ଅପରାଧ

ସାଇବର୍‌ ଠକ ଦୁଇ ଭାଇଙ୍କ କାରନାମା: ଦେଶରୁ ଲୁଟିଲେଣି ହଜାରେ କୋଟି ଟଙ୍କା – Kalinga News

[ad_1]

ଓଡ଼ିଶା ସମେତ ୪ ରାଜ୍ୟରେ ସମଦ୍, ସଲିମ୍ ମୋଷ୍ଟ ଵାଣ୍ଟେଡ୍

କଟକ: ଓଡ଼ିଶା ସମେତ ସାରା ଦେଶରେ ଅନଲାଇନ୍ ନିବେଶ କେଳେଙ୍କାରୀ ସଂପର୍କିତ ବିସ୍ଫୋରକ ତଥ୍ୟ ସାମନାକୁ ଆଣିଛି କ୍ରାଇମବ୍ରାଞ୍ଚ। ଏହି କେଳେଙ୍କାରୀ ପଛରେ ଦୁଇ ଅନ୍ତର୍ଜାତୀୟ ସାଇବର୍ ଲୁଟେରା ସୟଦ ସମଦ୍ ଓ ସୟଦ ସଲିମଙ୍କ ପରିଚୟ ସାମନାକୁ ଆସିଛି। ଗୁଜୁରାଟ ଅହମଦାବାଦର ଏହି ଦୁଇ ଭାଇ ଓଡ଼ିଶା ସମେତ ସାରା ଦେଶରୁ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। ଦୁଇ ଭାଇ ଏବେ ଓଡ଼ିଶା କ୍ରାଇମବ୍ରାଞ୍ଚ ସମେତ ସାରା ଦେଶରେ ମୋଷ୍ଟ ଵାଣ୍ଟେଡ ତାଲିକାରେ ରହିଛନ୍ତି।

ସୂଚନା ଅନୁଯାୟୀ, ଦେଶରେ ଏବେ ଅନଲାଇନରେ ଅର୍ଥ ନିବେଶ ଆଳରେ ସାଇବର୍ ଅପରାଧୀମାନେ ନକଲି ଟ୍ରେଡିଂ ଆପ୍ଲିକେସନ ଖୋଲି ନିବେଶକଙ୍କ ଟଙ୍କା ଠକିନେଉଛନ୍ତି। କ୍ରାଇମବ୍ରାଞ୍ଚର ସାଇବର୍ ଥାନା ସମେତ ରାଜ୍ୟର ମୋଟ ୧୫ ସାଇବର୍ ଥାନାରେ ସମାନ୍ତରାଳ ଭାବେ ମାମଲା ରୁଜୁ ହେଉଛି। ତେବେ ଧାମରା ବନ୍ଦରର ମାନବ ସମ୍ବଳ ଅଧିକାରୀ ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳର ବାସିନ୍ଦା ସତ୍ୟଜିତ ରଥଙ୍କୁ ଅନଲାଇନ୍ ଟ୍ରେଡିଂରେ ଆମେରିକୀୟ ଡଲାର୍ ରୋଜଗାର କରିବାର ଲୋଭ ଦେଖାଇ ଏହି ଗ୍ୟାଙ୍ଗ୍ ତାଙ୍କ ଠାରୁ ୬୦ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଥିଲେ। ମାମଲାର ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଦୁଇ ଭାଇଙ୍କ ଠିକଣା ପାଇଛି। ଏହି କାରବାର ପଛର ବଡ଼ ଏଜେଣ୍ଟ ଅହମ୍ମଦାବାଦ ଭେଜଲପୁର ଥାନା ଅନ୍ତର୍ଗତ ଫତେଵାଡ଼ିର ଅହେମଦଖାନ୍ ସରଦାରଖାନ ବାଲୋଚ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଟିମ୍ ଏହି ଦୁଇ ଭାଇଙ୍କ କେଳେଙ୍କାରୀ ସାମନାକୁ ଆଣିଛି। କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ୍‌ ସୟଦ ସମଦ୍ ଅହମଦାବାଦର ବାସିନ୍ଦା ହୋଇଥିବା ବେଳେ ସେ ଏବେ ମୁମ୍ବାଇରେ ରହୁଛି। ତା’ ସାନ ଭାଇ ସୟଦ ସଲିମ୍ ଦୁବାଇରେ ରହୁଛି।

