ଓଡ଼ିଆଙ୍କ ପଖାଳ ଦିବସ

୨୦୧୫ ମସିହା ମାର୍ଚ୍ଚ ୨୦ ରୁ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । କେବଳ ଓଡ଼ିଶା ହିଁ ନୁହଁ ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ଦେଶରେ ମଧ୍ୟ ଏହି ଦିନକୁ ଆନୁଷ୍ଠାନିକ ଭାବେ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

ପଖାଳ ପାଇଁ ଓଡ଼ିଆଙ୍କ କୌଣସି ଦିନ ନଥାଏ । ଓଡ଼ିଶାର ପ୍ରମୁଖ ତଥା ଗ୍ରହଣୀୟ ଖାଦ୍ୟ ହେଉଛି ବାସି ପଖାଳ । ସାଧାରଣତଃ ଘରେ ରୋଷେଇ ହୋଇଥିବା ଭାତ ବଳିଗଲେ ତାକୁ ପାଣି ଆଉ ଲେମ୍ବୁ ଚିପୁଡି ଦେଇ ରଖି ଦିଆଯାଏ ଯଦ୍ୱାରା ଖଟାପଣ ଆସେ ଏବଂ ଭାତ ନଷ୍ଟ ହୁଏନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ ୟାକୁ ବିଭିନ୍ନ ତରକାରୀ ତଥା ଭଜା ସହ ଖିଆଯାଏ । ଏହି ପଖାଳକୁ ଖାଇଲେ ପେଟ ଥଣ୍ଡା ରହିବା ସାଙ୍ଗକୁ ଖରାଦିନେ ଝାଳ ବୋହୁଥିବା କାରଣରୁ ଦେହର ଜଳୀୟ ଅଂଶ କମିଗଲେ ମଧ୍ୟ ଏହା ରାମବାଣ ଭଳି କାମ କରେ । ତେବେ ପଖାଳ ଅଧିକ ବାସି ହୋଇଗଲେ ଚାଉଳ ସହ ଅମ୍ଳ ମିଶୁଥିବା କାରଣରୁ ଏହା ନିଶା ବଢ଼ାଇଥାଏ । ତେଣୁ ପଖାଳ ଖାଇଲେ ନିଦ ମଧ୍ୟ ପ୍ରଚୁର ଲାଗେ ।
ପଖାଳ ବିଭିନ୍ନ ପ୍ରକାରର ରହିଛି । ଓଡ଼ିଶାର ମଉଡ଼ମଣି କୁହାଯାଉଥିବା ସ୍ୱୟଂ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଯାହା ତାଙ୍କ ଟଙ୍କ ତୋରାଣୀରୁ ଓ ଦହି ଅନ୍ନରୁ ପ୍ରମାଣିତ । ତେବେ ଜଗନ୍ନାଥ ମନ୍ଦିରରେ ପ୍ରାୟ ଛଅ ପ୍ରକାରର ସ୍ୱତନ୍ତ୍ର ପଖାଳ ଲାଗି ହୁଏ ।
ଯଥା:
ଦହି ପଖାଳ
ଘିଅ ପଖାଳ,
ମିଠା ପଖାଳ,
ସୁବାସ ପଖାଳ,
ମଲ୍ଲିଫୁଲ ପଖାଳ
ଏବଂ ଚୁପୁଡା ପଖାଳ ।
ଏସବୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରସ୍ତୁତ ହୁଏ । ଯେମିତି କି ଦହି ପଖାଳ ପ୍ରସ୍ତୁତ ପାଇଁ ଦହିର ପରିମାଣ ଅଧିକ ରଖାଯାଏ । ଅନ୍ନରେ ଦହି ମିଶେ । ଏଥିରେ ଅଦା ଓ ଜିରା ଆଦି ମଧ୍ୟ ପଡିଥାଏ । ସେହିଭଳି ଘିଅ ପଖାଳକୁ ଜଗନ୍ନାଥ ଭାରି ଭଲ ପାଆନ୍ତି ବୋଲି କୁହାଯାଏ । ତେଣୁ ଅନ୍ନ, ଲୁଣ ସାଙ୍ଗରେ ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ । ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ । ମିଠା ପଖାଳକୁ ମଧ୍ୟ ସେମିତି ପ୍ରସ୍ତୁତ କରାଯାଏ ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ । ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ । ଠିକ ସେଭଳି ସୁବାସ ପଖାଳ ପ୍ରସ୍ତୁତିରେ ମଧ୍ୟ ଅଦାର ବ୍ୟବହାର ହୁଏ । କିନ୍ତୁ ସୁଗନ୍ଧିତ ହୋଇଥିବାରୁ ଏହାକୁ ସୁବାସ ପଖାଳ କୁହାଯାଏ । ଏହି ଅନ୍ନ ଭୋଗର ଚାହିଦା ମଧ୍ୟ ଭିନ୍ନ ।
ମଲ୍ଲିଫୁଲ ପଖାଳ ମଧ୍ୟ କୌଣସି ଭିନ୍ନ ନୁହଁ । ଏହା ସାଧାରଣ ଦହି ପଖାଳ ଭଳି ହୋଇଥିବା ବେଳେ ମଲ୍ଲିଫୁଲ ଦେଇ ପରଷା ଯାଉଥିବାରୁ ଏହାକୁ ମଲ୍ଲିଫୁଲ ପଖାଳ କୁହାଯାଏ । ଠିକ ସେପରି ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ। ଯାହାକୁ ଚୁପୁଡା ପଖାଳ ବୋଲି କୁହାଯାଏ । ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗି ହୋଇଥାଏ ।
ତେବେ ମାର୍ଚ୍ଚ ୨୦ ତାରିଖକୁ ୨୦୧୫ ମସିହାରୁ ଆନୁଷ୍ଠାନିକ ଭାବେ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରାଯାଏ । ପ୍ରଥମେ ୨୦୧୧ ରୁ କିଛି ଫୁଡ଼ ବ୍ଲଗର ଓ ଓଡ଼ିଆ ପ୍ରେମୀ ମାନେ ଏହି ଦିନକୁ ପାଳନ କରିବା ଆରମ୍ଭ କଲେ । ପରେ ପରେ ଏହା ଜନାଦୃତ ହୋଇଛି । ଅନ୍ୟପକ୍ଷରେ ମାର୍ଚ୍ଚ ୨୧ ତାରିଖରେ ଦିନ ଓ ରାତି ସମାନ ସମୟ ଅବଧିର । ଅର୍ଥାତ ମାର୍ଚ୍ଚ ୨୧ ରେ ଦିନ ୧୨ ଘଣ୍ଟା ଏବଂ ରାତି ୧୨ ଘଣ୍ଟା ଏବଂ ୟା ପରେ ଦିନର ଅବଧି ଧିରେ ଧିରେ ବୃଦ୍ଧି ହୁଏ ଓ ତା ସାଙ୍ଗକୁ ଖରାର ପରିମାଣ ମଧ୍ୟ ବଢ଼ିବାରେ ଲାଗେ । ତେଣୁ ଖରାରୁ ମୁକ୍ତି ପାଇବାକୁ ଏହି ଦିନକୁ ଓଡ଼ିଆ ମାନେ ପଖାଳ ଦିବସ ଭାବେ ପାଳନ କରନ୍ତି ବୋଲି କିଛି ଲୋକ ମତ ଦିଅନ୍ତି ।
ତେବେ ଫୁଡ଼ ବ୍ଲଗର ଅମରେଶ ଦାସଙ୍କୁ ଏହି ଦିନର ପ୍ରତିଷ୍ଠାତା ବୋଲି କୁହାଯାଏ । ୨୦୧୫ ରେ ଏହି ମାର୍ଚ୍ଚ ୨୦ କୁ ପଖାଳ ଦିବସ ଭାବେ ସାରା ବିଶ୍ୱରେ ଟ୍ରେଣ୍ଡ କରାଇବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ତାଙ୍କ ପରେପରେ ଏବେ ପ୍ରାୟ ଦିଲ୍ଲୀରୁ ପଲ୍ଲୀ ଏମିତି କି ଆମେରିକା ଓ ଅଷ୍ଟ୍ରେଲିଆରେ ରହୁଥିବା ବିଭିନ୍ନ ଓଡ଼ିଆ ତଥା ଅଣଓଡ଼ିଆ ମାନେ ପଖାଳ ଦିବସ ପାଳନ କରୁଛନ୍ତି ।