନିଜେ ହିଁ ଫସିଗଲେ।

ଓଡ଼ିଆ ଯଦି କଷ୍ଟ ପାଇବ, ତେବେ ସରକାର ନିଶ୍ଚିତ ପରିବର୍ତ୍ତନ କରିବ। ଏଣୁ ଲୋକେ ୨୦୨୪ରେ ଉଚିତ ଜବାବ ଦେଇ ସରକାର ପରିବର୍ତ୍ତନ କଲେ। ଆଜି ପୂବର୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଏମିତି କିଛି କଡ଼ା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀପୁଟ କାର୍ଗିଲ ବସ୍ତିରେ ଆୟୋଜିତ ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ସରକାରରେ ରୂପାନ୍ତରଣ ନାଁରେ ୫-ଟି ସ୍କୁଲ୍ର ଭଙ୍ଗାକାନ୍ଥରେ ରଙ୍ଗ ବୋଳି କେବଳ ହରିଲୁଟ୍ କରାଗଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର କହି କେନ୍ଦ୍ର ଯୋଜନାକୁ ଲୁଟି ନେଉଥିଲେ। ପରଛୁଆକୁ ମୋ’ ଛୁଆ କହିବାର ଅଭ୍ୟାସ ଥିଲା ନବୀନ ବାବୁଙ୍କର। ହେଲେ ସବୁକଥା ଲୋକେ ଜାଣିପାରି ତାଙ୍କୁ ଶାସନରୁ ହଟାଇଦେଲେ। ୨୦୦୯ ମସିହାରେ ମୋ’ପ୍ରତି ଚକ୍ରାନ୍ତ କରାଯାଇଥିଲା। ହେଲେ ମୁଁ କୌଣସି ଚକ୍ରାନ୍ତରେ ନପଡ଼ି କାର୍ଯ୍ୟ କରିବାରୁ ଦଳ ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଛି। ବିଜେପିର ଉଦ୍ଦେଶ୍ୟ ନୁହେଁ ସବୁଦିନ ସରକାରରେ ରହିବା, ଜନ କଲ୍ୟାଣକାରୀ ସେବା ହିଁ ବିଜେପିର ଏକମାତ୍ର ଲକ୍ଷ୍ୟବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏକାମ୍ର ବିଧାୟକ ବାବୁ ସିଂ ଏହି ଅବସରରେ କହିଲେ, ପଣ୍ଡିତ ଦୀନଦୟାଲଙ୍କ ଏକାତ୍ମ ମାନବବାଦ ଦର୍ଶନ ଆଧାରରେ ସମାଜର ସବୁଠୁ ତଳସ୍ତରରେ ବାସ କରୁଥିବା ଲୋକଙ୍କ ପାଖରେ ସମସ୍ତ ସରକାରୀ ବ୍ୟବସ୍ଥା ପହଞ୍ଚାଇବା ହେଉଛି ସରକାରଙ୍କର ମୂଳ ଉଦ୍ଦେଶ୍ୟ। ତାଙ୍କର ଅନ୍ତ୍ୟୋଦୟ ଯୋଜନାର ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାର ପ୍ରୟାସ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଓ ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ପ୍ରତ୍ୟେକ ବୁଥ୍ସ୍ତରରେ କର୍ମକର୍ତ୍ତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୫୪ ଓ ୫୫ ନମ୍ବର ବୁଥ୍ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ସଦସ୍ୟତା ଗ୍ରହଣ କରାଇଥିଲେ। ପରେ ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନରେ ମୁଖ୍ୟମନ୍ତ୍ରୀ ପଖାଳ ସହ ଶାଗ, ବଡ଼ିଚୁରା, ଛତୁ ବେସର ଓ ସ୍ୱତନ୍ତ୍ର ଘାଣ୍ଟ ତଳେ ବସି କଦଳୀପତ୍ରରେ ଖାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button