ଓଡ଼ିଶା ସମେତ ୪ ରାଜ୍ୟରେ ସମଦ୍, ସଲିମ୍ ମୋଷ୍ଟ ଵାଣ୍ଟେଡ୍
ଅହମଦାବାଦରେ ରହିଛି ୫୦ କୋଟିର ବଙ୍ଗଳା

ଦୁବାଇରେ ଥିବା ସାନ ଭାଇ ସଲିମ୍ ଘର କରି ସ୍ଥାୟୀ ବାସିନ୍ଦା ହୋଇ ରହିଥିବା ବେଳେ ସେ ସେଠାରେ ନକଲି ଅନଲାଇନ୍ ଟ୍ରେଡିଂ ଆପ୍ଲିକେସନ୍ ପ୍ରସ୍ତୁତ କରୁଛି। ବଡ଼ ଭାଇ ସମଦ୍ ଭାରତରୁ ନିବେଶ କେଳେଙ୍କାରୀ ମାଧ୍ୟମରେ ଟଙ୍କା ସଂଗ୍ରହ କରୁଛି। ଦୁଇ ଭାଇ ମିଶି ନକଲି ଟ୍ରେଡିଂ ଆପ୍ଲିକେସନ ମାଧ୍ୟମରେ ଠକେଇ କରି ଆସୁଛନ୍ତି। ଦୁଇ ଭାଇଙ୍କର ଅହମ୍ମଦାବାଦ ଭେଜଲପୁର ଥାନା ଅନ୍ତର୍ଗତ ଫତେଵାଡ଼ିରେ ପ୍ରାୟ ୫୦ କୋଟି ଟଙ୍କାର ଏକ ବଙ୍ଗଳା ଠାବ ହୋଇଛି। ଏହି ଘରକୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଅହମ୍ମଦାବାଦ ସାଇବର୍ ଥାନା ପୁଲିସର ତଥ୍ୟ ଅନୁଯାୟୀ, ଏହି ଦୁଇ ଭାଇ ସାରା ଦେଶରୁ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିସାରିଛନ୍ତି। ଏହି ଠକେଇ ଟଙ୍କାରେ ସେମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି।

