ରାଜନୀତି

ଅସନ୍ତୋଷ, ବିଦ୍ରୋହ, ଇସ୍ତଫା: ବିଜେପିରେ ଅସନ୍ତୋଷ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲାଣି – Kalinga News

[ad_1]

ଭୁବନେଶ୍ବର: ଯାଜପୁରରୁ ଗଞ୍ଜାମ। ଜଗତସିଂହପୁରରୁ କନ୍ଧମାଳ। ଭଦ୍ରକରୁ ବରଗଡ଼। ସବୁଠି ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫାର ପର୍ବ। ଯେତିକି ଯେତିକି ଟିକେଟ ଚୂଡ଼ାନ୍ତ ହେଉଛି, ଅସନ୍ତୋଷର ନିଆଁ ସେତିକି ସେତିକି ମାଡ଼ି ଚାଲିଛି। ଅସନ୍ତୁଷ୍ଟମାନେ ଏତେ ପ୍ରତିକ୍ରିୟା‌ଶୀଳ ହେଉଛନ୍ତି ଯେ ଦଳର ଶୀର୍ଷ ନେତୃତ୍ବଙ୍କ ରକ୍ତଚାପ ବଢ଼ିଗଲାଣି। ଏମିତି ସମସ୍ୟା କୌଣସି ଗୋଟିଏ ଦଳର ନୁହେଁ, ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବିଜେଡି ଓ ବିଜେପିରେ ଅସନ୍ତୋଷ ଓ ବିଦ୍ରୋହ ଅଧିକ ଚାଲିଥିଲା ବେଳେ କଂଗ୍ରେସରେ କମ୍। ଅସନ୍ତୁଷ୍ଟଙ୍କୁ ବୁଝାସୁଝା କରି ଦଳୀୟ ପ୍ରାର୍ଥୀଙ୍କୁ ଶକ୍ତିଶାଳୀ କରିବାକୁ ଦୁଇ ଦଳର ଶୀର୍ଷ ନେତୃତ୍ବ ଲାଗିପଡ଼ିଛନ୍ତି। କିଛି ଜାଗାରେ ସଫଳତା ମିଳୁଥିଲା ‌ବେଳେ ଆଉ କିଛି ଜାଗାରେ ଆଶାୟୀମାନେ ଜିଦ୍‌ରେ ଅଟଳ ଅଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ଟିକେଟ ଘୋଷଣାରେ ମଧ୍ୟ ଏହା ବାଧକ ସାଜିଛି।

