ରାଜନୀତି

ମେଣ୍ଟ ଯୁଗର ପ୍ରତ୍ୟାବର୍ତ୍ତନ: ‘ଅଗ୍ନିବୀର’କୁ ନେଇ ଜେଡିୟୁର ଅସନ୍ତୋଷ – Kalinga News

[ad_1]

ଜାତି ଜନଗଣନା ଓ ବିହାରକୁ ସ୍ବତନ୍ତ୍ର ମାନ୍ୟତା ଦାବି ତେଜିଲା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳି ପ୍ରଥମ ଦୁଇଟି କାର୍ଯ୍ୟକାଳଠାରୁ ଅଲଗା ହେବ ଏବଂ ଏବେ ସରକାର ଗଠନ ନହେଉଣୁ ମେଣ୍ଟ ସହଯୋଗୀ ନେତାଙ୍କ ଚାପ ଚର୍ଚ୍ଚାର ବିଷୟ ହୋଇଛି। ଏନ୍‌ଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଦଳ ଜେଡିୟୁର ଶୀର୍ଷ ନେତା କେସି ତ୍ୟାଗୀ କହିଛନ୍ତି ଯେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାର ସମୀକ୍ଷା କରାଯିବା ଦଳ ଚାହିଁବ। ଏହା ସହିତ ଜାତି ଜନଗଣନା ଏବଂ ଏ ବାବଦ ବିସ୍ତୃତ ସର୍ଭେ ସହିତ ବିହାରକୁ ସ୍ବତନ୍ତ୍ର ମାନ୍ୟତା ପାଇଁ ପୂର୍ବ ଦାବିକୁ ଦଳ ଦୋହରାଇବ ବୋଲି ତ୍ୟାଗୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ଆରମ୍ଭ ନହେଉଣୁ ସହଯୋଗୀ ଦଳ ନେତାଙ୍କ ଦାବି ଓ ସର୍ତ୍ତ ଏବେ ବିଜେପି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ କେସି ତ୍ୟାଗୀ କହିଛନ୍ତି ଯେ ଅନେକ ରାଜ୍ୟରେ ଅଗ୍ନିବୀର ଯୋଜନାକୁ ନେଇ ଅସନ୍ତୋଷ ରହିଛି। ଆମେ ଏହାକୁ ବିରୋଧ କରୁନାହୁଁ, କିନ୍ତୁ ଏହାର ଉପଯୁକ୍ତ ସମୀକ୍ଷା ସାଂପ୍ରତିକ ପରିପ୍ରେକ୍ଷୀରେ ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି। ୨୦୨୨ମସିହାରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାରେ ତିନି ସେନାର ବୟସ ସୀମା ହ୍ରାସ କରିବା ଉଦ୍ଦେଶ୍ୟରେ ସଶସ୍ତ୍ର ବାହିନୀରେ ସ୍ବଳ୍ପକାଳୀନ କର୍ମଚାରୀଙ୍କୁ ସାମିଲ କରାଯିବା ବ୍ୟବସ୍ଥା ରହିଛି। ଏହି ଯୋଜନା ଅଧୀନରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଅଗ୍ନିବୀର କୁହାଯାଏ। ଏହି ଯୋଜନାରେ ୧୭.୫ ବର୍ଷରୁ ୨୧ ବର୍ଷ ବୟସ ବର୍ଗର ଯୁବକଙ୍କୁ ୪ ବର୍ଷ ପାଇଁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ଆଉ ୧୫ ବର୍ଷ ପାଇଁ ବଜାୟ ରଖିବା ବ୍ୟବସ୍ଥା ରହିଛି। ଅବଶିଷ୍ଟ ବ୍ୟକ୍ତିଙ୍କ ସେବା ଶେଷ ହେବାପରେ ସେମାନଙ୍କୁ ଆର୍ଥିକ ପ୍ୟାକେଜ ଦିଆଯିବ। ସଶସ୍ତ୍ର ବାହିନୀରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନେ ସ୍ୱଳ୍ପକାଳୀନ ସେବା ଯୋଜନାକୁ ବିରୋଧ କରିବାରୁ ଏହି ଯୋଜନା ଘୋଷଣା ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା।