ଏମାନେ ମୁଖ୍ୟତଃ ଅର୍ଥ କାରବାର ପାଇଁ ଭଡ଼ାରେ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥାନ୍ତି। ଭଡ଼ାରେ ଆଣିଥିବା ଆକାଉଣ୍ଟ ପାଇଁ ୫ ହଜାର ଟଙ୍କା ଲେଖାଏ କମିସନ ଦେଉଛନ୍ତି। ଏହି ଆପ୍ଲିକେସନର ଲିଙ୍କ୍ ହ୍ବାଟସଆପ ମାଧ୍ୟମରେ ପଠାଇବା ପାଇଁ ଅହମ୍ମଦାବାଦର ଫତେଵାଡ଼ିରେ ଫକିର ଅଲଫଜଶ ବିଶମିଲ୍ଲାଶ, ଶେଖ ହୁମାପରବିନ୍ ରଫିକ୍, ରଫିକ୍ ଅବଦୁଲମଜିଦ ଶେଖ, ଅହେମଦଖାନ୍ ସରଦାରଖାନ ବାଲୋଚଙ୍କ ସମେତ ମହାରାଷ୍ଟ୍ରର ପୁନେର ୭ ଜଣ ସଦସ୍ୟ ଏବଂ ଦିଲ୍ଲୀର ୨ ଜଣ ସଦସ୍ୟଙ୍କୁ ବ୍ୟବହାର କରାଯାଉଛି। ଏମାନେ ଏକ ହ୍ବାଟସଆପ ଗ୍ରୁପ କରିଛନ୍ତି। ଏଥିରେ ଟ୍ରେଡିଂ ମାଷ୍ଟର ନାଁରେ ପରିଚୟ ଦେଉଛି ରବର୍ଟ ବ୍ଲାକ୍। ଅନଲାଇନରେ ଅର୍ଥ ନିବେଶ କରିବାକୁ ରବର୍ଟ ନିବେଶକଙ୍କୁ ଏହି ଗ୍ରୁପରେ ଉତ୍ସାହିତ କରୁଛି। ସେମାନଙ୍କ ଦ୍ବାରା ପ୍ରସ୍ତୁତ ଆପ୍ଲିକେସନ ମାଧ୍ୟମରେ ଟଙ୍କା ନିବେଶ ପରେ ଆପ ଵାଲେଟରେ ମୋଟ ଅଙ୍କର ଟଙ୍କା ସୁଧ ସହିତ ଆସୁଛି। କିନ୍ତୁ ଏହା ଆମେରିକୀୟ ଡଲାର ଥିବାରୁ ତାହାକୁ ଉଠାଇବାକୁ ହେଲେ ଭାରତୀୟ ମୁଦ୍ରାକୁ ପରିବର୍ତ୍ତନ ପାଇଁ ଦେୟ ଲାଗିବା ସମ୍ପର୍କରେ ନିବେଶକଙ୍କୁ କୁହାଯାଉଛି। ଏହି ଦେୟ ଜମା କରିବା ପରେ କ୍ରମାଗତ ଭାବେ ନିବେଶକମାନେ ରବର୍ଟଙ୍କ ମାୟାଜାଲରେ ଫସିଯାଉଛନ୍ତି। ଏହି ଟଙ୍କା ସିଧା ମୁମ୍ବାଇରେ ରହୁଥିବା ମାଷ୍ଟରମାଇଣ୍ଡ ସମଦ୍ ନିକଟକୁ ଯାଉଛି। ଏଭଳି କେଳେଙ୍କାରୀରେ ସାମିଲ ଦୁଇ ଭାଇଙ୍କ ବିରୋଧରେ ଓଡ଼ିଶା କ୍ରାଇମବ୍ରାଞ୍ଚ ସମେତ ହରିୟାନା, ଗୁଜୁରାଟ, ରାଜସ୍ଥାନରେ ମାମଲା ରହିଛି। ଏହି ରାଜ୍ୟଗୁଡ଼ିକ ସେମାନଙ୍କୁ ଵାଣ୍ଟେଡ୍ ଦର୍ଶାଇଛି। ଏହି ଗ୍ୟାଙ୍ଗର ନେଟଵାର୍କ ଓଡ଼ିଶା ସମେତ ହରିୟାନା, ଦିଲ୍ଲୀ, ବିହାର, ଗୁଜୁରାଟରେ ବ୍ୟାପିଯାଇଛି।

ସାଇବର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅନଲାଇନରେ ଅର୍ଥ ନିବେଶ କରୁଥିବା ବ୍ୟକ୍ତି ସେବି ୱେବସାଇଟ ରେ ଯାଞ୍ଚ କରିପାରିବେ। ସେଥିରେ ପ୍ରକୃତ ପଞ୍ଜିକୃତ ହୋଇଥିବା ନିବେଶ ସଂସ୍ଥାର ନାଁ ଉଲ୍ଲେଖ ରହିଛି। ଏଥିରେ ଉଲ୍ଲେଖ ନଥିବା ସଂସ୍ଥା ଠକ ବୋଲି ଧରିନେବାକୁ ପଡ଼ିବ। ତେବେ ୨୦୨୩ ଓ ୨୦୨୪ରେ ଏଭଳି ଅନଲାଇନରେ ଅର୍ଥ ନିବେଶ ଠକେଇ କାରବାରରେ ଓଡ଼ିଶାରୁ ୨୫ କୋଟି ୫ ଲକ୍ଷ ଟଙ୍କା ସାଇବର୍ ଠକେଇ ଗ୍ୟାଙ୍ଗ ଲୁଟିସାରିଲେଣି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button