ସୋରୋ, ଧର୍ମଶାଳା, ବିଞ୍ଝାରପୁର, ମହାକାଳପଡ଼ା, ନିମାପଡ଼ା, ଜୟଦେବ, ଜଟଣୀ, ରଣପୁର, ଦିଗପହଣ୍ଡି, ହିଞ୍ଜିଳି, ପଟ୍ଟାଙ୍ଗୀ, ବରଗଡ଼ରେ ବିଜେପି ପ୍ରାର୍ଥୀ ଚୟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଏଠାରେ ଅନ୍ୟ ଆଶାୟୀମାନେ ଦଳୀୟ ପ୍ରାର୍ଥୀଙ୍କୁ ଗ୍ରହଣ କରିବାକୁ ନାରାଜ। ଏପରିକି ପ୍ରାର୍ଥୀ ବଦଳାଇବାକୁ ମଧ୍ୟ ଦାବି ଉଠିଲାଣି। ଆଶାୟୀମାନଙ୍କ ଅସନ୍ତୋଷ କେବଳ ବୟାନବାଜିରେ ସୀମିତ ରହିନାହିଁ। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ନିଷ୍ପତ୍ତିକୁ ବିରୋଧ ଶକ୍ତି ପ୍ରଦର୍ଶନ କରିବାକୁ ପଛାଉ ନାହାନ୍ତି। ଧର୍ମଶାଳା, ସୋ‌ରୋ, ଜୟଦେବ, ହିଞ୍ଜିଳି, ମହାକାଳପଡ଼ା ଆଦି ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ପ୍ରତିବାଦ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଗଲାଣି। ଆଶାୟୀମାନେ ସେମାନଙ୍କ ସମର୍ଥକମାନଙ୍କୁ ପଠାଇ ଭୁବନେଶ୍ବରରେ ନାରାବାଜି କରୁଛନ୍ତି। ଦଳ ନିଷ୍ପତ୍ତିର ପୁନର୍ବିଚାର ନକଲେ ‌ଇସ୍ତଫା ଦେବେ ବୋଲି ଧମକ ବି ଦେଉଛନ୍ତି। କିଛି ଜାଗାରେ ବିଜେପି ଇସ୍ତଫାର ସୁଅ ଆରମ୍ଭ ହେଲାଣି। ପଟ୍ଟାଙ୍ଗୀରେ ଗତ ଥରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗୀ ଇସ୍ତଫା ଦେଇ ବିଜେଡିରେ ମିଶିସାରିଲେଣି। ନିମାପଡ଼ାରେ ବି ଅସନ୍ତୁଷ୍ଟ ଆଶାୟୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ବ୍ରହ୍ମପୁରରେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କଲା ପରେ ଗତ ଥରର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେଡିରେ ଯୋଗ ଦେଇ ସେଠାରୁ ପ୍ରାର୍ଥୀ ହୋଇଛନ୍ତି। କନ୍ଧମାଳ ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ବିରୋଧ କରି ଅସନ୍ତୁଷ୍ଟ ମେଳି ବାନ୍ଧିବା ଆରମ୍ଭ କରିଛନ୍ତି।

