ହାଣ୍ଡିଆ ହାଣ୍ଡି ଭାଙ୍ଗିବାରୁ ଅଟକ ରଖିଲେ ଆଦିବାସୀ: ଜରିମାନା ଦେଇ ମୁକୁଳିଲେ ଅବକାରୀ ଟିମ୍ – Kalinga News

[ad_1]
କୁତ୍ରା: ଆଜି କୁତ୍ରାବସ୍ତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅବକାରୀ ଟିମ୍ ମଦଭାଟି ଗୁଣ୍ଡାଙ୍କୁ ଧରି ଆଦିବାସୀଙ୍କ ହାଣ୍ଡିଆକୁ ମାରା କରିଥିବାରୁ ବେଶ୍ ହଲାପଟା ହୋଇଛି। ଉତ୍ତ୍ୟକ୍ତଲୋକେ ସେମାନଙ୍କୁ ଅଟକ ରଖିଥିଲେ। ପରେ ଲିଖିତ କ୍ଷମାପ୍ରାର୍ଥନା ସହ ଜରିମାନା ଦେବାପରେ ସେମାନେ ମୁକୁଳିଛନ୍ତି। କୁତ୍ରା ଗାଁ’ର ଆଦିବାସୀ କିସାନବସ୍ତିରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଅବକାରୀ ବିଭାଗ ସ୍ଥାନୀୟ ଅଞ୍ଚଳରେ ମଦଭାଟିର ଗୁଣ୍ଡାଙ୍କୁ ଧରି ଚଢ଼ଉ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ସେମାନେ ଆଦିବାସୀଙ୍କ ପାରମ୍ପରିକ ହାଣ୍ଡିଆକୁ ନଷ୍ଟକରିବା ସହ ପାରିବାରିକ ବ୍ୟବହାର ପାଇଁ ଘରେ ଥିବା ମହୁଲ ଓ ଚାଉଳ ଜବତ କରିନେଉଛନ୍ତି। ଏ ନେଇ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଆଜିର ଘଟଣାରେ ଅବକାରୀ ବିଭାଗ ମଦଭାଟି ଗୁଣ୍ଡାଙ୍କୁ ଧରି କିସାନବସ୍ତିକୁ ଯାଇଥିଲା। ମଦଖୋଜିବା ବାହାନାରେ ହୋଲି ପାଇଁ ପାରମ୍ପରିକ ରୀତିରେ ତିଆରି ହୋଇଥିବା ତର୍ପାଏନ୍ (ହାଣ୍ଡିଆ) ରଖାଯାଇଥିବା ଘରକୁ ଜୋତାପିନ୍ଧି ପଶିଥିଲା। ଏହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅବକାରୀ ବିଭାଗ ତରପାଏନ ମାଠିଆ ଭଙ୍ଗିବା ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ବସ୍ତିର ଶହଶହ ଲୋକ ଅବକାରୀ ଗାଡ଼ିକୁ ଅଟକ ରଖିଥିଲେ। ଆଦିବାସୀ କିସାନ ସଂପ୍ରଦାୟ ସେମାନଙ୍କ ପୂର୍ବପୁରୁଷଙ୍କୁ ତରପାଏନ ବା ହାଣ୍ଡିଆ ହୋଲିଦିନ ଅର୍ପଣକରି ପୂଜାର୍ଚ୍ଚନା କରିଥା’ନ୍ତି। ଏଥିପାଇଁ ସପ୍ତାହେ ପୂର୍ବରୁ ସେମାନେ ଗାଧୋଇ ଘର ଲିପାପୋଛାକରି ହାଣ୍ଡିଆ ପ୍ରସ୍ତୁତ କରିଥା’ନ୍ତି। ଯେହେତୁ ବିନା କାରଣରେ ପୂଜାପାଇଁ ଉଦ୍ଦିଷ୍ଟ ତରପାଏନ ବା ହାଣ୍ଡିଆକୁ ବାହାରଲୋକ ଛୁଇଁ ମାରା କରିଛନ୍ତି, ସେଥିପାଇଁ ବସ୍ତିବାସୀ ଉତ୍କ୍ଷିପ୍ତ ହୋଇ ଚଢ଼ଉକାରୀଙ୍କୁ ଅଟକ ରଖିଥିଲେ। ଖବରପାଇ ଅବକାରୀ ଅଧିକାରୀ ସୁଧୀର କୁମାର ମିଶ୍ର କୁତ୍ରା ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ଲିଖିତ କ୍ଷମାପ୍ରାର୍ଥନା ଓ ଜରିମାନା ଦେଇ ଅବକାରୀ କର୍ମଚାରୀ ଓ ମଦଭାଟି ଗୁଣ୍ଡାମାନେ ମୁକୁଳିଥିଲେ। ରୋଚକ କଥା ହେଉଛି, ଘଟଣାସ୍ଥଳରେ ରାଜଗାଙ୍ଗପୁର ଭାଟିମାଲିକ ଅରବିନ୍ଦ ସିଂ ଉପସ୍ଥିତ ଥିଲେ। ଲୋକଙ୍କ ଆକ୍ରୋଶର ଶିକାରହେବା ପରେ ଅରବିନ୍ଦ ବି ଲିଖିତ କ୍ଷମାପ୍ରାର୍ଥନା କରିବା ସହ ଜରିମାନା ଦେଇଥିଲେ। ପୂଜାପାଇଁ ନିର୍ମିତ ତରପାଏନ ବା ହାଣ୍ଡିଆକୁ ମାରା କରିଥିବାରୁ ଜାଳେଣିକାଠ ଓ ସେଥିରେ ବ୍ୟବହୃତ ଔଷଧ ବା ରାନୁ କିଣିବାକୁ ୩୫୦୦ ଟଙ୍କା ଓ ୨ କ୍ବିଣ୍ଟାଲ ଚାଉଳ ଜରିମାନା ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି।
[ad_2]