ରାଜନୀତି

ସରିଗଲା ପ୍ରଚାର: ମେଣ୍ଟରୁ ବ୍ୟକ୍ତିଗତ ଆକ୍ଷେପ ଯାଏ, ଏବେ ଫଳାଫଳକୁ ଅପେକ୍ଷା – Kalinga News

[ad_1]

ଭୁବନେଶ୍ବର: ଶାସକ ଦଳ ଓ ମୁଖ୍ୟ ବିରୋଧୀ ଦଳ ଭିତରେ ମେଣ୍ଟ। ଏହା ଅତ୍ୟନ୍ତ ଅବାସ୍ତବ ଲାଗୁଥିଲେ ବି ଏମିତି ଏକ ସମ୍ଭାବନା ଭିତରେ ଓଡ଼ିଶାରେ ବାଜିଥିଲା ନିର୍ବାଚନ ଘଣ୍ଟି। କିନ୍ତୁ ଅଧାରୁ ଅଟକିଗଲା ବିଜେଡି-ବିଜେପି ମଧ୍ୟରେ ଏହି ମେଣ୍ଟ ଆଲୋଚନା। ତା’ପରେ ପୂରା ଜୋର୍ ଦେଇ ଉଭୟ ପରସ୍ପର ବିରୋଧରେ ଲଢ଼ିଲେ। ଆଉ ପ୍ରଚାର ବେଳେ ବ୍ୟକ୍ତିଗତ ଆକ୍ଷେପ ଛାଇଗଲା। କଂଗ୍ରେସ ବି ପଛରେ ପଡ଼ିଲାନି। କିଛି ନିର୍ଦ୍ଦିଷ୍ଟ ଆସନରେ ପୂରା ଦମ୍‌ରେ ଲଢ଼ିଲା ଦଳ।

ଗୋଟିଏ ପଟେ ଷଷ୍ଠ ଥର କ୍ଷମତା ଦଖଲ ପାଇଁ ବିଜେଡି ପ୍ରସ୍ତୁତ କରିଥିଲା ବଡ଼ ରଣନୀତି। ଅନ୍ୟପଟେ ବିଜେଡି ଠାରୁ କ୍ଷମତା ଛଡ଼ାଇବାକୁ ବିଜେପି କରିଥିଲା ଯୋଜନାବଦ୍ଧ ଉଦ୍ୟମ। ଆଉ କଂଗ୍ରେସ ବି ସ୍ଥିତି ମଜଭୁତ କରିବାର ସୁଯୋଗ ଛାଡ଼ିଲାନି। ଦଳର ବଡ଼ ବଡ଼ ନେତାମାନେ ସିଧାସଳଖ ଲଢ଼ିବା ପାଇଁ ମଇଦାନକୁ ଡେଇଁ ପଡ଼ିଲେ। ଏମିତି ଏକ ଗରମାଗରମ ପରିବେଶରେ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି। ଦିନକ ପରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଆଉ ସମସ୍ତଙ୍କ ଅପେକ୍ଷା ଏବେ ୪ ତାରିଖକୁ। ଜଣାପଡ଼ିଯିବ, କାହା ରଣନୀତି ସଫଳ ହେଲା, କିଏ ବିଫଳ ହେଲା। ସ୍ପଷ୍ଟ ହୋଇଯିବ, ୯ ତାରିଖରେ ବିଜେଡି ଷଷ୍ଠ ଥର ସରକାର ଗଠନ କରିବ କି ୧୦ ତାରିଖରେ ବିଜେପି ପ୍ରଥମ ଥର ସରକାର ଗଢ଼ିବ? କ୍ଷମତା ଖେଳରେ କଂଗ୍ରେସର ଭୂମିକା କ’ଣ ରହିବ?

