ରାଜନୀତି

ନୂଆ ମୋଡ଼ରେ ବିହାର ରାଜନୀତି: ଆଜି ନୀତୀଶଙ୍କ ଇସ୍ତଫା, ଆଜି ହିଁ ନୂଆ ସରକାର! – Kalinga News

[ad_1]

ବିଧାନସଭାରେ ଖେଳ କରିବାକୁ ଆର୍‌ଜେଡିର ପ୍ରସ୍ତୁତି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଗତ କିଛି ଦିନ ଧରି ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଅନିଶ୍ଚିତତାର ଅବସାନ ଘଟିବାକୁ ଯାଉଛି। ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟକୁ ସମାପ୍ତ କରି ବିଜେପି ସହ ପୁଣି ମେଣ୍ଟ କରିବା ଲାଗି ନୀତୀଶ ସ୍ଥିର କରିଛନ୍ତି। ଆସନ୍ତାକାଲି ସେ ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ ଭ‌ାବେ ଶପଥ ଗ୍ରହଣ କରିବେ। ଆଜି ତାଙ୍କ ଦଳ (ଜେଡିୟୁ)ର କିଛି ନେତା ଏହା ସ୍ପଷ୍ଟ କରିଛନ୍ତି। ଆସନ୍ତାକାଲି ସେ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଆଜି ଦିନ ତମାମ ବିହାର ରାଜନୀତିକୁ ନେଇ ପରିବେଶ ସରଗରମ ରହିଥିଲା। ଜେଡିୟୁ, ବିଜେପି, କଂଗ୍ରେସ ଓ ଆରେଜେଡି ନେତାମାନଙ୍କର ଦିନ ତମାମ ବୈଠକ ବସି ପରିବର୍ତ୍ତିତ ପରିସ୍ଥିତି ନେଇ ବିଚାରବିମର୍ଶ ଜାରି ରହିଥିଲା। ବିଜେପି ‌ବିଧାୟକମାନେ ପାଟନାରେ ଏକାଠି ହୋଇ ନୀତୀଶଙ୍କ ସମର୍ଥନରେ ଦସ୍ତଖତପତ୍ର ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନୀତୀଶ ତାଙ୍କ ବାସଭବନରେ ଉଭୟ ଜେଡିୟୁ ଏବଂ ବିଜେପି ବିଧାୟକମାନଙ୍କର ବୈଠକ ଡାକିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ସେମାନେ ସିଧା ରାଜଭବନ ଯାଇ ରାଜ୍ୟପାଳଙ୍କୁ ନୀତୀଶଙ୍କ ସପକ୍ଷରେ ସମର୍ଥନପତ୍ର ପ୍ରଦାନ କରିବେ। ନୀତୀଶ ସେଠାରେ ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ଜଣାଇବେ। ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ଆଉ ଏକ ସୂତ୍ରରୁ ପ୍ରକାଶ ଯେ ନୀତୀଶ ନିଜେ ଇସ୍ତଫା ନଦେଇ ଆରଜେଡି, କଂଗ୍ରେସ ଓ ମେଣ୍ଟର ମନ୍ତ୍ରୀମାନଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବେ। ସେମାନଙ୍କ ସ୍ଥାନରେ ବିଜେପିର ନେତାମାନଙ୍କୁ ମନ୍ତ୍ରୀ କରାଯିବ।

ଏସଂପର୍କରେ ଆନୁଷ୍ଠାନିକ ଭାବେ କେହି ମୁହଁ ଖୋଲୁ ନଥିବା ବେଳେ ଆରଜେଡି ନେତା ଲାଲୁ ଯାଦବଙ୍କ ହାତ ଛାଡ଼ି ନୀତୀଶ ଏନ୍‌ଡିଏକୁ ଫେରିବା ନିଶ୍ଚିତ। ନୀତୀଶ ଏସଂପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଚାର ଆଲୋଚନା କରୁଛନ୍ତି। ସେ ତାଙ୍କ ନୂଆ ସରକାରରେ ବିଜେପି ନେତା ସୁଶୀଲ ମୋଦୀଙ୍କୁ ପୁଣି ଉପମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସୁଶୀଲ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟ ବିଧାନସଭା ଭାଙ୍ଗି ଲାକସଭା ସହିତ ଚଳିତ ବର୍ଷ ନିର୍ବ‌ାଚନ କରିବା ଲାଗି ଯୋଜନାକୁ ସ୍ଥଗିତ ରଖାଯାଇଛି। ୨୦୨୫ ପର୍ଯ୍ୟନ୍ତ ନୀତୀଶ ମୁଖ୍ୟମନ୍ତ୍ରୀ ରହିବେ। ୨୦୨୫ ବିଧାନସଭା ନିର୍ବ‌ାଚନ ପରେ ତାଙ୍କୁ ଦିଲ୍ଳୀରେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ। ବିଧାନସଭା ନିର୍ବାଚନରେ ବିଜୟ‌ୀ ହେଲେ ବିଜେପି ନେତା ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ‌ଲୋକସଭା ନିର୍ବାଚନରେ କିଏ କେତେ ଆସନରେ ପ୍ରାର୍ଥୀ ‌ଦେବ ତାହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଯୋଜନା ଚୂଡ଼ାନ୍ତ ହୋଇଯାଇଛି।

