ସିସୋଦିଆଙ୍କୁ ଜାମିନ: ୧୭ ମାସ ପରେ ଜେଲ୍ରୁ ମୁକୁଳିଲେ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୁପ୍ରିମ୍କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଏହାପରେ ସନ୍ଧ୍ୟାରେ ସେ ତିହାର ଜେଲ୍ରୁ ମୁକୁଳିଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ସହ ପାସପୋର୍ଟ ଜମା କରିବାକୁ ତାଙ୍କୁ ବିଚାରପତି ବିଆର୍ ଗଭାଇ ଓ ବିଚାରପତି କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଉଭୟ ସିବିଆଇ ଓ ଇଡି ମାମଲାରେ ଏକ ନିମ୍ନ ଅଦାଲତ ଏବଂ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ତୃତୀୟ ଜାମିନ ଆବେଦନକୁ ଖାରଜ କରିଦେବା ପରେ ସେ ପୁଣି ଥରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟ ଆବେଦନ ମାମଲାରେ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି କହି ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ତେବେ ମାମଲାର ଶୁଣାଣି ମନ୍ଥର ଗତିରେ ଚାଲିଲେ ଏବଂ ଚାର୍ଜସିଟ୍ ଦାଖଲ ପରେ ସିସୋଦିଆ ପୁଣି ଥରେ ସୁପ୍ରିମ୍କୋର୍ଟରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି ଅଦାଲତ କହିଥିଲେ। ଚାର୍ଜସିଟ୍ ଦାଖଲ ପରେ ସିସୋଦିଆ ସୁପ୍ରିମ୍କୋର୍ଟରେ ତାଙ୍କର ତୃତୀୟ ଜାମିନ ଆବେଦନ କରିଥିଲେ। ଅଦାଲତ ଆଜି କହିଛନ୍ତି ଯେ ତାଙ୍କୁ ଜାମିନ ପାଇଁ ପୁଣି ଥରେ ନିମ୍ନ ଅଦାଲତକୁ ଯିବାକୁ କହିବେ ନାହିଁ। କାରଣ ତାହା ନ୍ୟାୟ ପ୍ରତି ଉପହାସ ହେବ। ତାଙ୍କ ବିରୋଧରେ ଶୁଣାଣି ଖୁବ୍ ଶୀଘ୍ର ଶେଷ ହେବାର ସମ୍ଭାବନା ନ ଥିବାରୁ ସୁପ୍ରିମ୍କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା କହିଛନ୍ତି। ଏଥିସହିତ ତଦନ୍ତକାରୀ ଏଜେନ୍ସି ଉପରେ ମଧ୍ୟ ଖଣ୍ଡପୀଠ ବିରକ୍ତ ହୋଇଛନ୍ତି।
ଜେଲ୍ରୁ ସିସୋଦିଆ ମୁକୁଳିବା ପରେ ସିସୋଦିଆଙ୍କୁ ଉତ୍ସାହିତ ଆପ୍ କର୍ମୀମାନେ ସ୍ବାଗତ କରିଥିଲେ। ସିସୋଦିଆ ମଧ୍ୟ ବର୍ଷାରେ ଭିଜି ସେମାନଙ୍କୁ ଅଳ୍ପ ସମୟ ପାଇଁ ଉଦ୍ବୋଧନ ଦେଇଥିଲେ। ଆଜି ସକାଳେ ଏହି ନିର୍ଦ୍ଦେଶ ଆସିବା ପରେ ମୋ ଚର୍ମର ପ୍ରତ୍ୟେକ ଅଂଶ ବାବାସାହେବ ଆମ୍ବେଦକରଙ୍କ ପ୍ରତି ଋଣୀ ଥିବା ଅନୁଭବ କରିଥିଲା। ମୁଁ ବାବାସାହେବଙ୍କ ଋଣ କିଭଳି ପରିଶୋଧ କରିବି ତାହା ବୁଝିପାରୁନାହିଁ ବୋଲି ସିସୋଦିଆ କହିଥିଲେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜେଲ୍ରୁ ବାହାରିବେ ବୋଲି କହିବା ସହିତ ସିସୋଦିଆ କେଜ୍ରିୱାଲଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ଗତବର୍ଷ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଯଦିଓ ତାଙ୍କୁ ଅନୁମତି ମିଳିଥିଲା ତଥାପି ସିସୋଦିଆ ଅଷ୍ଟମ ଆବେଦନରେ ଜାମିନ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ସିସୋଦିଆଙ୍କୁ ୨୦୨୩ ଫେବ୍ରୁଆରିରେ ସିବିଆଇ ପ୍ରଥମେ ଗିରଫ କରିଥିଲା।