ଫେବ୍ରୁଆରି ମାସରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇ ମାର୍ଚ୍ଚ ପ୍ରଥମ ସପ୍ତାହରେ ଜୋର୍ ଧରିଥିଲା। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଚର୍ଚ୍ଚା ସରଗରମ ହେଲା। ବିଜେଡି ଓ ବିଜେପିର ଶୀର୍ଷ ସ୍ତରରେ ଯେ ମେଣ୍ଟକୁ ନେଇ ଜୋର୍‌ଦାର କସ୍‌ରତ ହେଉଛି, ତାହା ସ୍ପଷ୍ଟ ହେଲା। ବିଜେପିର ଚାଣକ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ମେଣ୍ଟ ସମ୍ଭାବନାକୁ ଅସ୍ବୀକାର କରି ନଥିଲେ। ବିଜେଡି ନେତା ଭି କେ ପାଣ୍ଡିଆନ୍ ବି ମେଣ୍ଟ ଚର୍ଚ୍ଚା ଚାଲିଛି ବୋଲି ଇଙ୍ଗିତ ଦେଇଥିଲେ। ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ତାରିଖ ଘୋଷଣା ବେଳକୁ ବି ମେଣ୍ଟ ଚିତ୍ର ସ୍ପଷ୍ଟ ହୋଇ ନଥିଲା। ଫଳରେ ସାରା ରାଜ୍ୟରେ ରାଜନୈତିକ ଗତିବିଧି ପୂରା ଠପ୍ ହୋଇଯାଇଥିଲା। ଶେଷରେ ମାର୍ଚ୍ଚ ୨୨ ତାରିଖରେ ମେଣ୍ଟ ଚର୍ଚ୍ଚାରେ ଯବନିକା ପଡ଼ିଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଥିଲେ।

ଏବେ ଫଳାଫଳକୁ ଅପେକ୍ଷା
୯ରେ ବିଜେଡି ନା ୧୦ରେ ବିଜେପି ସରକାର?
କ୍ଷମତା ଖେଳ‌ରେ କଂଗ୍ରେସର ଭୂମିକା କ’ଣ ହେବ?

