ରାଜନୀତି

ଦଳ ବଦଳାଇବେ କି ଅନୁଭବ? – Kalinga News

[ad_1]

କଟକ: ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଭୂମିକା କ’ଣ ରହିବ? ବର୍ତ୍ତମାନ ସ୍ଥିତିରେ ବିଜେଡିରେ ଏକ ପ୍ରକାର ଗୁରୁତ୍ବ ହରାଇଥିବା ଅନୁଭବଙ୍କ ଭବିଷ୍ୟତ ପଦକ୍ଷେପକୁ ନେଇ ଏବେ ବିଭିନ୍ନ ମହଲରେ ଆକଳନ କରାଯାଉଛି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅନୁଭବ ଆଉ ବିଜେଡିରୁ ସୁଯୋଗ ପାଇବା ଆଶା ନାହିଁ ବୋଲି କୁହାଯାଉଥିବା ବେଳେ ଅନୁଭବ ସକ୍ରୀୟ ରାଜନୀତିରୁ ଦୂରେଇ ଯିବେ ନା ଆଉ କେଉଁ ଦଳରେ ଭାଗ୍ୟ ପରୀକ୍ଷା କରିବେ, ତାହା ଏବେ ତାଙ୍କ ସମର୍ଥକ ମାନଙ୍କ ପାଇଁ ବି ଦ୍ବନ୍ଦ୍ବର ପ୍ରସଙ୍ଗ ହୋଇଛି। ୨୦୧୩ରେ ଅନୁଭବ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ରାଜ୍ୟସଭା ଟିକେଟ୍ ଦେଇଥିଲା। ରାଜ୍ୟସଭାରେ ସର୍ବ କନିଷ୍ଠ ସଦସ୍ୟ ହେବାର ଗୌରବ ନେଇ ଅନୁଭବ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ସମ୍ମାନଜନକ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଲଢିବାର ସୁଯୋଗ ଦେଇଥିଲା। ପୂର୍ବତନ ସାଂସଦ ତଥା ବିଜେପିର ପ୍ରଭାବଶାଳୀ ନେତା ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ଅନୁଭବ ନିଜର ଲୋକପ୍ରିୟତା ପ୍ରମାଣ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପାରିବାରିକ ବିବାଦ ତଥା ବିଭିନ୍ନ ଘଟଣାକୁ ନେଇ ଅନୁଭବଙ୍କ ସ୍ଥିତି ଦୁର୍ବଳ ହେବାରେ ‌ଲାଗିଥିଲା। ଦଳ ଭିତରେ ବି ସେ କୋଣଠେସା ହୋଇ ଯାଇଥିଲେ। କେନ୍ଦ୍ରାପଡାରେ ଆୟୋଜିତ ବିଜେଡିର କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଦେଖିବାକୁ ମିଳି ନଥିଲା। ନିକଟରେ ତାଙ୍କ ବାପାଙ୍କର ପରଲୋକ ଘଟିଥିବା ବେଳେ ଦଳର ନେତୃବୃନ୍ଦ ଯେଉଁଭଳି ତାଙ୍କ ପାଖରେ ଛିଡ଼ା ହେବା କଥା, ସେଭଳି ଦେଖିବାକୁ ମିଳି ନଥିଲା। ବିଭିନ୍ନ କାରଣରୁ ଅନୁଭବଙ୍କ ମନରେ ବି କ୍ଷୋଭ ବଢିବାରେ ଲାଗିଛି। କେନ୍ଦ୍ରାପଡ଼ାକୁ ନେଇ ବିଜେଡିର ଉପରମହଲରେ ଚାଲିଥିବା କସରତରେ ଏବେ ଅନୁଭବଙ୍କୁ ଖୋଜା ଯାଉ ନାହିଁ।

ଏବେ ଅନୁଭବ ୨୦୨୪ ସାଧାରଣ ନିର୍ବାଚନରୁ ଦୂରେଇ ରହିବେ ନା ଅନ୍ୟ କୌଣସି ଦଳରୁ ପ୍ରତିଦ୍ବନ୍ଦ୍ବିତା କରିବେ? ଅନୁଭବ କେନ୍ଦ୍ରାପଡ଼ାର ସାଂସଦ ହୋଇଥିଲେ ବି ସେ ହେଉଛନ୍ତି କଟକର ମୂଳ ବାସିନ୍ଦା। ଉଭୟ କଟକ ଓ କେନ୍ଦ୍ରାପଡ଼ାରେ ଲୋକସଭା ନିର୍ବାଚନ ଲଢିବା ପାଇଁ କଂଗ୍ରେସରେ ଏବେ ପ୍ରଭାବଶାଳୀ ଦାବିଦାର ନାହାନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଟିକେଟରେ ଅନୁଭବ କଟକ ଅଥବା କେନ୍ଦ୍ରାପଡ଼ାରେ ନିଜର ଭାଗ୍ୟ ପରୀକ୍ଷା କରିବା ସମ୍ଭାବନାକୁ ରାଜନୈତିକ ମହଲ ଏଡ଼ାଇ ପାରୁନାହାନ୍ତି।
ଅନ୍ୟପକ୍ଷରେ ଅନୁଭବଙ୍କ ନିରବତାକୁ ବି ଏବେ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଉଛି। ଓଡ଼ିଆ ସିନେମା ଦର୍ଶକଙ୍କ ମଧ୍ୟରେ ଅନୁଭବଙ୍କର ସ୍ବତନ୍ତ୍ର ଭାବମୂର୍ତ୍ତି ରହିଛି। ତେଣୁ ଅନୁଭବ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କୁ ଚାଲେଞ୍ଜ ଦେବାରେ ଯେ ସଫଳ ହେବେ, ତାହାକୁ ନେଇ ଅବଶ୍ୟ କୌଣସି ମହଲରେ ଆଶଙ୍କା ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button