‘ଅଗ୍ନିବୀର’କୁ ନେଇ ଜେଡିୟୁର ଅସନ୍ତୋଷ
ଜାତି ଜନଗଣନା ଓ ବିହାରକୁ ସ୍ବତନ୍ତ୍ର ମାନ୍ୟତା ଦାବି ତେଜିଲା
ୟୁସିସିକୁ‌ ନେଇ ସହମତି ଉପରେ ଗୁରୁତ୍ବ

ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ନୂଆ ଯୋଜନାକୁ ବିରୋଧ କରି ଏହାକୁ ଲୋକସଭା ନିର୍ବାଚନ ପ୍ରଚାରରେ ଏକ ପ୍ରମୁଖ ପ୍ରସଙ୍ଗରେ ପରିଣତ କରିଥିଲା। ଦଳ ଯୁକ୍ତି ବାଢ଼ିଛି ଯେ ଏହି ଯୋଜନା ଅଗ୍ନିବୀରମାନଙ୍କୁ ୨୫ ବର୍ଷ ବୟସରେ ବେକାର କରିଦେବ।
କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି ଯେ ଅଗ୍ନିପଥ ଯୋଜନା ସଶସ୍ତ୍ର ବାହିନୀରେ ଯୁଦ୍ଧ ପ୍ରସ୍ତୁତିରେ ଉନ୍ନତି ଆଣିବା ସହ ଯୁବ ଏବଂ ଅଭିଜ୍ଞଙ୍କ ମଧ୍ୟରେ ସନ୍ତୁଳନ ହାସଲ କରିବା ପାଇଁ ଉଦ୍ଦିଷ୍ଟ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅଗ୍ନିବୀରମାନଙ୍କୁ ସେମାନଙ୍କର ଚାରି ବର୍ଷର ଚାକିରି ଶେଷରେ ଏକ ଭଲ ଆର୍ଥିକ ପ୍ୟାକେଜ ଉପଲବ୍ଧ ହେବ ଏବଂ ଏହା ବ୍ୟତୀତ ସେନାରେ କାର୍ଯ୍ୟ କରିବାର ଅନନ୍ୟ ଅଭିଜ୍ଞତା ନିଯୁକ୍ତିର ଅନେକ ରାସ୍ତା ଖୋଲିଦେବ। ଅଗ୍ନିପଥ, ଜାତିଗତ ସର୍ଭେ ଏବଂ ବିହାରକୁ ସ୍ବତନ୍ତ୍ର ମାନ୍ୟତା ଦାବି ସହିତ ନୂଆ ଏନଡିଏ ସରକାରର ସର୍ବନିମ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଜେଡିୟୁ ଜୋର୍‌ ଦେବା ଆରମ୍ଭ କରିଛି। ମୋଦୀ ସରକାରଙ୍କ ଗତ ଦୁଇ ପାଳିରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ନିଷ୍ପତ୍ତି ନେବାକୁ ସ୍ୱାଧୀନ ଥିଲା। କିନ୍ତୁ ମେଣ୍ଟ ଯୁଗର ପ୍ରତ୍ୟାବର୍ତ୍ତନ ପରିସ୍ଥିତିକୁ ବଦଳାଇ ଦେଇଛି। ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ସମ୍ପର୍କରେ ତ୍ୟାଗୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କୁ ସାଙ୍ଗରେ ନେବା ଏବଂ ସେମାନଙ୍କ ମତାମତ ବୁଝିବାର ଆବଶ୍ୟକତା ରହିଛି। ଏ ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମିଳିତ ଭାବେ ନିଷ୍ପତ୍ତି ନିଆଯିବା ଦରକାର ବୋଲି ତ୍ୟାଗୀ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button