ଆଜି ଖଳିଲାଗି ଏକାଦଶୀ, ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ – Kalinga News
[ad_1]
ପୁରୀ : ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ । ଅସୁସ୍ଥ ହୋଇ ଅଣସରପିଣ୍ଡିରେ ଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଜି ଦଶମୂଳମୋଦକ ଲାଗି ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଆସନ୍ତାକାଲି ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବେ ଦଇତାପତି ସେବାୟତ । ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଦଶମୀରେ ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ । ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି ।
ଆଜି ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବେ । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଅଣସର ୧୦ ଦିନ ଧରି ଜ୍ୱର ଯୋଗୁଁ ଘଣ୍ଟ ବାଜିବା ବନ୍ଦ ରହିଥିଲା । ଆଜି ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି । ଆସନ୍ତାକାଲି ଅଣସର ଦ୍ୱାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରିବ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ।
The post ଆଜି ଖଳିଲାଗି ଏକାଦଶୀ, ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ appeared first on KNews Odisha.
[ad_2]