ଖେଳ ଖବର

ପାକିସ୍ତାନ ଖେଳାଳିଙ୍କୁ ଭୀଷଣ ଗାଳି – Kalinga News

[ad_1]

ନ୍ୟୁୟର୍କ: ପ୍ରଥମ ଥର ବିଶ୍ବକପ୍ ଖେଳୁଥିବା ତଥା ବିଶ୍ବ କ୍ରିକେଟ୍‌ରେ ଏବେ ଏବେ ପାଦ ଥାପିଥିବା ଆମେରିକା ଏବଂ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ହାରିବା ପରେ ପୂର୍ବବିଜେତା ପାକିସ୍ତାନ ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟ ପୂର୍ବରୁ ବାଦ୍ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ପାକିସ୍ତାନ ସଂପ୍ରତି ଗ୍ରୁପ୍ ‘ଏ’ରେ ଆୟର୍ଲାଣ୍ଡ ପରେ ଏକମାତ୍ର ଦଳ ଭାବେ ପଏଣ୍ଟ୍‌ ଖାତା ଖୋଲିନି। ଅନ୍ୟପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ଭାରତ ଓ ଆମେରିକା ଏହି ଗ୍ରୁପ୍‌ର ପ୍ରଥମ ଦୁଇ ସ୍ଥାନରେ ଅଛନ୍ତି। ପ୍ରତି ଗ୍ରୁପ୍‌ରୁ ଶୀର୍ଷ ଦୁଇଟି ଦଳ ସୁପର-୮କୁ ଯିବାର ଅଛି। ସେହିଦୃଷ୍ଟିରୁ ‌ଶେଷ ଦୁଇ ମ୍ୟାଚ୍‌ରେ ପାକିସ୍ତାନ କର ବା ମର ସ୍ଥିତିରେ ରହିବ। ଦୁଇଟିଯାକରୁ କୌଣସି ଗୋଟିଏ ମ୍ୟାଚ୍ ହାରିଲେ ଏହି ଦଳର ଅଭିଯାନ ଲିଗ୍‌ରୁ ହିଁ ଶେଷ ହୋଇଯିବ। ଖାଲି ସେତିକି ନୁହେଁ, କାନାଡ଼ା ଓ ଆୟର୍ଲାଣ୍ଡ ବିପକ୍ଷ ଶେଷ ଦୁଇଟି ମ୍ୟାଚ୍‌ରେ ପାକିସ୍ତାନକୁ ବଡ଼ ବିଜୟ ହାସଲ କରିବାକୁ ପଡ଼ିବ। ତାସହ ଅନ୍ୟ ମ୍ୟାଚ୍‌ଗୁଡ଼ିକର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବ। କାରଣ ଆମେରିକା ତାର ଶେଷ ଦୁଇଟି ମ୍ୟାଚ୍‌ରୁ ଗୋଟିକୁ ଜିତିଲେ ପାକିସ୍ତାନର ସୁପର-୮ ଆଶା ସେହିଠାରେ ଖତମ ହୋଇଯିବ। ଏହି ଆଶଙ୍କାରେ ପାକିସ୍ତାନ ଖେଳାଳି ସୋମବାର ଦିନସାରା ଭୀଷଣ ଟ୍ରୋଲର ଶିକାର ହୋଇଛନ୍ତି। ଏହି ଟ୍ରୋଲ୍ ସୁନାମି ପାକିସ୍ତାନୀ ପ୍ରଶଂସକ ହିଁ କରିଛନ୍ତି।