ଶାସକ ବିଜେଡିରେ ବି ଅସନ୍ତୋଷ ଓ ବିଦ୍ରୋହ କିଛି କମ୍ ନାହିଁ। ଶଙ୍ଖ ଭବନରେ ଅସନ୍ତୁଷ୍ଟଙ୍କ ଖୋଲାଖୋଲି ଭାବେ ନାରାବାଜି, ବିକ୍ଷୋଭ ଏଯାଏ ଦେଖିବାକୁ ମିଳିନି। କିନ୍ତୁ କିଛି ନିର୍ବାଚନମଣ୍ଡଳୀରେ ବିଦ୍ରୋହ ଜୋର୍‌ ଧରିବା ସହ ଇସ୍ତଫା ନାଟକ ଆରମ୍ଭ ହୋଇଯାଇଛି। ସୋରୋରେ ବିଜେଡିର ପ୍ରାର୍ଥୀ ଚୟନକୁ ବିରୋଧ କରି ବିଧାୟକ ପର୍ଶୁରାମ ଧଡ଼ା ଓ ଆଠମଲ୍ଲିକରେ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ବିଧାୟକ ରମେଶ ସାଏ ଦଳ ଛାଡ଼ିଛନ୍ତି। ଫୁଲବାଣୀରେ ପ୍ରାର୍ଥିତ୍ବକୁ ବିରୋଧ କରି ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର ବିଜେଡି ଛାଡ଼ିଛନ୍ତି। ଜଗତସିଂହପୁର ନିର୍ବାଚନମଣ୍ଡଳୀର ଟାଣୁଆ ନେତା ଅମରେନ୍ଦ୍ର ଦାସ ଦଳ ନିଷ୍ପତ୍ତିକୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଭଦ୍ରକରେ ପୂର୍ବତନ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବି ଭଦ୍ରକରେ ପ୍ରଫୁଲ୍ଲ ସାମଲଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ବିଜେଡି ଛାଡ଼ିଛନ୍ତି। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଆଜି ଦଳତ୍ୟାଗ କରିଛନ୍ତି। କଣ୍ଟାମାଳରେ ମହୀଧର ରଣାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ସେଠାରେ ବ୍ଲକ୍‌ ଅଧ୍ୟକ୍ଷ ଓ ପଞ୍ଚାୟତ ସମିତି ସଦସ୍ୟମାନେ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ପ୍ରାର୍ଥୀ ଘୋଷଣା ପରେ ଏମିତି ସ୍ଥିତି ସୃଷ୍ଟି ହୋଇଥିବାରୁ ଉଭୟ ଦଳର ଶୀର୍ଷ ନେତାମାନେ ଅକଳରେ ପଡ଼ିଯାଇଛନ୍ତି। ବିଜେଡିର ୪୮ ଓ ବିଜେପିର ୩୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଆସନଗୁଡ଼ିକରେ ବିବାଦ ଆହୁରି ସାଂଘାତିକ ସ୍ତରରେ ଅଛି। କାହାକୁ ବାଛିବେ, କାହାକୁ ଛାଡ଼ିବେ ତାହା ଜାଣିପାରୁ ନାହାନ୍ତି। ବିଜେଡିରେ ଏତେ ମାତ୍ରାରେ ଯୋଗ୍ୟ ଆଶାୟୀ ବାହାରିଛନ୍ତି ଯେ ସେମାନଙ୍କୁ ବୁଝାସୁଝା କରି ସହମତି ଆଣିବାରେ ଶୀର୍ଷ ନେତାମାନେ ଝାଳନାଳ ହୋଇଗଲେଣି। ନବୀନ ନିବାସ, ଶଙ୍ଖ ଭବନରେ ଦିନତମାମ ଘନ ଘନ ବୈଠକ ବସୁଛି। ବିଳମ୍ବିତ ରାତି ଯାଏ ବୈଠକ ବସୁଥିବାର ଦେଖାଯାଉଛି। ଯେତିକି ଆସନରେ ସହମତି ହୋଇଛି, ତାହାର ତାଲିକା ଦୁଇ ତିନି ଭିତରେ ଘୋଷଣା କରିବାର ସମ୍ଭାବନା ରହିଛି।
ବିଜେପିରେ ଏବେ ଅସନ୍ତୋଷକୁ ଥମାଇବା ପାଇଁ ବରିଷ୍ଠ ନେତାମାନେ ଲାଗି ପଡ଼ିଛନ୍ତି। ଯେଉଁ ଯେଉଁ ଆସନଗୁଡ଼ିକରେ ପ୍ରାର୍ଥୀ ଚୟନ ପରେ ଅସ‌ନ୍ତୋଷ ଉଗ୍ର ରୂପ ନେଇଛି, ତାହାକୁ କିପରି ପ୍ରଶମିତ କରାଯିବ ସେଥିପାଇଁ ନେତାମାନେ ଉଦ୍ୟମ କରୁଛନ୍ତି। ଅସନ୍ତୋଷ ବଢ଼ିଲେ ଏହା ଅନ୍ୟ ନିର୍ବାଚନମଣ୍ଡଳୀକୁ ଭୁଲ୍‌ ବାର୍ତ୍ତା ଦେବାର ଆଶଙ୍କା ରହିଛି। ତେଣୁ ବିଦ୍ରୋହୀମାନଙ୍କୁ ବୁଝାସୁଝା କରି ଅନ୍ୟ ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କଂଗ୍ରେସ ଏପର୍ଯ୍ୟନ୍ତ ୪୭ ବିଧାନସଭା ଓ ୮ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଓ ବିଜେପି ପରି ସ୍ଥିତି ଏଠି ନଥିଲେ ମଧ୍ୟ କିଛି କିଛି ଆସନରେ ଅସନ୍ତୋଷ ଦେଖାଦେଇଛି। ମାଲାକାନଗିରିର ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିରୋଧ କରି ଅନ୍ୟ ଜଣେ ଆଶାୟୀ କଂଗ୍ରେସରେ ଟଙ୍କା ନେଇ ଟିକେଟ ବଣ୍ଟନ ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି। ଅବଶ୍ୟ ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button