ଅପରାଧ

ଟିଟିଲାଗଡ଼ ସବ୍‌ଜେଲ ରୁ ଫେରାର କଏଦୀ ଦିଲ୍ଲୀରୁ ଗିରଫ – Kalinga News

[ad_1]

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପ-କାରାଗାରରୁ ଫେରାର ଦୁଇ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ଜଣକୁ ଧରିବାରେ ଟିଟିଲାଗଡ଼ ପୁଲିସ ସଫଳ ହୋଇଛି। ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଫେରାର କଏଦୀ ସୁମିତ ବିହାରୀକୁ ଦିଲ୍ଲୀରୁ ଗିରଫ କରି ଟିଟିଲାଗଡ଼ ଆଣିଛି। ଏଥିସହ କଏଦୀ ସୁମିତକୁ ଜେଲ୍‌କୁ ନେଇ ପୁଲିସ ସିନ୍‌ ରିକ୍ରିଏସନ କରାଇଥିବା ଏସ୍‌ପି ଋଷିକେଶ ଖିଲାରୀ ସ୍ଥାନୀୟ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୪ ଏପ୍ରିଲ ୨୦୨୨ରେ ଟିଟିଲାଗଡ଼ ସହର ନିକଟ ପିପଲପଦର ଗାଁ ନିକଟରେ ନିଜ ସମ୍ପର୍କୀୟ ଭଣଜାକୁ ଅପହରଣ କରି ଅତି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ସୁମିତ ଗିରଫ ହୋଇ ଟିଟିଲାଗଡ଼ ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲା। ହେଲେ ଗତ ୯ ତାରିଖ ରାତିରେ ସୁମିତ ଓ ଅନ୍ୟ ଜଣେ ହତ୍ୟା ଅଭିଯୁକ୍ତ ଶୋଭାବନ ରଣା ଜେଲ୍‌ରୁ ଫେରାର ମାରିଥିଲେ। ଜେଲ୍‌ ଭିତରେ ଜେଲର୍‌ ଏବଂ ଜେଲ କର୍ମଚାରୀଙ୍କ ବିଶ୍ୱାସଭାଜନ ହେବା ସହ ଉଭୟ ବିଭିନ୍ନ ସୁବିଧା ହାସଲ କରିଥିଲେ। ଫେରାର ଦିନ ସିସିଟିଭି କ୍ୟାମେରାର ରେକର୍ଡ ବନ୍ଦ କରିବା ସହ ଅତି ଚତୁରତା ସହ ଚମ୍ପଟ ମାରିଥିଲେ। ଖବରପାଇ ଏସ୍‌ପି ଋଷିକେଶ ଖିଲାରୀ ଟିଟିଲାଗଡ଼ ଆସି ଘଟଣାର ସରଜମିନ ତଦନ୍ତ କରିବା ସହ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରି ଦେଶର ବିଭିନ୍ନ ରାଜ୍ୟକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜେଲ ଭିତରୁ ଦୁଇ କଏଦୀଙ୍କୁ ଫେରାର କରିବାରେ ସ୍ଥାନୀୟ ତିନି ଜଣ ବ୍ୟକ୍ତିଙ୍କ ସହଯୋଗ ରହିଥିବା ଜଣାପଡ଼ିଥିଲା। ପୁଲିସ ସମ୍ପୃକ୍ତ ତିନି ଜଣ ବ୍ୟକ୍ତିଙ୍କୁ ଥାନାକୁ ଆଣି ଜେରା କରିବା ପରେ ବହୁ ତଥ୍ୟ ହାସଲ କରିଥିଲା।

ଜଣେ ଏକ ମୋବାଇଲ ଫୋନ୍‌ ଫେରାର କଏଦୀଙ୍କୁ ଦେଇଥିବା ବେଳେ ଜଣେ ସେମାନଙ୍କୁ ଏକ ବାଇକ ଯୋଗାଇ ଦେଇଥିଲା। ପରେ କଏଦୀ ଦ୍ବୟ ବାଇକ୍‌ରେ ଟିଟିଲାଗଡ଼ରୁ ବ୍ରହ୍ମପୁର ଓ ସେଠାରେ ବାଇକ୍ ଛାଡ଼ି ଟ୍ରେନ୍‌ କିମ୍ବା ବସ୍‌ ଯୋଗେ ଭୁବନେଶ୍ବର ଯାଇଥିଲେ। ସେଠାରୁ ଦିଲ୍ଲୀ ଯାଇଥିବା ବେଳେ ଜଣକୁ ଆଜି ପୁଲିସ୍ ଗିରଫ କରିଥିବା ସୂଚନା ଦେଇଛି। ତେବେ ବଲାଙ୍ଗୀର ସାଇବର ଟିମ୍‌ର ସହାୟତା ତଥା ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ଅବନୀ ସାହୁ, ଏସ୍‌ଆଇ ଦେବାଶିଷ ଶତପଥୀ, ଅନନ୍ତ ପ୍ରଧାନ, କିରଣ ଯାନୀ, ଏଏସଆଇ କାର୍ତ୍ତିକ ପ୍ରଧାନ, ହେମନ୍ତ ମିଶ୍ରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଦିଲ୍ଲୀ ଅଭିମୁଖେ ଯିବା ସହ ଦିଲ୍ଲୀ ପୁଲିସ ସହାୟତାରେ ସୁମିତକୁ ଗିରଫ କରିବାରେ ସଫଳ ହୋଇଥିଲେ। ତେବେ ଅନ୍ୟ ଏକ ଟିମ୍‌ କୋଲକାତାରେ ରହି ତଦନ୍ତ କରୁଥିବା ବେଳେ ଖୁବ୍‌ଶୀଘ୍ର ଅନ୍ୟ ଫେରାର କଏଦୀକୁ କାବୁ କରାଯିବ ବୋଲି ଏସ୍‌ପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ଅବନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button