ଅନ୍ୟପକ୍ଷରେ ଆରଜେଡି ବିଧାୟକ ବୈଠକ ପରେ ଦଳର ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ଯେ ଖେଳ ଶେଷ ହୋଇନାହିଁ। ଖେଳ ଆରମ୍ଭ ହେବ। ଯାହା ଖବର ମିଳୁଛି ତାଙ୍କ ଦଳ ମଧ୍ୟ ସରକାର ଗଠନ ପାଇଁ ଦାବି ଜଣାଇବ। ମହାମେଣ୍ଟରୁ ଜେଡିୟୁ ଅଲଗା ହେଲେ ଆବଶ୍ୟକ ସଂଖ୍ୟା କେଉଁଠୁ ସଂଗ୍ରହ କରିବେ ବୋଲି ଏବେ ରାଜନୈତିକ ମହଲ‌ରେ ଆଲୋଚନା ଚାଲିଛି। କିନ୍ତୁ ସେ ଅଧିକ କିଛି ସୂଚନା ଦେଇ ନାହାନ୍ତି। ୨୪୩ ସଭ୍ୟ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ସଭ୍ୟଙ୍କ ସମର୍ଥନ ଦରକାର। ଏବେ ବିଜେପି ମେଣ୍ଟରେ ୮୨ ବିଧାୟକ ଥିବା ବେଳେ ନୀତୀଶଙ୍କ ଜେଡିୟୁରେ ୪୫ ଜଣ ବିଧାୟକ ଅଛନ୍ତି। ଏମାନେ ମିଶିଲେ ମୋଟ୍ ସଭ୍ୟ ସଂଖ୍ୟା ୧୨୭ ହୋଇଯିବ। ଅର୍ଥାତ୍ ଆବଶ୍ୟକ ଠାରୁ ୫ ଜଣ ଅଧିକ ରହିବେ। ଅନ୍ୟପକ୍ଷରେ ଆରେଜଡି (୭୯), କଂଗ୍ରେସ (୧୯) ଓ ବାମ ମେଣ୍ଟ (୧୭)କୁ ମିଶାଇଲେ ମହାମେଣ୍ଟ ସଂଖ୍ୟା ୧୧୫ରେ ପହଞ୍ଚୁଛି। ସ୍ପଷ୍ଟ ବହୁମତ ପାଇଁ ଆଉ ୮ ଜଣଙ୍କ ସମର୍ଥନ ଦରକାର ଥିବା ବେଳେ ଏହି ସଂଖ୍ୟା ତେଜସ୍ବୀ କେଉଁଠୁ ଆଣିବେ? ଆଜି ଏନେଇ ସେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ୨୦୨୨ ଅଗଷ୍ଟରେ ଏନ୍‌ଡିଏ ତ୍ୟାଗ କରି ୭୨ ବର୍ଷୀୟ ନୀତୀଶ କୁମାର ଆରଜେଡି, କଂଗ୍ରେସ ଓ ଅନ୍ୟ ଦଳ ସହ ମିଶି ସରକାର ଗଠନ କରିଥିଲେ। କୌଣସି ବି ପରିସ୍ଥିତିରେ ସେ ଏନ୍‌ଡିଏକୁ ଆଉ ‌ଫେରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ। କିନ୍ତୁ ଏ‌ହାର ୧୮ ମାସରେ ସେ ପୁଣି ଏନ୍‌ଡିଏକୁ ଫେରୁଛନ୍ତି। ଏଥିପାଇଁ ତାଙ୍କ ଦଳର ବରିଷ୍ଠ ନେତା କେସି ତ୍ୟାଗୀ କଂଗ୍ରେସକୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନୀତୀଶଙ୍କୁ ବାରମ୍ବାର ଅପମାନିତ କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button