‌ଶୋଇପାରୁନାହାନ୍ତି ପ୍ରଶଂସକ
ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଧାର୍ଯ୍ୟ କରିଥିବା ୧୨୦ ରନ୍‌ର ଛୋଟ ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନଥିବା ପାକିସ୍ତାନ ଖେଳାଳି ଏବେ ସାମାଜିକ ଗଣମାଧ୍ୟମରେ ଛାଇ ରହିଛନ୍ତି। ତେବେ କୌଣସି ସକାରାତ୍ମକ କାରଣ ପାଇଁ ନୁହେଁ, ବରଂ ନିଜ ପ୍ରଶଂସକଙ୍କ କଟାକ୍ଷ ଲାଗି। କାରଣ ପାକିସ୍ତାନୀ ପ୍ରଶଂସକ ନିଜ ଦେଶର ଖେଳାଳିଙ୍କ ଉପରେ ସାମଜିକ ଗଣମାଧ୍ୟମରେ ରାଗ ଶୁଝାଉଛନ୍ତି। ଆଉ ଘରକୁ ନ ଫେରିବାକୁ ଚେତାବନୀ ଦେଉଛନ୍ତି। ବିଭିନ୍ନ ପ୍ରକାର ମିମ୍ ଛାଡ଼ି ନିଜ ଦଳକୁ ଟ୍ରୋଲ୍ କରୁଛନ୍ତି। ଏପରିକି ପାକିସ୍ତାନର ବହୁ ପୂର୍ବତନ କ୍ରିକେଟର୍‌ ଅଧିନାୟକ ବାବର ଆଜମଙ୍କ ସହ ପୂରା ପାକିସ୍ତାନ ଦଳକୁ ଖୋଲା ଭର୍ତ୍ସନା କରିଛନ୍ତି। ଏହି ପରାଜୟ କେତେକ ପ୍ରଶଂସକଙ୍କୁ ଏମିତି ବାଧିଛି ଯେ ସେମାନେ ରବିବାର ରାତି ସାରା ଶୋଇ ପାରି ନଥିବା ଲେଖିଛନ୍ତି। ପୂର୍ବତନ ଖେଳାଳି ସ୍ତବ୍ଧ ହୋଇଯାଇଥିଲା ବେଳେ ଏହି ପରାଜୟକୁ ସେମାନେ ବିଶ୍ବାସ କରିପାରୁ ନାହାନ୍ତି। ସେପଟେ ଆମେରିକାରେ ରହୁଥିବା ଅନେକ ପାକିସ୍ତାନୀ ବଂଶୋଦ୍ଭବ ନିଜ ଦେଶର ଖେଳାଳିଙ୍କ ପାଇଁ ବାରମ୍ବାର ଲଜ୍ଜିତ ହେଉଥିବା‌ କହି ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। କହିବାକୁ ଗଲେ ପୂରା ପାକିସ୍ତାନ ଏବେ ଦୁଃଖରେ ବୁଡ଼ି ରହିଛି।

ଇମଦଙ୍କ ଉପରେ ଭାରତକୁ ଜିତାଇବା ଅଭିଯୋଗ
ଜିତିବା ମ୍ୟାଚ୍‌କୁ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ନିଜ ରାଗ ମଧ୍ୟକ୍ରମ ବ୍ୟାଟର୍ ଇମଦ ୱାସିମଙ୍କ ଉପରେ ଶୁଝାଇଛନ୍ତି। ସେ ଜାଣିଶୁଣି ଭାରତକୁ ଜିତାଇଥିବା ଅଭିଯୋଗ କରିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ସଲିମ ମଲ୍ଲିକ ମଧ୍ୟ ସେମାନଙ୍କ ସ୍ବରରେ ସ୍ବର ମିଳାଇଛନ୍ତି। ଇମଦ ଜାଣିଶୁଣି ବଲ୍ ପରେ ବଲ୍‌ ଖାଇ ଚାଲିଥିଲେ। ରନ୍ କରିବାକୁ ଚେଷ୍ଟା କରୁ ନଥିଲେ। ଯାହା ଫଳରେ ପାକିସ୍ତାନର ପଶ୍ଚାତଧାବନ ଅତ୍ୟନ୍ତ କଷ୍ଟକର ହୋଇଯାଇଥିଲା ବୋଲି ମଲ୍ଲିକ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମ ଅବସରରେ ଅଭିଯୋଗ କରିଛନ୍ତି। ଅନ୍ୟତମ ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପାକିସ୍ତାନ ଡ୍ରେସିଂ ରୁମ୍‌ରେ ସବୁକିଛି ଠିକ୍ ନଥିବାର ଆଶଙ୍କା ଜାହିର କରିଛନ୍ତି। ‘‘ଅଧିନାୟକର କାମ ହେଲା ସମସ୍ତଙ୍କୁ ସାଙ୍ଗରେ ନେବା। ଏକାଠି ରଖିବା, ହେଲେ ଏବେ ଏମିତି କିଛି ଦେଖିବାକୁ ମିଳୁନି। ସାହିନ (ଆଫ୍ରିଦି)ଙ୍କ ସହ ମୋର ଏମିତି ସଂପର୍କ ଯେ, ଯଦି ମୁଁ କିଛି କହିବି ତାହେଲେ ଲୋକେ କହିବେ ଜ୍ବାଇଁକୁ ସମର୍ଥନ କରୁଛି। ବିଶ୍ବକପ୍ ସରିବା ପରେ ମୁଁ ସବୁକିଛି ଖୋଲି କହିବି’’ ବୋଲି ଆଫ୍ରିଦି ମତ ରଖିଛନ୍ତି।

