ଭାରତମାଳା ପ୍ରକଳ୍ପର କଚ୍ଛପ ଗତି, ଟନେଲ ଓ ରାସ୍ତା କାମ ସରୁନି
କୋରାପୁଟ: ‘ଭାରତମାଳା’ ଗ୍ରୀନ କରିଡର ଆର୍ଥନୈତୀକ ପ୍ରକଳ୍ପ ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଛତିଶଗଡ଼ର ଶିଳ୍ପନଗରୀ ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପଟଣା ପର୍ଯ୍ୟନ୍ତ ତିଆରି ହେଉଛି ୬ ଥାକିଆ ବିଶିଷ୍ଟ ୪୬୫ କିଲୋମିଟରର ରାସ୍ତା। ଯାହାର ଓସାର ଜଙ୍ଗଲ ରାସ୍ତାରେ ୩୫ ମିଟର ଓ ଅଣଜଙ୍ଗଲ ରାସ୍ତାରେ ୬୦ ମିଟର ରହିଛି। ଏଥିରେ କୋରାପୁଟ ସୀମାନ୍ତ ସୁଙ୍କି ଠାରେ ରାଜ୍ୟର ପ୍ରଥମ ଦୁଇଟି ଟନେଲ ବା ସୁଡ଼ଙ୍ଗ ରାସ୍ତା ନିର୍ମାଣାଧୀନ ରହିଛି।।
୨୦୨୪ ମସିହା ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଏହି ପ୍ରକଳ୍ପ ୧୧ଟି ପର୍ଯ୍ୟାୟରେ ବହୁ ଅନ୍ତଃରାଷ୍ଟ୍ରୀୟ ଠିକା ସଂସ୍ଥା ଜରିଆରେ କାମ ଚାଳିଛି।
ସର୍ବମୋଟ ସବୁ କାମ ୭୦ପ୍ରତିଶତ ହିଁ ସରିଥିବା ଭାରତମାଳା ପ୍ରକଳ୍ପର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଖାସ୍ କରି ୨ଟି ଟନେଲର କାମ ଶେଷ ହୋଇ ପାରିନଥିବା ସୂଚନା ମିଳିଛି। ଏବଂ କାମ ଡିସେମ୍ବର ସୁଦ୍ଧା ସାରି ଜାତୀୟ ରାଜପଥ ପ୍ରାଧିକରଣକୁ ହସ୍ତାନ୍ତର କରାଯିବ ଏବଂ ୨୦୨୫ ସୁଦ୍ଧା ଏହି ରାସ୍ତାରେ ଗାଡ଼ି ଚଳାଚଳ କରିବା ଲକ୍ଷ୍ୟ ରଖିଛି କେନ୍ଦ୍ର ସରକାର। ଅପରପକ୍ଷରେ ଯେଉଁ ଗତିରେ କାମ ଆରମ୍ଭ ହୋଇଥିଲା ଧାର୍ଯ୍ୟ ଲକ୍ଷ୍ୟ ସମୟ ସରିବା ପରେ ସେହି ଗତିରେ କାମ ଚାଳୁନି। ଫଳରେ କାମ ସରିବାକୁ ଆଉ କିଛି ବର୍ଷ ଲାଗିବ କି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ଏହି ପ୍ରକଳ୍ପରେ ବିଶାଖାପାଟଣାରୁ ରାୟପୁର ୪୬୫କିଲୋମିଟର ମଧ୍ୟରେ ଓଡିଶାର କୋରାପୁଟ ଜିଲ୍ଲାର ୧୧୬କିଲୋ ମିଟର ଏବଂ ନବରଙ୍ଗପୁର ଜିଲ୍ଲାର ୧୨୪କିଲୋମିଟର ରାସ୍ତା ଅର୍ନ୍ତଭୁକ୍ତ। ଏହି ରାସ୍ତା ନିର୍ମାଣ ପାଇଁ କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଳାର ୮୬୪ ହେକ୍ଟର ଘରୋଇ ଜମି, ୩୦୭ ହେକ୍ଟର ସରକାରୀ ଜମି ଏବଂ ୩୬୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି। ଆନ୍ଧ୍ରର ସାଲୁରଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ପ୍ରାୟ ୪୫ କିଲୋମିଟର ଘାଟି ରାସ୍ତା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ବେଳେ ଏହି ରାସ୍ତାରେ ଯାତ୍ରୀ ବେଶ ଉପଭୋଗ କରିଥାଆନ୍ତି।
ଏହି ଘାଟି ରାସ୍ତାରେ ନିର୍ମାଣ ହେଉଛି ରାଜ୍ୟର ପ୍ରଥମ ଟନେଲ(ସୁଡ଼ଙ୍ଗ) ସହ ଛଅ ଥାକିଆ ଏକ୍ସପ୍ରେସ୍ ହାଇୱେ। ଏହି ଟନେଲ ରାସ୍ତାର ଲମ୍ୱ ଯଥାକ୍ରମେ ୩.୪୨ କିମି ଓ ୨.୮ କିଲୋ ମିଟର। ଭାରତମାଳା ପ୍ରକଳ୍ପ ଅଧୀନରେ ଛତିଶଗଡ଼ ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ନିର୍ମାଣ ହେଉଥିବା ଭାରତମାଳା ରାଜପଥରେ ଯାତ୍ରୀମାନଙ୍କ ସୁବିଧା ଲାଗି ନିର୍ଦ୍ଧିଷ୍ଟ ଦୂରତାରେ ପେଟ୍ରୋଲ ପମ୍ପ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ୭ରୁ ୮ଏକର ଜମିରେ ଏସବୁ ଉପଲବ୍ଧ ହେବ।
ପ୍ରକାଶଯୋଗ୍ୟ, ବ୍ରିଟିଶ ଶାସନ ସମୟ ତଥା ମାଡ୍ରାସ ପ୍ରେସିଡେନସୀ ଅଧିନରେ କୋରାପୁଟ ଜିଲ୍ଲା ରହିଥିଲା। ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚରେ ଥିବା ପାହାଡ଼ ଗୁଡିକୁ କାଟି ବିଶାଖାପାଟଣା –ପଟାଙ୍ଗୀ-ସେମଳିଗୁଡା-କୋରାପୁଟ ଓ ଜୟପୁର ମଧ୍ୟରେ ରାସ୍ତା ନିର୍ମାଣ ହୋଇଥିଲା। ସେତେବେଳର ଇଂରେଜ ସରକାରଙ୍କ ଜର୍ମାନୀର ଇଞ୍ଜିନିୟର କର୍ଣ୍ଣେଲ ସଙ୍କେଶଙ୍କ ଦ୍ୱାରା ଏହି ଘାଟି ରାସ୍ତାର ନକ୍ସା ପ୍ରସ୍ତୁତ କରାଇଥିଲେ। ତେଣୁ ଏହି ଘାଟିକୁ ସଙ୍କେଶ ଘାଟି ବୋଲି ନାମିତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସାମାନ୍ୟ ପରିବର୍ତ୍ତନ କରି ସୁଙ୍କି ଘାଟି ବୋଲି ନାମକରଣ କରାଯାଇଛି।