ରାଜ୍ୟ
କ୍ଷେତରେ ଖସିପଡ଼ିଲା ମିଗ୍-୨୯; ପାଇଲଟ୍ ସୁରକ୍ଷିତ

ଜୟପୁର: ରାଜସ୍ଥାନର ବାରମେର୍ରେ ଭାରତୀୟ ବାୟୁସେନାର ମିଗ୍-୨୯ ଲଢ଼ୁଆ ବିମାନ ଧ୍ବଂସ ହୋଇଯାଇଛି। ବିମାନଟି ଉଡ଼ିବା ସମୟରେ ବୈଷୟିକ ତ୍ରୁଟି କାରଣରୁ ଏହା ହୋଇଛି। ତେବେ ବିମାନଟି ଧ୍ବଂସ ହେବା ପୂର୍ବରୁ ପାଇଲଟ୍ ନିରାପଦରେ ବାହାରି ଆସିବାରେ ସକ୍ଷମ ହୋଇଛନ୍ତି। ବାରମେର୍ ସେକ୍ଟରରେ ବାୟୁସେନାର ଘାଟିରେ ଏହି ଲଢ଼ୁଆ ବିମାନଟି ରାତିରେ ନିୟମିତ ତାଲିମ କାର୍ଯ୍ୟରେ ଉଡ଼ାଣ କରିଥିଲା।
କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ଏହା ଉତ୍ତରଲାଇ ନିକଟରେ ଏକ କ୍ଷେତରେ ଖସିପଡ଼ି ଜଳି ଯାଇଥିଲା। ପାଇଲଟ ନିରାପଦ ଅଛନ୍ତି। ଅନ୍ୟ କାହାରି ଜୀବନ ହାନି ହୋଇନାହିଁ ବୋଲି ବାୟୁସେନା ପକ୍ଷରୁ ଏକ୍ସରେ ପୋଷ୍ଟ୍ କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାସ୍ଥଳରେ ବାରମେର୍ ଜିଲ୍ଲାପାଳ ନିଶାନ୍ତ ଜୈନ ଓ ଏସ୍ପି ନରେନ୍ଦ୍ର ସିଂହ ମିନାଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିଛନ୍ତି।




