ରାଜନୀତି

ଦୁଇ ନୀତୀଶ ବିରୋଧୀ ନେତା ଉପମୁଖ୍ୟମନ୍ତ୍ରୀ: ବିହାରରେ ବିଜେପିର ଖେଳ ଆକ୍ରାମକ ହେବ – Kalinga News

[ad_1]

ପାଟନା: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ବଦଳ ରାଜନୀତି ଏବଂ ପୁଣି ନୂଆ ସରକାର ଗଠନ ଆଗାମୀ ଦିନରେ ଜେଡିୟୁ ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ୨୦୨୨ରେ ନୀତୀଶ ଯେତେବେଳେ ଏନ୍‌ଡିଏ ସରକାରର ପତନ ଘଟାଇ ଆର୍‌ଜେଡି-କଂଗ୍ରେସ ସମର୍ଥନରେ ସରକାର ଗଠନ କଲେ ସେତେବେଳେ ଯୁକ୍ତି ଦର୍ଶାଇଥିଲେ ଯେ ବିଜେପି ତାଙ୍କ ଦଳରେ ବିଭାଜନ ଘଟାଇବାକୁ ଷଡ଼୍‌ଯନ୍ତ୍ର କରୁଛି। ଏବେ ନୀତୀଶ ମହାମେଣ୍ଟ ସରକାରର ପତନ ଘଟାଇ ଏନ୍‌ଡିଏ ସରକାରର ନେତୃତ୍ବ ନେବାପରେ ଲାଲୁ ପରିବାରର ଚାପ, ଦାଦାଗିରି ଏବଂ ଇଣ୍ଡିଆ ମେଣ୍ଟର ବିଫଳତାକୁ ଦାୟୀ କରିଛନ୍ତି। ତେବେ ନୀତୀଶଙ୍କ ରାଜନୈତିକ ଗୋଟି ଚାଳନାକୁ ଏଥର ସତର୍କତାର ସହ ମୁକାବିଲା କରିବା ପାଇଁ ବିଜେପି ନୂଆ ରଣନୀତିରେ ଆଗକୁ ବଢ଼ୁଛି। ନୀତୀଶଙ୍କର ଦୁଇ ଘୋର ବିରୋଧୀ ନେତା ସମ୍ରାଟ ଚୌଧରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇ ବିଜେପି ଜେଡିୟୁକୁ କଡ଼ା ବାର୍ତ୍ତା ଦେଇଛି। ଲୋକସଭା ନିର୍ବାଚନରେ ଆସନ ବଢ଼ାଇବା ପାଇଁ ବିଜେପି ଏନ୍‌ଡିଏରେ ନୀତୀଶଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଥିଲେ ମଧ୍ୟ ତାଙ୍କର ମେଣ୍ଟ ବଦଳ ଅପଖ୍ୟାତିକୁ ଦୃଷ୍ଟିରେ ରଖି ଗୋଟି ଚାଳନା କରୁଛି।

ନୀତୀଶଙ୍କୁ ଗାଦିଚ୍ୟୁତ ନକରିବା ପର୍ଯ୍ୟନ୍ତ ମୁଣ୍ଡରୁ ପଗଡ଼ି ଖୋଲିବି ନାହିଁ ବୋଲି ଶପଥ କରିଥିବା ସମ୍ରାଟ ଚୌଧରୀ ଆଗାମୀ ଦିନରେ ଆସନ ବୁଝାମଣା ନେଇ ନୀତୀଶଙ୍କ ଆଗରେ ଅତି ଜଟିଳ ସର୍ତ୍ତ ରଖିବେ ବୋଲି ଜଣାପଡ଼ିଛି। ଆଗାମୀ ଲୋକସଭା ନିର୍ବାଚନରେ ଜେଡିୟୁକୁ ପୂର୍ବ ମେଣ୍ଟ ତୁଳନାରେ କମ୍‌ ଆସନ ମିଳିବ ଏବଂ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସମାନ ରଣନୀତି ଅବଲମ୍ବନ କରିବା ପାଇଁ ଲକ୍ଷ୍ୟ ରଖିଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ମୂଳରୁ ହିଁ ନୀତୀଶଙ୍କ ଏକପାଖିଆ ନିଷ୍ପତ୍ତିକୁ ଅଚଳ କରିଦେବା ପାଇଁ ବିଜେପି ଏଥର ସୁଶୀଲ ମୋଦୀଙ୍କୁ ସରକାରରୁ ଦୂରେଇ ରଖିଛି ଏବଂ ନୀତୀଶ ବିରୋଧୀ ନେତାଙ୍କୁ ପ୍ରାଧାନ୍ୟ ଦେଇଛି। ବିଜେପିର ଏଭଳି ଆକ୍ରମକ ପଦକ୍ଷେପ ଯୋଗୁ ଲୋକସଭା ନିର୍ବାଚନ ପରେ ରାଜ୍ୟରେ ଭିନ୍ନ ସ୍ଥିତି ଉପୁଜିପାରେ ଏବଂ ୨୦୨୫ ବିଧାନସଭା ନିର୍ବାଚନ ବେଳକୁ ରାଜ୍ୟ ରାଜନୀତିରେ ଭିନ୍ନ ଦୃଶ୍ୟପଟ ଦେଖିବାକୁ ମିଳିପାରେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button