ବାବର-ଆଫ୍ରିଦି କଳି
ପାକିସ୍ତାନ କ୍ରିକେଟ୍ ଦଳର ଡ୍ରେସିଂ ରୁମ୍‌ରେ ସବୁକିଛି ଠିକ୍ ନାହିଁ। ଏପରିକି ଅଧିନାୟକ ବାବର ଆଜମ ଓ ପୂର୍ବତନ ଅଧିନାୟକ ସାହିନ ସାହ ଆଫ୍ରିଦି ପରସ୍ପର ସହ କଥା ହେଉନାହାନ୍ତି। ଏଭଳି ରିପୋର୍ଟ ପଦାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଛି। ଭାରତଠାରୁ ଜିତିବା ମ୍ୟାଚ୍‌କୁ ହାରିବା ପରେ ପାକିସ୍ତାନୀ ପ୍ରଶଂସକ କ୍ଷୁବ୍ଧ ଥିଲା ବେଳେ ବାବର ଓ ସାହିନଙ୍କ କଳି ସେମାନଙ୍କୁ ବିସ୍ମିତ କରିଛି। ପିସିବି ଏଥିରେ ହସ୍ତକ୍ଷେପ କରିବାକୁ ଅନେକ ସମାଜିକ ଗଣମାଧ୍ୟରେ ଆହ୍ବାନ କରିଛନ୍ତି। ସେହିଭଳି ୱାସିମ ଆକ୍ରମ, ୱାକର ୟୁନିସ୍ ଓ ସୋଏବ ଅଖତରଙ୍କ ଭଳି ମହାନ ଖେଳାଳି ଉଭୟଙ୍କୁ ଘରକୁ ପଠାଇ ଦେବାକୁ ଦାବି କରିଛନ୍ତି। ଏପରିକି ଦଳର ଖରାପ ପ୍ରଦର୍ଶନ ଲାଗି ଏବେ ପ୍ରଶିକ୍ଷକଙ୍କୁ ବଦଳାଇବା ପରିବର୍ତ୍ତେ ଖେଳାଳି ପରିବର୍ତ୍ତନ କରିବାକୁ ପିସିବିକୁ ସେମାନେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୫୦ ଓଭରିଆ ବିଶ୍ବକପ୍ ବିପର୍ଯ୍ୟୟ ପରେ ପିସିବି ବାବରଙ୍କୁ କାଢ଼ି ଆଫ୍ରିଦିଙ୍କୁ ‌ନିଜ ଟ୍ବେଣ୍ଟି-୨୦ ଦଳର ଅଧିନାୟକ କରିଥିଲା। କିଛି ମାସ ପରେ ପୁଣି ଆଫ୍ରିଦିଙ୍କୁ ହଟାଇ ବାବରଙ୍କୁ ନେତୃତ୍ବ ଭାର ଦେଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button