ତାହା ପରେ ଆରମ୍ଭ ହୋଇଥିଲା ଅସଲ ରାଜନୀତି। ହଠାତ ସାରା ଓଡ଼ିଶାରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଗଲା। ତିନି ପ୍ରମୁଖ ଦଳରେ ଟିକେଟ ପାଇଁ ଚାଲିଲା ଟଣାଓଟରା, ଛକାପଞ୍ଝା। ବିଜେଡି ଓ ବିଜେପିରେ ଅତ୍ୟଧିକ ଆଶାୟୀ ଦଳର ରାଜ୍ୟ ନେତୃତ୍ବଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲେ। କଂଗ୍ରେସର କିଛି ଆସନରେ ବି ଏକାଧିକ ଆଶାୟୀ ଅଡ଼ୁଆ ସୃଷ୍ଟି କଲେ। ବହୁ ଆସନରେ ପ୍ରାର୍ଥୀ ବାଛିବା କାଠିକର ପାଠ ହୋଇପଡ଼ିଲା। ସ୍ଥିତି ଏମିତି ହେଲା ଯେ ଟିକେଟ ପାଇ ନଥିବା ଆଶାୟୀମାନେ ରାଜ୍ୟ କାର୍ଯ୍ୟାଳୟରେ ଆନ୍ଦୋଳନ, ଧାରଣା ଦେଲେ। ବିଜେପି କାର୍ଯ୍ୟାଳୟ ତ ବହୁତ ଦିନ ଧରି ଅସନ୍ତୁଷ୍ଟଙ୍କ କବ୍‌ଜାରେ ରହିଲା। ତିନି ଦଳରେ ବରିଷ୍ଠ ନେତାମାନେ କିଛି ଆଶାୟୀଙ୍କୁ ବୁଝାସୁଝା କରିବାରେ ସକ୍ଷମ ହେଲେ। ଆଉ କିଛି ଆଶାୟୀ କ୍ଷୁବ୍ଧ ହୋଇ ଦଳ ଛାଡ଼ିଲେ। ସବୁ ଦଳରେ ଦଳଡିଆଁଙ୍କୁ ବେଶ୍ ଗୁରୁତ୍ବ ମିଳିଲା। ମିଶିବାର କିଛି ସମୟ ପରେ ଦଳୀୟ ଟିକେଟ ହାତେଇବାରେ ବି ସକ୍ଷମ ହେଲେ। ଏଥର ଦଳଡିଆଁରେ ଅଲୋଡ଼ା ରେକର୍ଡ ସୃଷ୍ଟି ହେଲା। ବିଜେଡି ଓ ବିଜେପି ପରସ୍ପରକୁ ସାଂଘାତିକ ଆକ୍ରମଣ କରି ପ୍ରଚାର ମଇଦାନକୁ ସରଗରମ କଲେ। ଓଡ଼ିଆ ଅସ୍ମିତାକୁ ନେଇ ଉଭୟ ଦଳ ପରସ୍ପରକୁ ଆକ୍ରମଣ କଲେ। ପ୍ରଚାରରେ ବିଜେଡିର ମଙ୍ଗ ଧରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିଭିନ୍ନ ସ୍ଥାନରେ ସମାବେଶ ଓ ରୋଡ୍ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ। ଆଉ ବିଜେପିର କେନ୍ଦ୍ରୀୟ ନେତା ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରିଥିବା ବ୍ୟକ୍ତିଗତ ଆକ୍ଷେପର ଜବାବ ବି ସେ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଲେ। ପୁଣି କିଛି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲେ। ତାଙ୍କ ପରେ ବରିଷ୍ଠ ନେତା ଭି କେ ପାଣ୍ଡିଆନ୍ ସାରା ଓଡ଼ିଶା ବୁଲି ବିଜେଡି ପାଇଁ ପ୍ରଚାର କରିଥିଲେ। ପାଣ୍ଡିଆନ୍ ହିଁ ସବୁ ମଞ୍ଚରେ ବିରୋଧୀଙ୍କୁ ଜବାବ ଦେବା ସହ ରାଜ୍ୟ ସରକାରଙ୍କ ସଫଳତା ବଖାଣୁଥିଲେ। ପ୍ରଚାରର ଶେଷ ଆଡ଼କୁ ବିଜେଡି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଉଠାଇଥିଲା।

ରାଜ୍ୟରେ ସରକାର ପରିବର୍ତ୍ତନର ନାରା ଦେଇ ବିଜେପି ଜୋର୍‌ଦାର ପ୍ରଚାର କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଆସି ପ୍ରଚାର କରିଥିଲେ। ଓଡ଼ିଆ ଅସ୍ମିତା, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ, ତାମିଲ ବାବୁଙ୍କ ଶାସନ, ରତ୍ନଭଣ୍ଡାର ଚାବି ହଜିବା ଆଦିକୁ ପ୍ରସଙ୍ଗ କରି ଲୋକଙ୍କ ନିକଟତର ହେବାକୁ ବିଜେପି ଉଦ୍ୟମ କରିଥିଲା। ନିଜେ ପ୍ରଧାନମନ୍ତ୍ରୀ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। ଅମିତ ଶାହ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ଦେଖାଇଥିଲେ। ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ବିଭିନ୍ନ ଜାଗାକୁ ଘନ ଘନ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍ ପ୍ରଚାର କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ଙ୍କୁ ବିଜେପି ନେତାମାନେ ଆକ୍ରମଣ କରିଥିଲେ। ପ୍ରଚାର ଦୃଷ୍ଟିରୁ କଂଗ୍ରେସ ଅନ୍ୟ ଦୁଇ ଦଳ ତୁଳନାରେ ପଛରେ ପଡ଼ିଥିଲା ସତ, କିନ୍ତୁ ରାହୁଲ ଗାନ୍ଧୀ ତିନି ଥର ଓଡ଼ିଶା ଆସି ଦଳୀୟ କର୍ମୀଙ୍କ ମନୋବଳ କିଛି ମାତ୍ରାରେ ବଢ଼ାଇଥିଲେ। ପୁଣି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ ମଧ୍ୟ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button