ରାଜ୍ୟ

କନ୍ଦେଇଲାଣି ପିଆଜ ଦର, ଖାଉଟିଙ୍କ ପକେଟରେ ମହଙ୍ଗା ମାଡ଼: ୪୦ କି ୫୦ ନୁହେଁ କିଲୋ ପ୍ରତି ୭୦ଟଙ୍କାରେ ହେଉଛି ବିକ୍ରି

ଭୁବନେଶ୍ୱର,୨୩/୦୯: କନ୍ଦାଇଚାଲିଛି ପିଆଜ । ଦର ୪୦ରୁ ୫୦ ଆଉ ଏବେ ସିଧାସଳଖ ୨୦ଟଙ୍କା ବଢି ୭୦ଟଙ୍କାରେ ପହଞ୍ଚିଛି । ରବିବାର ରାତିରେ ଖଣ୍ଡଗିରି ହାଟରେ ପିଆଜ କିଲୋ ୭୦ଟଙ୍କାରେ ବିକ୍ରି ହେଉଥିଲା । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଦୀର୍ଘ ମାସେ ହେବ ପିଆଜ ଯନ୍ତ୍ରଣା ଲାଗିରହିଛି ବୋଲି ଗ୍ରାହକମାନେ ଅଭିଯୋଗ କରିଥିଲେ ।

ଏପଟେ ବେପାରୀଙ୍କ ମନମାନୀକୁ ମଧ୍ୟ ସ୍ୱୀକାର କରିଛି କୁବେରପୁରୀ ବ୍ୟବସାୟୀ ସଂଘ । ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ବେପାରୀମାନେ ଆମ ନିୟନ୍ତ୍ରଣରେ ନାହାନ୍ତି । ସେପଟେ ସରକାର ନାଫେଡ୍ ଜରିଆରେ ପିଆଜ ଆଣିଲେ । ହେଲେ ସେ ପିଆଜ କାହାକୁ ଦିଆଯାଉଛି ତାହା କେହି ଜାଣିନାହାନ୍ତି । ସେହିପରି ଆମ ସହିତ ମଧ୍ୟ କୌଣସି ପରାମର୍ଶ କରାଯାଉନି । ଫଳରେ ଆମେ ୫୦ଟଙ୍କାରୁ ଅଧିକ ପାଇକାରୀ ଦରରେ ପିଆଜ ଆଣୁଛୁ ।

ଗତ ଜୁନ୍ ମାସରୁ ଭୁବନେଶ୍ୱରରେ ପିଆଜ ତାତି ଲାଗିରହିଛି । କେତେବେଳେ ନାସିକ୍ରେ ଦର ବଢ଼ୁଛି ତ ଆଉକେତେବେଳେ କର୍ପୋରେଟ୍ ସଂସ୍ଥାର ଦର ନିର୍ଦ୍ଧାରଣ ଯୋଗୁ ବଜାରରେ ପିଆଜ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ ସଂଘ ଅଭିଯୋଗ କରୁଛି । ସରକାର ମଧ୍ୟ ନାଫେଡ୍ ଜରିଆରେ ପିଆଜ ଆଣୁଛନ୍ତି । ହେଲେ ଚାରିମାସ ବିତିଗଲା ପରେ ବି ଦର ନିୟନ୍ତ୍ରଣକୁ ଆସୁନାହିଁ ।

ଓଡ଼ିଶାରେ ଦୈନିକ ୧୫ଶହରୁ ୧୬ଶହ ଟନ୍ ପିଆଜ ଆବଶ୍ୟକ ପଡ଼େ । ଭୁବନେଶ୍ୱରରେ ୩ଶହ ଟନ୍ ପିଆଜ ଦରକାର । ସେ ଦୃଷ୍ଟିରୁ ନାସିକ ଓ ମୌସୁମୀ ସମୟରେ ଆନ୍ଧ୍ରପ୍ରଦେଶର ତାଡ଼େପଲ୍ଲିଗୁଡେମ୍ରୁ ନୂଆ ବଡ଼ ପିଆଜ ଆସିଥାଏ । ହେଲେ ଚଳିତବର୍ଷ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ପିଆଜ ଅମଳ ବାଧାପ୍ରାପ୍ତ ହୋଇଥିଲା । ଯେଉଁଭଳି ପିଆଜ ଉତ୍ପାଦନ ହେବାକଥା ସେଭଳି ହେଉନି । ତେଣୁ ସେଠାରୁ ପିଆଜ ଆସୁନଥିବାରୁ ଏଠି ଯୋଗାଣରେ ବାଧା ସୃଷ୍ଟି ହେଉଛି । ସେହିପରି ନାସିକରେ ପିଆଜର କୁଇଣ୍ଟାଲ ଦର ୪୩ଶହରୁ ୪୪ଶହ ରହିଛି । ସେ ଦୃଷ୍ଟିରୁ ପିଆଜ ଦର ବଢିଛି ବୋଲି କେତେକ ବ୍ୟବସାୟୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button